ସିବିଆଇ ମୁଖିଆ ପଦରୁ ହଟିବା ପରେ ଆଲୋକବର୍ମାଙ୍କ ପ୍ରତିକ୍ରିୟା: କହିଲେ, ନିଷତ୍ତି ଦୁଃଖଦାୟକ, ମିଥ୍ୟା ଅଭିଯୋଗରେ କରାଗଲା ବିଦା

ଆଜି ସୁପ୍ରିମକୋର୍ଟରେ ରାକେଶ ଆସ୍ଥାନା ମାମଲାରେ ଶୁଣାଣି

227

କନକ ବ୍ୟୁରୋ: ନାଟକୀୟ ଭାବେ ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଯିବା ପରେ ସେ ମୁହଁ ଖୋଲିଛନ୍ତି । ଏହି ଘଟଣାକୁ ଦୁଃଖଦାୟକ କହିବା ସହ ତାଙ୍କୁ ଶତ୍ରୁ ଭାବେ ଦେଖୁଥିବା ଜଣେ ବ୍ୟକ୍ତିଙ୍କ ମିଥ୍ୟା, ନିରାଧାର ଓ ତୁଛ ଅଭିଯୋଗ ଆଧାରରେ ତାଙ୍କୁ ପଦରୁ ହଟାଇ ଅନ୍ୟତ୍ର ନିଯୁକ୍ତି ଦିଆ ଯାଇଛି ବୋଲି ସେ କହିଛନ୍ତିି । ତେବେ ସେ ତାଙ୍କ କାର୍ଯ୍ୟକାଳରେ ସିବିଆଇର ସ୍ୱତନ୍ତ୍ରତା ବଜାୟ ରଖିବାକୁ ବାରମ୍ବାର ଚେଷ୍ଟା କରିଥିବା ପ୍ରକାଶ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ପରେ ପୁଣି ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବାର ମାତ୍ର ୩୦ଘଂଟା ଭିତରେ ଆଲୋକ ବର୍ମାଙ୍କୁ ପଦରୁ ହଟାଇ ଅଗ୍ନିଶମ ବିଭାଗର ଡିଜି ଭାବେ ସ୍ଥାପିତ କରାଯାଇଛି । ମାତ୍ର ଦୁଇ ଦିନ ପୂର୍ବରୁ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ପୁନଃ ଅବସ୍ଥାପିତ କରିଥିଲେ ସୁପ୍ରିମକୋର୍ଟ, ହେଲେ ଗତକାଲି ପଦରୁ ତାଙ୍କୁ ବିଦା କରାଯାଇଛି । ଆଲୋକ ବର୍ମାଙ୍କୁ ଏବେ ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ-କ୍ଷମତା ସଂପନ୍ନ ସିଲେକ୍ଟ କମିଟି ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା କରିଦେଇଛି ।

suprime court

ତିନି ଜଣିଆ ସିଲେକ୍ଟ କମିଟିରେ, ଆଲୋକ ବର୍ମାଙ୍କ ପଦରୁ ହଟାଇବା ପାଇଁ ୨ଜଣଙ୍କ ମତ ଆଧାରରେ ପଦରୁ ହଟା ଯାଇଛି । ଏଥିରେ ୨-୧ ରେ ଆଲୋକ ବର୍ମାଙ୍କୁ ପଦରୁ ହଟାଇବା ଲାଗି ନିଷ୍ପତି ନିଆଯାଇଥିଲା । ସିଭିସି ରିପୋର୍ଟ ଆଧାରରେ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି । ଆଲୋକ ବର୍ମାଙ୍କୁ ହଟାଇବା ନିଷ୍ପତିକୁ ସିଲେକ୍ଟ କମିଟି ବୈଠକରେ ବିରୋଧ କରିଥିଲେ ମଲିକାର୍ଜୁନ ଖଡଗେ । କଂଗ୍ରେସ ଏପରି ନିଷ୍ପତିକୁ କଡ଼ା ସମାଲୋଚନା କରିଛି । ପିଏମଓ ନିର୍ଦ୍ଦେଶରେ ସିଭିସି କାର୍ଯ୍ୟ କରୁଛି ବୋଲି ଦଳ ଅଭିଯୋଗ କରିଛି ।