୭ରୁ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ! ୮ରେ ବିଜେପିର ଶକ୍ତି ପ୍ରଦର୍ଶନ

47

କନକ ବ୍ୟୁରୋ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୭ ତାରିଖରେ ଓଡ଼ିଶା ଆସିବେ । ତିନି ଦିନ ଧରି ସେ ଓଡ଼ିଶାରେ ରହି ଦଳୀୟ କର୍ମୀଙ୍କୁ ମନ୍ତ୍ର ଫୁଙ୍କିବେ । ଏହି ଗସ୍ତ ଅବସରରେ ବିଜେପି ତା’ର ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି । ସିଧାସଳଖ ଜନସମାବେଶ ନ କରି ବୁଥ୍‌ ସ୍ତରୀୟ କର୍ମକର୍ତ୍ତାମାନଙ୍କର ଏକ ବିଶାଳ ସମାବେଶ ଭୁବନେଶ୍ୱରରେ ଆୟୋଜନ କରାଯିବ । ୮ ତାରିଖରେ ଜନତା ମଇଦାନରେ ହେବାକୁ ଥିବା ଏହି ସମାବେଶରେ ୩୬ ହଜାର ବୁଥରୁ ପାଖାପାଖି ଏକ ଲକ୍ଷ କର୍ମକର୍ତ୍ତାଙ୍କୁ ଦଳ ଏକାଠି କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ‘ଶ୍ରେଷ୍ଠ ପ୍ରଶାସକ’ ସମ୍ମାନ ପାଇଲା ପରେ ତାଙ୍କୁ ସ୍ୱାଗତ କରିବା ବାହାନାରେ ବିଜେଡି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିଲା । ସାରା ରାଜ୍ୟରୁ କର୍ମୀଙ୍କୁ ଭୁବନେଶ୍ୱରରେ ଏକାଠି କରି ବିମାନ ବନ୍ଦରରୁ ନବୀନ ନିବାସ ପର୍ୟ୍ୟନ୍ତ ଶୋଭାଯାତ୍ରା ହୋଇଥିଲା । ବିଜେଡିର ଏହି ସୋ’ ପରେ ବିଜେପି ବି ଅମିତ ଶାହଙ୍କ ଗସ୍ତର ସୁଯୋଗକୁ ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହେଁ । ବୁଥ୍‌ ସ୍ତରରେ ବିଜେପିର କର୍ମୀ ନାହାନ୍ତି କି ସଂଗଠନ ନାହିଁ ବୋଲି ବିରୋଧୀଙ୍କ ଆକ୍ଷେପର ଜବାବ ଦେବାକୁ ଯାଇ ଦଳ ଏହି ଯୋଜନାବଦ୍ଧ କାର୍ୟ୍ୟକ୍ରମ ହାତକୁ ନେଇଛି ।

ସବୁ ବୁଥ୍‌ରେ ଦଳର କର୍ମକର୍ତ୍ତା ଅଛନ୍ତି, ତାହା ଦେଖାଇବାକୁ ‘ବୁଥ୍‌ ସ୍ତରୀୟ କାର୍ୟ୍ୟକର୍ତ୍ତା ସମାବେଶ’ ନାମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସାମ୍ନାରେ ରାଜ୍ୟର ସଂଗଠନ ଯେ ମଜବୁତ୍‌ ହେଲାଣି, ତାହା ଦେଖାଇବାକୁ ଦଳର ରାଜ୍ୟ କର୍ମକର୍ତ୍ତାମାନେ ଜୋର୍‌ଦାର୍‌ ଲାଗି ପଡ଼ିଛନ୍ତି। ଏହି ସମାବେଶ ମାଧ୍ୟମରେ ବିଜେପି ଦୁଇଟି ଲକ୍ଷ୍ୟ ରଖିଛି। ପ୍ରଥମତଃ ସଦ୍ୟ ହୋଇଥିବା ବିଜେଡି ଶକ୍ତି ପ୍ରଦର୍ଶନର ଜବାବ୍‌ ଦିଆଯିବ। ଦ୍ୱିତୀୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜେ ବୁଥ୍‌ ସ୍ତରୀୟ କର୍ମକର୍ତ୍ତାମାନଙ୍କୁ ସିଧାସଳଖ ଉଦ୍‌ବୋଧନ ଦେଇ ସେମାନଙ୍କୁ ସକ୍ରିୟ କରାଇବେ ଓ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ବୋଲି ବାର୍ତ୍ତା ଦିଆଯିବ।

