ଭାରତ ମାଟିରେ ଆକ୍ରମଣ ପାଇଁ ପାକିସ୍ତାନରେ ରଚା ଯାଇଥିଲା ବ୍ଲୁ ପ୍ରିଣ୍ଟ : ପୁଲିସ କହିଲା ,ଅନନ୍ତନାଗ ଆତଙ୍କବାଦୀ ହମଲା ପଛର ମାଷ୍ଟର ମାଇଣ୍ଡ

17

କନକ ବ୍ୟୁରୋ : ଅମରନାଥ ଯାତ୍ରୀଙ୍କୁ ଆକ୍ରମଣ ପଛରେ ଲସ୍କର ଆତଙ୍କବାଦୀଙ୍କ ହାତ । ପାକିସ୍ତାନ ମାଟିରେ ବସି ଲକ୍ସର କମାଣ୍ଡର ଅବୁ ଇସମାଇଲ ରଚିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡର ବ୍ଲୁପ୍ରିଂଟ । ଯେଉଁଥିରେ ୭ଜଣ ନିରୀହ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହେବାସହ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ପୂରା ଅଂଚଳକୁ ପୂରା କରି ଛାନଭିନ୍ କରୁଛନ୍ତି ସୁରକ୍ଷାକର୍ମୀ । ସେପଟେ ଏହି ବର୍ବରୋଚିତ ଆକ୍ରମଣର ଉଚିତ ଜବାବ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । କୌଣସି ପରିସ୍ଥିତିରେ ବି ଅମରନାଥ ଯାତ୍ରା ବନ୍ଦ ହେବନାହିଁ ବୋଲି କୁହାଯାଇଛି । ଆଜି ପୁଣି ୩ ହଜାର ତୀର୍ଥଯାତ୍ରୀଙ୍କୁ ଧରି ଅମରନାଥ ଯାତ୍ରା କରିଛି ବସ୍ ।

ସାରା ଦେଶକୁ ଦୋହଲାଇ ଦେଇଥିବା ଏହି ବର୍ବରୋଚିତ ଆକ୍ରମଣ ପଛରେ ପାକିସ୍ତାନ ମାଟିରୁ ଅପରେଟ କରୁଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ରହିଛି ହାତ । ଲସ୍କର କମାଣ୍ଡର ବସିର ଲସ୍କରି ହତ୍ୟାର ପ୍ରତିଶୋଧ ନେବାକୁ ଏଭଳି ନିରୀହ ଲୋକଙ୍କୁ ଟାର୍ଗେଟ କରିଛି ଆତଙ୍କି ସଂଗଠନ । ଅମରନାଥ ଯାତ୍ରା ସାରି ଫେରୁଥିବା ଏକ ତୀର୍ଥଯାତ୍ରୀ ବସ୍ ଉପରେ ଅନ୍ଧାଧୁନ ଗୁଳିମାଡ କରିଛନ୍ତି ଆତଙ୍କବାଦୀ । ସୋମବାର ରାତି ପ୍ରାୟ ସାଢେ ୮ଟା ପରେ ବସଟିକୁ ତିନିପଟୁ ଘେରିଯାଇ ଗୁଳିବର୍ଷା କରିଥିଲେ ଆତଙ୍କବାଦୀ । ଯେଉଁଥିରେ ୭ଜଣ ତୀର୍ଥଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।

ଅମରନାଥ ଯାତ୍ରୀଙ୍କୁ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଟପ୍ କମାଣ୍ଡର ଅବୁ ଇସମାଇଲ । ପାକ୍ ଅଧିକୃତ କାଶ୍ମୀର-ପିଓକେରେ ରହି ଏହି ହତ୍ୟାକାଣ୍ଡର ନୀଳନକ୍ସା ଆଙ୍କିଥିଲା ଇସମାଇଲ । ୨୦୦ରୁ ଅଧିକ ଆତଙ୍କବାଦୀଙ୍କୁ ଭାରତରେ ଆକ୍ରମଣ ପାଇଁ ପ୍ରଶିକ୍ଷଣ ଦେଉଛି ଏହି ଟପ୍ ଲସ୍କର କମାଣ୍ଡର । ଗୁଇନ୍ଦା ସୂଚନା ଅନୁସାରେ, ଜାମ୍ମୁ-କାଶ୍ମୀରରେ ଅପରେଟ୍ କରୁଥିବା ହିଜବୁଲ ମୁଜାହିଦିନ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣକୁ ସଫଳ କରିବାକୁ ଯୋଗାଇ ଦେଇଥିଲା ଆନୁସଙ୍ଗିକ ସହାୟତା ।

ସୋମବାର ଆକ୍ରମଣ ପଛରେ ୫ରୁ ୬ ଜଣ ଆତଙ୍କବାଦୀ ରହିଥିବା ଅନୁମାନ କରାଯାଉଛି । ଆତଙ୍କବାଦୀମାନେ କିଛି ତୀର୍ଥଯାତ୍ରୀଙ୍କୁ ପଣବନ୍ଦୀ କରିବାକୁ ଯୋଜନା କରିଥିବା ମଧ୍ୟ ପ୍ରାଥମିକ ତଦନ୍ତରୁ ସୁରାକ ମିଳିଛି । ପୂରା ଅଂଚଳକୁ ସୁରକ୍ଷା ବଳୟ ମଧ୍ୟରେ ରଖି ତନ୍ନତନ୍ନ କରି ଯାଂଚ କରୁଛନ୍ତି ସୁରକ୍ଷାକର୍ମୀ । କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଟପ୍ ଅଫିସିଆଲଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେବାପାଇଁ ନୂଆ ରଣନୀତି ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି ।

ଆତଙ୍କବାଦୀଙ୍କ ଏହି ହୀନ ଉଦ୍ୟମ ଅମରନାଥ ଯାତ୍ରାକୁ ପ୍ରଭାବିତ କରିପାରିବ ନାହିଁ ବୋଲି କୁହାଯାଇଛି । ମଙ୍ଗଳବାର ପୁଣି ୩ହଜାର ତୀର୍ଥଯାତ୍ରୀଙ୍କୁ ନେଇ ବସ ଅମରନାଥ ଯାତ୍ରା କରିଛି । ଅନ୍ୟ ପକ୍ଷରେ ସୋମବାର ଆକ୍ରମଣର ଶିକାର ହୋଇଥିବା ବସଟି ଅମରନାଥ ବୋର୍ଡ ସହ ପଂଜିକରଣ ହୋଇନଥିବା ଜଣାପଡିଛି । ସେଥିପାଇଁ ଏହା ସୁରକ୍ଷା ବଳୟ ମଧ୍ୟରେ ନଥିଲା ଓ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କଲେ ବୋଲି ସୂଚନା ମିଳିିଛିି ।