ରାଜ୍ୟ ସରକାରଙ୍କ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୧୩୨୫ କୋଟିର ୩ ପ୍ରକଳ୍ପ ମଞ୍ଜୁର

29

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ୧୩୨୫ କୋଟି ଟଙ୍କାର ୩ଟି ନୂଆ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦିଆଯାଇଛି । ସିମେଣ୍ଟ କମ୍ପାନି ଚେଟିନାଡ୍ ସିମେଣ୍ଟ କର୍ପୋରେସନ ଦ୍ୱାରା କଳିଙ୍ଗ ନଗରଠାରେ ସ୍ଥାପନ ହେବାକୁ ଥିବା କାରଖାନାକୁ ମଞ୍ଜୁରି ଦିଆଯାଇଛି । ଏହି କାରଖାନାର ବାର୍ଷିକ ସିମେଣ୍ଟ ଉତ୍ପାଦନ କ୍ଷମତା ୨ ନିୟୁତ ଟନ୍ ଏବଂ ଏଥିରେ ୨୩୨ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । କାରଖାନାରେ ମୋଟ ୩୮୫ ଜଣ ଲୋକ ନିଯୁକ୍ତି ପାଇବେ । ଏଥିସହିତ ମିନିରତ୍ନ ମାନ୍ୟତାପ୍ରାପ୍ତ ନର୍ଥ ଇଷ୍ଟର୍ଣ୍ଣ ଇଲେକଟ୍ରିକ୍ ପାଓ୍ଵାର କର୍ପୋରେସନ (ନିପକୋ)ର ୨୦୦ ମେଗାଓ୍ଵାଟ ସୌର ଶକ୍ତି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ।

ଏଥିରେ ପ୍ରାୟ ୯୪୫ କୋଟି ଟଙ୍କା ନିବେଶ ହେବ ଏବଂ ୨୦୫ ଜଣ ନିଯୁକ୍ତି ପାଇବେ । ରାମକେ ଏନଭାଇରୋ ଇଞ୍ଜିନିୟର ଲିଃ ଦ୍ୱାରା ଝାରସୁଗୁଡ଼ାରେ ଏକ ଶିଳ୍ପ ବର୍ଜ୍ୟ ପ୍ରକ୍ରିୟାକରଣ, ଷ୍ଟୋରେଜ୍ ଓ ଡିସପୋଜାଲ ପ୍ଲାଣ୍ଟ ପ୍ରତିଷ୍ଠା ପ୍ରସ୍ତାବକୁ ମଧ୍ୟ ବୈଠକରେ ଅନୁମୋଦନ ଦିଆଯାଇଛି । ଏଥିରେ ମୋଟ ୧୪୯ କୋଟି ଟଙ୍କା ବିନିଯୋଗ ହେବ । ୭୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସୂଚନାଯୋଗ୍ୟ ଏହି କମ୍ପାନି ପକ୍ଷରୁ ଯାଜପୁରଠାରେ ପ୍ରତିଷ୍ଠା କରାଯାଇଥିବା ଅନୁରୂପ ପ୍ଲାଣ୍ଟ ଏବେ କାର୍ଯ୍ୟକ୍ଷମ ରହିଛି ।
ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିବେଶ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁରି ଦିଆଯାଇଛି । ବୈଠକରେ ନୂଆ ପ୍ରକଳ୍ପ ଗୁଡ଼ିକର ଅନୁମୋଦନ କରିବା ସହିତ ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଓ କାର୍ଯ୍ୟାନ୍ଵୟନ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।

ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସଫଳ ରୂପାୟନ ନିମନ୍ତେ କ୍ଷେତ୍ର ସ୍ତରରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ମୁଖ୍ୟ ସଚିବ ସମସ୍ତ ବିଭାଗ ଓ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦେଶ ଦେଇଥିଲେ । ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟତଃ ଜବରଦଖଲ ଉଚ୍ଛେଦ, ଜମି ଅଧିଗ୍ରହଣ, ବିଭିନ୍ନ ପ୍ରକାର ଅନୁମତି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।