ଜନତା ମଇଦାନରେ ଏଥି ପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି । ସମାବେଶରେ ଯେପରି ସବୁ ବୁଥ୍‌ର ପ୍ରତିନିଧିତ୍ୱ ରହିବ, ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଆସନ୍ତାକାଲି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଭୁବନେଶ୍ୱର ଆସି ଏହି ପ୍ରସ୍ତୁତିର ତଦାରଖ କରିବେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଆସି ପ୍ରସ୍ତୁତିର ସମୀକ୍ଷା କରିବେ। ଏହି ସମାବେଶ ବାଦ୍‌ ଶ୍ରୀ ଶାହଙ୍କର ୨୦ରୁ ଅଧିକ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ବାହାରେ ମଧ୍ୟ ବିଭିନ୍ନ କାର୍ୟ୍ୟକ୍ରମରେ ସେ ଯୋଗ ଦେବେ। ଗତ ଜୁଲାଇ ମାସରେ ଶ୍ରୀ ଶାହ ଓଡ଼ିଶା ଆସିଥିଲେ। ତିନି ଦିନ ଧରି ବିଭିନ୍ନ ଜିଲ୍ଲାକୁ ଯାଇ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ତେବେ ସେହି ସମୟରେ କୌଣସି ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯାଇ ନ ଥିଲା।

ଦୁଇ ମାସ ବ୍ୟବଧାନ ପରେ ଶ୍ରୀ ଶାହ ପୁଣି ଓଡ଼ିଶା ଆସୁଥିବାରୁ ଏହି ଗସ୍ତକୁ ରାଜନୈତିକ ମହଲରେ ଗୁରୁତ୍ୱ ଦିଆଯାଉଛି। ଏହି ଦୁଇ ମାସ ମଧ୍ୟରେ ବିଜେଡି-ବିଜେପିର ସମ୍ପର୍କ ବଢ଼ୁଥିବା ନେଇ ଅନେକ ଆଲୋଚନା ବିଭିନ୍ନ ଗଣମାଧ୍ୟମରେ ହୋଇସାରିଲାଣି । ବିହାର ଘଟଣା ପରେ ବିଜେଡି ଓ ବିଜେପି ନିକଟତର ହେଉଛନ୍ତି ବୋଲି ଓଡ଼ିଶା ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି । ରାଷ୍ଟ୍ରପତି ନିର୍ବାଚନ ଠାରୁ ଆରମ୍ଭ କରି ନବୀନ-ଧର୍ମେନ୍ଦ୍ର ଭେଟ ପର୍ୟ୍ୟନ୍ତ ଘଟଣା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି। ତେଣୁ ଏହି ସ୍ଥିତିରେ ପ୍ରସ୍ତାବିତ କାର୍ଯ୍ୟକର୍ତ୍ତା ସମାବେଶରେ ଅମିତ ଶାହଙ୍କ ଉଦ୍‌ବୋଧନ ଉପରେ ସମସ୍ତଙ୍କ ନଜର ରହିବ । ବିଶେଷ କରି ରାଜ୍ୟ ସରକାର ଓ ନବୀନ ପଟ୍ଟନାୟକଙ୍କ ଦୁର୍ବଳତାକୁ ଦେଖାଇ ବର୍ଷିବେ ନା ମାପିଚୁପି ଗାଳିଦେବେ, ସେ ନେଇ ଆଲୋଚନା ଆରମ୍ଭ ହୋଇଗଲାଣି ।