ଭିଡିଓ ଜାରି କରି ସଫେଇ ରଖିଲେ ପିଏନବି ସ୍କାମର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି : କହିଲେ, ସମସ୍ତ ଅଭିଯୋଗ ମିଥ୍ୟା,ବେଆଇନ ଭାବେ ଇଡି ଜବତ କରିଛି ସମ୍ପତି

27

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି । ଏକ ଭିଡିଓ ଜାରି କରି ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମେହୁଲ । ଏହାସହ ବେଆଇନ ଭାବେ ଇଡି ତାଙ୍କର ସମସ୍ତ ସମ୍ପତି ଜବତ କରିଥିବା ସେ ଅଭିଯୋଗ କରିଛନ୍ତି । ଆତ୍ମସମର୍ପଣ କରି ଭାରତ ଫେରିବା ଖବରକୁ ମଧ୍ୟ ଚୋକସି ଖଣ୍ଡନ କରିଛନ୍ତି । ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ମେହୁଲ ଚୋକସି କହିଛନ୍ତି ।

ମୁମ୍ବାଇ ପଂଜାବ ନ୍ୟାସନାଲ ବ୍ୟାଙ୍କର ଏକ ବ୍ରାଂଚରୁ ୧୧ହଜାର ୨୩୬କୋଟି ଟଙ୍କାର ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନୀରବ ମୋଦି ଓ ତାଙ୍କ ମାମୁଁ ମେହୁୂଲ ଚୋକସି । ଏହି ମାମଲା ପଦାରେ ପଡିବା ପରେ ଉଭୟ ପଳାତକ ସାଜିଛନ୍ତି । ନୀରବ ମୋଦିଙ୍କ ନାଁରେ ପୂର୍ବରୁ ଇଂଟରପୋଲ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ଏବେ ମେହୁଲ ଚୋକସିଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ପାଇଁ ପ୍ରକ୍ରିୟା ଚାଲିଛି ।

ଆଂଟିଗୁଆ ସରକାରଙ୍କ ପକ୍ଷରୁ ମେହୁଲ ଚୋକସିଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଇଛି । ତାଙ୍କୁ ସେଠାରେ ଗିରଫ କରାଯାଇ ଭାରତ ଆଣିବାକୁ ଆଂଟିଗୁଆ ସରକାରଙ୍କୁ ନିବେଦନ କରିଛନ୍ତି ଭାରତ ସରକାର । ଅପରପକ୍ଷରେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ନୀରବ ମୋଦି ଓ ମେହୁଲ ଚୋକସିଙ୍କୁ ଦେଶରୁ ପଳାୟନ କରିବାରେ ମୋଦି ସରକାର ସହଯୋଗ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା ।

ପିଏନବି ସ୍କାମରେ ନୀରବ ମୋଦି ଓ ମେହୁଲ ଚୋକସିଙ୍କ ସତ ସାମ୍ନାକୁ ଆସିବା ପରେ ଦୁହେଁ ଦେଶରୁ ଫେରାର ଅଛନ୍ତି । ମେହୁଲ ଚୋକସିଙ୍କୁ ହାଜର ହେବା ପାଇଁ ବାରମ୍ବାର ଭାରତୀୟ ଯାଂଚ ଏଜେନ୍ସି ଦ୍ୱାରା ନୋଟିସ ପଠାଯାଇଥିଲେ ସୁଦ୍ଧା ସେ ହାଜର ହୋଇନାହାନ୍ତି ।