ଓଏଏସ୍ ପରୀକ୍ଷାର୍ଥୀଙ୍କ ଭାଗ୍ୟକୁ ନେଇ ସାଂଘାତିକ ଖେଳ । ନମ୍ବର କମାଇ ଦେବାରୁ ଅଯୋଗ୍ୟ ବିବେଚିତ ହେଲେ ଭଦ୍ରକର ପରୀକ୍ଷାର୍ଥୀ, ମୂଲ୍ୟାଙ୍କନରେ ମୁଖ୍ୟ ପରୀକ୍ଷକଙ୍କ ହସ୍ତକ୍ଷେପ ନେଇ ଆସିଲା ସାଂଘାତିକ୍ ଅଭିଯୋଗ

909

କନକ ବ୍ୟୁରୋ : ଓଏଏସ୍ ପାଇବାକୁ ଥିବା ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହ ଖେଳ । ପ୍ରଥମେ ୧୧୭ ନମ୍ବର ପାଇଥିବା ପରୀକ୍ଷାର୍ଥୀଙ୍କ ୁ ନମ୍ବରକୁ ମୁଖ୍ୟ ପରୀକ୍ଷକ ୫୦କୁ କମାଇଦେଲେ । କିଛି ପ୍ରାର୍ଥୀଙ୍କୁ ମୌଖିକ ପରୀକ୍ଷାରେ ୨୫୦ରୁ ୨୫୦ ବି ମିଳିଗଲା । ହେଲେ ଏଭଳି ଅନ୍ୟାୟର ଶିକାର ହୋଇଥିବା ଯୁବକଙ୍କୁ ମୌଖିକ ପରୀକ୍ଷାରେ ମାତ୍ର ୧୦୦ ମିଳିଲା । ଏମିତି କିଛି ପ୍ରମାଣ ଆମର ହସ୍ତଗତ ହେବା ପରେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ବା ଓଡ଼ିଶା ଲୋକସେବା ଆୟୋଗର ପରିଚାଳନା ନେଇ ବଡ଼ ଧରଣର ସନ୍ଦେହ ସୃଷ୍ଟି ହୋଇଛି । ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି ସାଧାରଣ ପିଲାଙ୍କ ଜୀବନ ସହ ଖେଳ ଖେଳୁନାହିଁ ତ?

ରଜତ କୁମାର ମିଶ୍ର । ଭଦ୍ରକ ଧାମନଗର ବ୍ଲକ୍ ଗୁରୁନଗର ଶାସନ ଗାଁର ଶିକ୍ଷିତ ଯୁବକ । ଏକ ସାଧାରଣ ପରିିବାରରୁ ଆସିଥିବା ରଜତ ୨୦୧୬ ମସିହାରେ ଓଏଏସ୍ ଲଖିତ ପରୀକ୍ଷା ଦେଇଥିଲେ । ୨୦୧୭ରେ ପରୀକ୍ଷା ଫଳ ବାହାରିଲା । ପରୀକ୍ଷାରେ ମୋଟ ୨୨୫୦ ମାର୍କରୁ ଇଂରାଜୀ ପ୍ରବନ୍ଧ ପାଇଁ ଥିଲା ୨୦୦ ମାର୍କ । ଇଂରାଜୀ ପ୍ରବନ୍ଧ ବିଷୟରେ ୨୦୦ ମାର୍କରୁ ତାଙ୍କୁ ପ୍ରଥମ ପରୀକ୍ଷକ ୧୧୭ ମାର୍କ ଦେଇଥିବା ବେଳେ, ମୁଖ୍ୟ ପରୀକ୍ଷକ ଏହାକୁ କାଟି ୫୦ କରିଦେଲେ । ଏକଥା ଜାଣିବା ପାଇଁ ତାଙ୍କୁ ୧ ବର୍ଷ ଲାଗିଗଲା । କାରଣ ପରୀକ୍ଷା ଫଳ ବାହାରିବାର ୧ ମାସ ମଧ୍ୟରେ ସେ ଖାତାର ନକଲ ବା ଫଟୋକପି ପାଇବା ପାଇଁ ଆବେଦନ କରିିଥିଲେ ସୁଦ୍ଧା ବର୍ଷକ ପରେ ତାଙ୍କୁ ମିଳିଥିଲା ତାଙ୍କର ଉତ୍ତର ଖାତା ।

ପ୍ରଶ୍ନ ଉଠୁଛି, ଜଣେ ପରୀକ୍ଷକ ଏଭଳି ଇଂରାଜୀ ପ୍ରବନ୍ଧ ଖାତା ଦେଖି ୨୦୦ରୁ ୧୧୭ ଦେଇଥିବା ବେଳେ ମୁଖ୍ୟ ପରୀକ୍ଷକ ଏହାକୁ ୫୦ କରିଦେବା କେତେ ଯୁକ୍ତିଯୁକ୍ତ? ଜଣେ ପରୀକ୍ଷକ ଓ ମୁଖ୍ୟ ପରୀକ୍ଷକଙ୍କ ଭିତରେ ଯଦି ବି ମାର୍କ ନେଇ ମତପାର୍ଥକ୍ୟ ରୁହେ, ତେବେ ସେଥିରେ ଏତେ ପ୍ରଭେଦ ଆସିପାରିବ କି? ରଜତଙ୍କୁ ମୌଖିକ ପରୀକ୍ଷାରେ ୨୫୦ରୁ ମାତ୍ର ୧୦୦ ମାର୍କ ମିଳିଛି । ଓପିଏସ୍ସି ସାଧାରଣ ପ୍ରଶାସନ ବିଭାଗ ଓ ରଜତଙ୍କୁ ଦେଇଥିବା ଉତରରେ ଦର୍ଶାଇଛି ଯେ ରଜତଙ୍କ ଭଳି ସାଧାରଣ ବର୍ଗରେ ପରୀକ୍ଷା ଦେଇଥିବା ପିଲାଙ୍କ ମଧ୍ୟରୁ ୧୧୪୫ ମାର୍କ ପର୍ଯ୍ୟନ୍ତ ନମ୍ବର ପାଇଥିବା ପିଲାଙ୍କୁ ଓଏଏସ୍ ଚାକିରି ମିଳିଛି । ରଜତଙ୍କର ମୋଟ ମାର୍କ ଥିଲା ୧୧୩୨ । ଅର୍ଥାତ୍ ଆଉ ୧୩ ମାର୍କ କମ୍ । ଆଉ ଏହି ୧୩ ମାର୍କ ଭିତରେ ୨୫ ପିଲା ଅଛନ୍ତି । ତେବେ ପ୍ରଶ୍ନ ଉଠୁଛି- ଯେଉଁଠି ମୌଖିକ ପରୀକ୍ଷାରେ କିଛି ପିଲା ୨୫୦ରୁ ୨୫୦ ମାର୍କ ପାଇଥିବା ଦେଖାଯାଉଛି, ସେଠି ରଜତଙ୍କୁ ୧୦୦ ମାର୍କ ମିଳିବା ପଛରେ କିଛି ଚକ୍ରାନ୍ତ ଓ ଦୁର୍ନୀତି ନାହିଁତ?