ରାତିକ ପାଇଁ ସିବିଆଇ ମୁଖ୍ୟ ! କାଲି ଦାୟିତ୍ୱ ନେଇଥିଲେ ଆଲୋକ, ଆଜି ପଦରୁ ବିଦା କଲା ସିଲେକ୍ଟ କମିଟି

1,120

କନକ ବ୍ୟୁରୋ : ସିବିଆଇ ମୁଖ୍ୟ ପଦରୁ ବିଦା ହେଲେ ଆଲୋକ ବର୍ମା । ସିଲେକ୍ଟ କମିଟିର ବୈଠକ ପରେ ଆଲୋକ ବର୍ମାଙ୍କୁ ସିବିଆଇ ପଦରୁ ହଟାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜନେ ଖଡଗେ ଓ ସୁପ୍ରିମକୋର୍ଟ ବିଚାରପତି ଅର୍ଜନ କୁମାର ସିକରିଙ୍କ ମଧ୍ୟରେ ବୈଠକ ହୋଇଥିଲା । ବୈଠକ ଶେଷ ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ତେବେ ବୈଠକରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନେ ଖଡଗେ କିଛି କଥାକୁ ଆପତ୍ତି ଉଠାଇଥିବା ସୂଚନା ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ପରେ ଆଲୋକ ବର୍ମାଙ୍କୁ ସିବିଆଇ ମୁଖ୍ୟ ପଦରୁ ହଟାଯାଇଛି । ସିବିଆଇ ମୁଖ୍ୟ ପଦରୁ ବିଦା କରି ତାଙ୍କୁ ଅଗ୍ନିଶମ ବିଭାଗ ଡିଜି ପଦରେ ଅବସ୍ଥ୍ାପିତ କରାଯାଇଛି । ଆଲୋକ ବର୍ମାଙ୍କୁ ପଦରୁ ବିଦା କରିବାକୁ ଭୋଟିଂ ହୋଇଥିଲା । ଯେଉଁଥିରେ ସିଲେକ୍ଟ କମିଟି ୨-୧ ଭୋଟରେ ଆଲୋକ ବର୍ମାଙ୍କୁ ହଟାଇଥିଲେ । ଆଲୋକ ବର୍ମାଙ୍କୁ କେନ୍ଦ୍ରସରକାର ରାତି ଅଧିଆ ଛୁଟିରେ ପଠାଇଦେବାକୁ ସର୍ବୋଚ୍ଚ ଅଦାଲତ ଭୁଲ ବୋଲି କହିଥିଲେ । ତେବେ ଗତକାଲି ଆଲୋକ ସିବିଆଇ ମୁଖ୍ୟ ଭାବେ ଦାୟିତ୍ୱ ନେଇଥିବା ବେଳେ ଆଜି ତାଙ୍କୁ ପଦରୁ ବିଦା ହେବାକୁ ପଡିଛି ।

ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନଙ୍କ ଭିତରେ ଲଢେଇରୁ ଆରମ୍ଭ ହୋଇଥିଲା ଏହି ପୁରା ବିବାଦ । ଦୁହେଁ ପରସ୍ପର ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିବାପରେ ଅକ୍ଟୋବର ୨୩ତାରିଖରୁ ଦୁହିଁଙ୍କୁ ଛୁଟିରେ ପଠାଇ ଦେଇଥିଲେ କେନ୍ଦ୍ର ସରକାର । ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଆଲୋକ ବର୍ମା ।