ତଲାକ୍.ତଲାକ୍..ତଲାକ୍…! ପିଡ଼ିପିକୁ ତଲାକ୍ ଦେଲା ବିଜେପି, ଜମ୍ମୁ-କାଶ୍ମୀରରେ ଭାଙ୍ଗିଗଲା ମେଣ୍ଟ ସରକାର

39

କନକ ବ୍ୟୁରୋ : ଜାତୀୟ ରାଜନୀତିରେ ଝଡ ସୃଷ୍ଟି କରିଛି ଜାମ୍ମୁ-କାଶ୍ମୀରର ଗୋଳମାଳିଆ ରାଜନୀତି । ପିଡିପି ସହ ଥିବା ଦୀର୍ଘ ୩ ବର୍ଷର ସଂପର୍କକୁ ଛିନ୍ନ କରିଛି ଭାରତୀୟ ଜନତା ପାର୍ଟି । ଫଳରେ ଜାମ୍ମୁ-କାଶ୍ମୀରରେ ଭାଙ୍ଗି ଯାଇଛି ପିଡିପି-ବିଜେପି ମେଂଟ । ଆଉ ମେଂଟ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମେହେବୁବା ମୁଫତି । ରାଜ୍ୟରେ ବଢ଼ୁଥିବା ଆତଙ୍କବାଦୀ ଏବଂ ବିଚ୍ଛିନତାବାଦୀ କାର୍ଯ୍ୟକଳାପକୁ ଭିତି କରି ମେଂଟରୁ ଓହରି ଯାଇଛି ବିଜେପି ।

ବିଜେପି ନେତା ରାମମାଧବଙ୍କ ଘୋଷଣାର ପରେ ପରେ ହିଁ ବିଧିବଦ୍ଧ ଭାବରେ ଭାଙ୍ଗି ଯାଇଛି ଜାମ୍ମୁ-କାଶ୍ମୀର ୩ବର୍ଷର ବିଜେପି-ପିଡିପି ମେଂଟ ସରକାର । ଆଉ ସଂଖ୍ୟା ନଥିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମେହେବୁବା ମୁଫତି । ଖଣ୍ଡିତ ଜନାଦେଶ ଭିତରେ ବିକାଶ ଓ ସୁଶାସନର ନାରା ଦେଇ ପରସ୍ପର ବିଚାରଧାରା ବିରୋଧୀ ଶକ୍ତି ହାତ ମିଳାଇଥିଲେ । ହେଲେ ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ ପୂର୍ବରୁ ହିଁ ଭାଙ୍ଗି ଯାଇଛି ସରକାର ।

ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ମେଂଟରୁ ଓହରିଯିବା ପାଇଁ ଚୁଡାନ୍ତ ନିଷ୍ପତି ହୋଇଥିଲା । ଆଉ ଏହା ପଛର କାରଣ ଥିଲା ।
– ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢୁଛି
– ବିଚ୍ଛିନତାବାଦୀଙ୍କ ଗତିବିଧି କ୍ରମାଗତ ଭାବରେ ବୃଦ୍ଧିପାଉଛି
– ଅଭିବ୍ୟକ୍ତିର ସ୍ୱାଧିନତା ସଂକଟ ଭିତରେ ଗତି କରୁଛି
– ଶାନ୍ତି ସ୍ଥାପନ ଓ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି

ପିଡିପି ହାତରେ ସରକାରର ମଙ୍ଗ ଥିବାରୁ ବିଜେପି ଚାହୁଁଥିଲେ ବି ନିର୍ଣ୍ଣାୟକ ନିଷ୍ପତି ନେବାରେ ବିଫଳ ହେଉଥିବା ବିଜେପି ଅଭିଯୋଗ କରିଛି ।ଏପଟେ କିନ୍ତୁ ବିଜେପିକୁ ପାଲଟା ଆକ୍ରମଣ କରିଛନ୍ତି ପିଡିପି ମୁଖ୍ୟ । ମେହେବୁବା ମୁଫତି କହିଛନ୍ତି- ଜମ୍ମୁ-କାଶ୍ମୀର ପ୍ରଭାବଶାଳୀଙ୍କ ଆଗରେ କେବେ ମୁଣ୍ଡ ନୁଆଇ ନାହିଁ । ବଡ କଥା ହେଉଛି- ବିଭିନ୍ନି ପ୍ରସଙ୍ଗ ନେଇ ମୋଦି ସରକାରଙ୍କ ଉପରେ ଚାପ ବଢୁଥିବା ବେଳେ ଜମ୍ମୁ-କାଶ୍ମୀର ନେଇ ବିଜେପି ବ୍ୟାକଫୁଟରେ ରହିବାକୁ ଚାହୁଁ ନାହିଁ । କାରଣ ଆଗକୁ ୨୦୧୯ ନିର୍ବାଚନ, ବିଜେପି ସରକାରଙ୍କୁ ହିସାବ ମାଗିବେ ଜନତା ।

ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ସଂଖ୍ୟା କୌଣସି ଦଳ ପାଖରେ ନଥିବାରୁ ଏବେ ବଡ ବିକଳ୍ପ ହେଉଛି- ଜାମ୍ମୁ-କାଶ୍ମୀରେ ରାଷ୍ଟ୍ରପତି ଶାସନ । କାରଣ ୨୦୧୪ ଫଳାଫଳ ଅନୁସାରେ ପିଡିପି ୨୮, ବିଜେପି ୨୫, ନ୍ୟାସନାଲ କନଫରେନ୍ସ ୧୫ ଏବଂ କଂଗ୍ରେସ ୧୨ଟି ଆସନ ପାଇଥିଲେ । ଆଉ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ୪୪ଟି ଆସନ । ଏପଟେ କାହା ସହ ମେଂଟ କରିବାକୁ ମନା କରିଦେଇଛନ୍ତି- ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା । ଏସବୁ ଭିତରେ କିନ୍ତୁ ଗୋଟିଏ କଥା ସ୍ପଷ୍ଟ କୌଣସି ଗୋଟିଏ କାରଣ ପାଇଁ ବି ବ୍ୟାକଫୁଟରେ ରହିବାକୁ ଚାହୁଁନି ଭାରତୀୟ ଜନତା ପାର୍ଟି ।