ବ୍ଲକ୍ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ମନ୍ତ୍ରୀ କଲେ ଅପହରଣ ! ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

52

କନକ ବ୍ୟୁରୋ : ବ୍ଲକ୍ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ମନ୍ତ୍ରୀ କଲେ ଅପହରଣ । ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଆଉ ଏହି ଅଭିଯୋଗ ଆଣିଛନ୍ତି ନିଜେ ଅପହୃତ । କହିଛନ୍ତି, ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଇସାରାରେ ତାଂକୁ ଅପହରଣ କରାଯାଇଥିଲା । ଏପିରିକି ମନ୍ତ୍ରୀ ତାଂକୁ ମାଡ ମାରିଥିବା ବି ସେ ଅଭିଯୋଗ କରିଛନ୍ତି ।

ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ପ୍ରାର୍ଥୀ ବୁଚିଶ୍ୱର ବାବୁ ଗତକାଲି ସମର୍ଥକ ସମିତି ସଭ୍ୟଙ୍କ ସହ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆସୁଥିଲେ । ତେବେ ରମ୍ଭା ନିକଟରୁ ତାଙ୍କୁ ଏକ ଗାଡିରେ ଅପହରଣ କରି ନିଆଯାଇଥିଲା । ସନ୍ଧ୍ୟା ଯାଏଁ ବିଭିନ୍ନ ସ୍ଥାନରେ ଅଟକ ରଖିବା ପରେ ତାଙ୍କୁ ଆଜି ଛଡାଯାଇଥିଲା । ରଙ୍ଗେଇଲୁଣ୍ଡା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ହୋଇଥିବା ବେଳେ ମନ୍ତ୍ରୀଙ୍କ ନିଷ୍ପତି ଉପରେ ସବୁକିଛି ନିର୍ଭର କରୁଥିଲା ।

ପୂର୍ବରୁ ବୁଚିଶ୍ୱରଙ୍କୁ ବ୍ଲକ୍ ଅଧ୍ୟକ୍ଷ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ତେବେ ପରେ ଆଉ ଜଣେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଅଧିକ ଟଙ୍କା ନେଇ ତାଂକୁ ଅପହରଣ କରାଯାଇଥିବା ବୁଚିଶ୍ୱର ଅଭିଯୋଗ କରିଛନ୍ତି । ସେପଟେ ଗତକାଲି ଏହାକୁ ନେଇ ବୁଚିଶ୍ୱରଙ୍କ ସମର୍ଥକ ଗଣ୍ଡଗୋଳ କରିଥିଲେ । ସ୍ଥିତି ଅଣାୟତ ହେଉଥିବା ଦେଖି ପୋଲିସ ଉତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କରିଥିଲା ।