ପ୍ଲାଷ୍ଟିକ ଚାଉଳ ଓ ଅଣ୍ଡା ପରେ ବଜାରରେ ପ୍ଲାଷ୍ଟିକ ମିଠା ! କଟକର ଏକ ମିଠାଦୋକନାରେ ପ୍ଲାଷ୍ଟିକ ମିଠା ବିକ୍ରି ହେଉଥିବା ଅଭିଯୋଗ

61

କନକ ବ୍ୟୁରୋ : ପ୍ରଥମେ ଅଣ୍ଡା, ଚାଉଳ, ଚିନି, ଅଟା ପରେ ଏବେ ବଜାରରେ ପ୍ଲାଷ୍ଟିକ ମିଠା । କଟକକରୁ ଏପରି ଖବର ଆସିଛି । କଟକ ଚୌଧୂରୀବଜାର ନନ୍ଦୀସାହିରେ ଥିବା ଏକ ଷ୍ଟଲରେ ପ୍ଲାଷ୍ଟିକ ମିଠା ବିକ୍ରି ହେଉଛି ବୋଲି ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସିମଏସି ଫୁଡ଼ ଇନସ୍ପେକ୍ଟର ମୋଟ ଚାରୋଟି ଦୋକାନରେ ଚଢ଼ାଉ କରିଛନ୍ତି । ଜଣେ ଅଧିକାରୀଙ୍କ ଅନୁସାରେ ଗୋଟିଏ ନିର୍ଦ୍ଦିଷ୍ଟ ମିଠା ଦୋକାନରେ ପ୍ଲାଷ୍ଟିକ ମିଠା ବିକ୍ରି ହେଉଛି ବୋଲି ଅଭିଯୋଗ ଆସିଥିଲା । ତେବେ ଅଭିଯୋଗ ପରେ ରସଗୋଲାର ନମୂନା ପରୀକ୍ଷା ପାଇଁ ପଠାଯାଇଛି । ମିଠାର ନମୂନା ସଂଗ୍ରହ କରି ଭୁବଶ୍ୱେର ଥିବା ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପରୀକ୍ଷାଗାରକୁ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ ପୁରୀଘାଟ ଝୋଲାସାହି ଅଂଚଳର ଜଣେ ବ୍ୟକ୍ତି ନନ୍ଦସାହିର ଏକ ମିଠା ଦୋକନରୁ ମିଠା କିଣିଥିଲେ । ଆଉ ସେ କିଣିଥିବା ମିଠା ଗୁଡ଼ିକ ତାଙ୍କୁ ସ୍ପଞ୍ଜ ପରି ଲାଗିଲା ଓ ପୋଡ଼ିଲେ ପ୍ଲାଷ୍ଟିକ ପରି ଗନ୍ଧ ମଧ୍ୟ ହେଉଥିଲା । ତେବେ ସେଥିପାଇଁ ତାହା ପ୍ଲାଷ୍ଟିକ ମିଶା ବୋଲି ସେ ଅଭିଯୋଗ କରିଥିଲେ । ଆଉ ତାଙ୍କ ଅଭିଯୋଗ କ୍ରମେ ରସଗୋଲାର ନମୂନା ସଂଗ୍ରହ ହୋଇଛି ।

ତେବେ ଜଣେ ଫୁଡ଼ ଇନସ୍ପେକ୍ଟର କହିଛନ୍ତି, ମୋର ଅନୁଭବ ଅନୁସାରେ ଏହା ପ୍ଲାଷ୍ଟିକ ମିଠା ନୁହେଁ । ଫ୍ୟାଟର ମାତ୍ରା ଛେନାରେ କମ୍ ଥିଲେ ଆଉ ସେହି ଛେନାରେ ରସଗୋଲା ତିଆରି କରାଗଲେ ତାହା ପ୍ଲାଷ୍ଟିକ ପରେ ଲାଗେ । କିନ୍ତୁ ଓଡ଼଼ିଶାରେ ତିଆରି ହେଉଥିବା ରସଗୋଲାରେ ସୁଜି ଓ ଅନ୍ୟ କିଛି ଦ୍ରବ୍ୟ ମଧ୍ୟ ମିଳାଯାଏ । ତେବେ ନମୂନା ସଂଗ୍ରହ ପରେ ସବୁ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଅଧକାରୀ ଜଣକ । ଯଦି କୌଣସି ଅସୁବିଧା ହୁଏ, ତେବେ ଉକ୍ତ ଦୋକାନ ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।