ଘନଉଛି ଅଲୱାର ଲିଂଚିଙ୍ଗ ବିବାଦ : ବଢୁଛି ରାଜନୈତିକ ବୟାନବାଜି, ସଂସଦରେ ହଙ୍ଗାମା

37

କନକ ବ୍ୟୁରୋ : ଘନଉଛି ଅଲୱାର ଲିଂଚିଙ୍ଗ ବିବାଦ । ଆଜି ସଂସଦରେ ଏହି ବିବାଦ ନେଇ ହଙ୍ଗାମା କରିଛନ୍ତି ସାଂସଦ । ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ବିଚାର କରିବା ପାଇଁ ଦାବି କରିଛନ୍ତି । ତୃଣମୂଳ କଂଗ୍ରେସର ସାଂସଦମାନେ ସଂସଦ ବାହାରେ ପ୍ରତିବାଦ ଜଣାଇଛନ୍ତି । ସେପଟେ ସାମ୍ନାକୁ ଆସିଛି ମୃତକ ରକବର ଖାନର ଶେଷ ଫଟୋ । ଯେତେବେଳେ ରକବରକୁ ଆକ୍ରମଣ ହୋଇଥିଲା ସେତେବେଳେ ପୁଲିସ ଗାଡିରେ ରକବର ବସିଥିବାର ଦେଖିବାକୁ ମିଳିଛି । ଗତକାଲି ଅଭିଯୋଗ ହୋଇଥିଲା ଯେ ରକବରକୁ ବିଳମ୍ବରେ ହସ୍ପିଟାଲକୁ ନିଆଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଁଚି ପ୍ରଥମେ ଗାଈଗୁଡିକୁ ଗୋଶାଳା ପଠାଇଥିଲା । ହୁଏତ ରକବରକୁ ପ୍ରଥମେ ହସ୍ପିଟାଲ ନିଆଯାଇଥିଲା ତାର ଜୀବନ ବଂଚିଯାଇଥାନ୍ତା ବୋଲି ତାଙ୍କ ପରିବାର ଲୋକେ କହିଥିଲେ ।

ତେବେ ଆଜି ରକବରର ଫଟୋ ସାମ୍ନାକୁ ଆସିବା ପରେ ଏନେଇ ଅନୁମାନ କରାଯାଉଛି । ହୁଏତ ସଙ୍ଗେ ସଙ୍ଗେ ରକବରକୁ ହସ୍ପିଟାଲ ନିଆଯାଇଥିଲେ ସେ ବଂଚିଯାଇପାରିଥାନ୍ତେ । ସେପଟେ ଏହି ଘଟଣାକୁ ନେଇ ରଜନୈତିକ ବୟ୍ରାନବାଜି ବଢୁଛି । କଂଗ୍ରେସ ଓ ବିଜେପି ପରସ୍ପରକୁ ଦୋଷ ଲଦାଲଦି ହେଉଛନ୍ତି । ସେପଟେ ସାମ୍ନାକୁ ଆସିଛି ସାଂଘାତିକ ସତ । ରକବରକୁ ଆକ୍ରମଣ କରୁଥିବାବେଳେ ଅଭିଯୁକ୍ତ ମାନେ କହୁଥିଲେ ଆମ ସହ ବିଧାୟକ ଅଛନ୍ତି, ଆମର କେହି କିଛି କରିପାରିବେ ନାହିଁ । ୟାକୁ ଜିଅଁନ୍ତା ଜାଳିଦଅ । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୪ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସେପଟେ ଏହି ଘଟଣାକୁ ନେଇ ଯେତିକି ବିବାଦ ବଢୁଛି ସେତିକି ବିରୋଧ ମଧ୍ୟ ତେଜିବାର ଲାଗିଛି । ଅଲୱାରରେ ମୁସଲିମ ସଙ୍ଗଠନ ପକ୍ଷରୁ ଆଜି ବିରୋଧ ପ୍ରଦର୍ଶନ କରାଯାଇଛି । ବିକ୍ଷୋକାରୀମାନେ ବିଜେପି ସରକାର ଓ ମୋଦି ସରକାରଙ୍କୁ ସେମାନେ ଦାୟୀ କରିଛନ୍ତି । କହିଛନ୍ତି ଯେବେଠୁ ଦେଶରେ ମୋଦି ସରକାର ଆସିଛନ୍ତି ସେବେଠୁ ଦେଶର ଭାଇଚାରା ବିପଦରେ । ତେଣୁ ରକବରକୁ ହତ୍ୟା କରିଥିବା ଅଭିଯୁକ୍ତ ଓ ଦୋଷୀ ପୁଲିସ ଅଧିକାରୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିକ୍ଷୋଭକାରୀ ଦାବି କରିଛନ୍ତି ।
ଆରଏସଏସ ନେତାଙ୍କ ବଡ ବୟାନ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନେତା ଇନ୍ଦ୍ରେଶ କୁମାର କହିଛନ୍ତି ଦେଶରେ ଯଦି ଲୋକେ ଗୋମାଂସ ଖାଇବା ବନ୍ଦ କରିଦିଅନ୍ତି ତାହଲେ ଲିଂଚିଙ୍ଗ ଘଟଣା ବନ୍ଦ ହୋଇଯିବ । ରାଜସ୍ଥାନ ଅଲୱାରରେ ରକବାର ଖାନକୁ ପିଟି ପିଟି ହତ୍ୟା କରାଯିବା ଘଟଣା ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଇନ୍ଦ୍ରେଶ କୁମାର ।ସେ ଏହା ମଧ୍ୟ କହିଛନ୍ତି ଇସଲାମରୁ ଆରମ୍ଭ କରି ଇସାଇ ଧର୍ମ ମଧ୍ୟରେ ଗୋହତ୍ୟାର ସ୍ଥାନ ନାହିଁ ।ସେହିପରି ବିଜେପି ନେତା ବିନୟ କଟିୟାର ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି । କହିଛନ୍ତି ମୁସଲମାନ ଗାଈକୁ ଛୁଇଁବା ଆଗରୁ ଶହେ ଥର ଭାବିବା ଉଚିତ । ଏହା ଦେଶର ଶହେ କୋଟି ଲୋକଙ୍କ ଭାବନା ସହ ଜଡିତ ।