ଖଣ୍ଡପଡାରେ କନକ ନ୍ୟୁଜର ପ୍ରତିନିଧି ସତ୍ୟଜିତ ମହାପାତ୍ରଙ୍କୁ ଆକ୍ରମଣ ପ୍ରତିବାଦ ! ଆମ ଓଡିଶା ପକ୍ଷରୁ ଗଣ ସତ୍ୟାଗ୍ରହ

37

କନକ ବ୍ୟୁରୋ : ବିଧାୟକଙ୍କ ଛତ୍ରଛାୟ ତଳେ ଚାଲିଛି ଖଣ୍ଡପଡାରେ ଦୁର୍ନୀତି । ଦୁର୍ନୀତି ବିରୋଧରେ ଖବର କଲେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ପଛାଉନାହାନ୍ତି ଦୁର୍ନୀତିଗ୍ରସ୍ତ ଠିକାଦାର । ଆଉ ଏଥିରେ ପୁଲିସ ଓ ପ୍ରଶାସନ ସାମିଲ ଥିବା ଅଭିଯୋଗ କରିଛି ଆମ ଓଡିଶା । ଖଣ୍ଡପଡାରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଆମ ଓଡିଶା । ନ୍ୟାୟ ଦାବିରେ ଥାନା ଘେରିଲେ ଶତାଧିକ ଆନ୍ଦୋଳନକାରୀ ।

ନୟାଗଡ ଜିଲ୍ଲା ଖଣ୍ଡପଡାରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦ । ନ୍ୟାୟ ଦାବିରେ ଆମ ଓଡିଶା ପକ୍ଷରୁ ଗଣ ସତ୍ୟାଗ୍ରହ । ଘଟଣାରେ ପୁଲିସର ନିଷ୍କିୟତା ପ୍ରତିବାଦରେ ଖଣ୍ଡପଡା ଥାନା ଘେରିଲେ ହଜାର ହଜାର ଆମ ଓଡିଶା ସମର୍ଥକ । ଶତାଧିକ କର୍ମୀ ରାଲିରେ ଆସି ପ୍ରଶାସନ ଓ ପୁଲିସ ବିରୋଧରେ ନାରାବାଜି କରିବା ସହ ଥାନା ଆଗରେ ଧାରଣାରେ ବସିଥିଲେ । ଏଥିରେ ସାମିଲ ହୋଇ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ସ୍ଥାନୀୟ ବିଧାୟକଙ୍କ ଛତ୍ରଛାୟାରେ ଗୁଣ୍ଡାଗର୍ଦ୍ଦି ଚାଲିଛି ।

ଗତ ୧୦ ତାରିଖରେ କନକ ନ୍ୟୁଜ ପ୍ରତିନିଧି ସତ୍ୟଜିତ ମହାପାତ୍ର ଖଣ୍ଡପଡାର ଏକ ବିବାଦୟୀ ଜାଗାରେ କମ୍ୟୁନିଟି ହଲ ତିଆରି ହେଉଥିବା ଖବର ସଂଗ୍ରହ କରିବାକୁ ଯାଇଥିଲେ । ସେହି ସମୟରେ କାର୍ୟ୍ୟାଦେଶ ପାଇଥିବା ଠିକାଦାର ଆଶୁତୋଷ ବେହେରା ତାଙ୍କୁ ଆକ୍ରମଣ କରିଥିଲେ । ସତ୍ୟଜିତଙ୍କୁ ମାଡ ମାରିବା ସହ ମୋବାଇଲ ଛଡାଇ ଫଟୋ ଡିଲିଟ କରିଦେଇଥିଲେ ସମ୍ପୃକ୍ତ ଠିକାଦାର । ଏନେଇ ସତ୍ୟଜିତ ଖଣ୍ଡପଡା ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଏଯାଏଁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ପୋଲିସ ନିଷ୍କିୟତା ପ୍ରତିବାଦରେ ଆମ ଓଡିଶା ଗଣ ସତ୍ୟାଗ୍ରହ କରିଛି ।