ମୁମ୍ବାଇ ୨୬/୧୧ ଆକ୍ରମଣକୁ ପୂରିଲା ୯ ବର୍ଷ ! ସହୀଦଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଲେ ମହାରାଷ୍ଟ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

16

କନକ ବ୍ୟୁରୋ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣଙ୍କୁ ୯ ବର୍ଷ ପୂରିଛି । ଆଜି ମୁମ୍ବାଇ ହମଲାରେ ସହିଦଙ୍କ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଜଂଳି ଜଣାଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ।

ଉଲ୍ଲେଖ ଥାଉ କି, ୨୦୦୮ ନଭେମ୍ବର ୨୬ ରାତି ପ୍ରାୟ ୧୦ଟାରେ ଆରମ୍ଭ ହୋଇଥିବା ଏହି ଆତଙ୍କବାଦୀ ହମଲାରେ ୧୬୬ ଜଣଙ୍କ ଜୀବନ ଯିବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ। ଦୀର୍ଘ ୪ ଦିନ ଧରି ମୁମ୍ବାଇର ପ୍ରମୁଖ ରେଳ ଷ୍ଟେସନ ସିଏମ୍ଟି, ତାଜ ଓ ଟ୍ରାଇଡେଣ୍ଟ ଆଦି ହୋଟେଲ ଏବଂ ଡାକ୍ତରଖାନା ସମେତ ରାସ୍ତାରେ ଯାଉଥିବା ଯାନବାହାନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପୁଲିସ୍ ସହ ମୁହାଁମୁହିଁ ହୋଇ ମୋଟ ୧୦ ଜଣରୁ ୯ଜଣ ଆତଙ୍କବାଦୀ ନିହତ ହେଲେ। ଜୀବନ୍ତ ଧରାପଡ଼ିଥିବା ମୁଖ୍ୟ ଆସାମୀ ଅଜମଲ କସାବକୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଗଲା।

ମୁମ୍ବାଇର ସୁରକ୍ଷା କେବଳ ପୁଲିସ ନେଇ ପାରିବନି ବୋଲି ଏନଏସଜି କମାଣ୍ଡୋଙ୍କୁ ଅତିରିକ୍ତ ସୁରକ୍ଷା ପାୟିତ୍ୱ ଦେବାକୁ ଘଟଣାର ତଦନ୍ତ କମିଟି ସୁପାରିସ କଲେ । ସମଗ୍ର ସହରକୁ ସିସିଟିଭି କ୍ୟାମେରାରେ ଆଚ୍ଛାଦିତ ହେଲା । ଅପରପକ୍ଷେ, ତଟୀୟ ସୁରକ୍ଷା ପାଇଁ ନିୟୋଜିତ ଶହଶହ ହାଇସ୍ପିଡ୍ ବୋଟ୍ ଏବେ ଅଚଳ । ନିୟମିତ ପାଟ୍ରୋଲିଂ ପାଇଁ ସେଗୁଡ଼ିକରେ ଇନ୍ଧନ ମଧ୍ୟ ରହୁନାହିଁ । ସେହିପରି ଅଗାମୀ ଦିନରେ ଆକାଣ ମାର୍ଗରୁ ହିଁ ୨୬/୧୧ର ପୁନରାବୃତ୍ତି ଆଶଙ୍କା ଥିବା ୪ବର୍ଷ ତଳେ ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଥିଲା । ମାତ୍ର ଏଯାଏ କୌଣସି ପ୍ରତିକାର ନାହିଁ । ଫଳରେ ଏବେ ସୁଦ୍ଧା ମୁମ୍ବାଇବାସୀ ଆତଙ୍କିତ ଜୀବନ ଯାପନ କରୁଛନ୍ତି ।