ଆରୁଷି ହତ୍ୟାକାଣ୍ଡର ରାୟ ଉପରେ କଡ଼ା ଟିପ୍ପଣୀ କଲେ ଆହ୍ଲାବାଦ ହାଇକୋର୍ଟ : କହିଲେ, ଗଣିତ ଶିକ୍ଷକ ଭଳି ଅଙ୍କକଷି ରାୟ ଦେଇଥିଲେ ଟ୍ରାଏଲ କୋର୍ଟର ଜଜ୍

33

କନକ ବ୍ୟୁରୋ : ଆରୁଷି ହତ୍ୟାକାଣ୍ଡରେ ବାପା-ମାଆ ରାଜେଶ ଓ ନୁପୂର ତଲୱାରଙ୍କୁ ଦୋଷମୁକ୍ତ କରିବା ସହ ଟ୍ରାଆଲ କୋର୍ଟ ଜଜଙ୍କ ଉପରେ ଟିପ୍ପଣୀ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି ଜଣେ ଗଣିତ ଶିକ୍ଷକ ଓ ଫିଲ୍ମ ନିର୍ଦ୍ଦେଶକ ଭାବେ ନିର୍ମମ ରାୟ ଶୁଣାଇଥିଲେ ଜଜ୍ । ୯ ବର୍ଷ ପରେ ଏବେ ନିଜ ଝିଅ ପାଇଁ ମନଭରି କାନ୍ଦି ପାରିବେ ତଲୱାର ଦମ୍ପତି । ହେଲେ ଦାସନା ଜେଲରେ କିପରି ଦିନ କାଟୁଥିଲେ ଆଜୀବନ ସଜ୍ଜା ଭୋଗୁଥିବା ତଲୱାର ଦମ୍ପତି? ଦୋଷମୁକ୍ତ ହେବା ପରେ ଜେଲରୁ ନିଜ ଦୁଃଖ କାହାଣୀ କହିଛନ୍ତି ଆରୁଷିଙ୍କ ମାଆ ନୁପୂର ତଲୱାର ।

ଆରୁଷି ତଲୱାର ହତ୍ୟାକାଣ୍ଡ । ଏହା ଏପରି ଏକ ରହସ୍ୟଭରା କାହାଣୀ, ଯାହା ବର୍ଣ୍ଣନା କଲେ ଆଖିରୁ ଲୁହ ଖସିଯିବ । ଝିଅର ମୃତ୍ୟୁ ପରେ ବାପା ମାଆ ରାଜେଶ ଓ ନୁପୂର ତଲୱାରଙ୍କ ଜୀବନରେ ଯାହା ସବୁ ଘଟିଥିଲା, ତାହା ଭାଷାରେ ବୟାନ କରିବା କଷ୍ଟକର । ଗୋଟିଏ ପଟେ ଝିଅ ମୃତ୍ୟୁର ଦୁଃଖ, ଅନ୍ୟପଟେ ନିଜକୁ ଦୋଷମୁକ୍ତ କରିବା ପାଇଁ ନ୍ୟାୟିକ ସଂଘର୍ଷ । ଏହାରି ଭିତରେ ଆଜୀବନ ସଜ୍ଜା ଶୁଣାଇଥିଲେ ଟ୍ରାଏଲ କୋର୍ଟ । ଜେଲରେ ୪ ବର୍ଷ ସଜ୍ଜା କାଟିବା ପରେ ଆହ୍ଲାବାଦ ହାଇକୋର୍ଟ ଏହି ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି । ଏହି ରାୟ ଶୁଣାଇବା ବେଳେ ଆହ୍ଲାବାଦ ହାଇକୋର୍ଟ ଟ୍ରାଏଲ କୋର୍ଟ ଜଜଙ୍କ ଉପରେ ଟିପ୍ପଣୀ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଜଣେ ଗଣିତ ଶିକ୍ଷକ ଏବଂ ଫିଲ୍ମ ନିର୍ଦ୍ଦେଶକ ଭାବେ ନିର୍ମମ ରାୟ ଦେଇଥିଲେ ଟ୍ରାଆଲ କୋର୍ଟର ଜଜ୍ । ଯେଉଁଭଳି ଭାବେ ରାୟ ଦିଆଯାଇଥିଲା, ତାହା ଭାରତର ନ୍ୟାୟ ବ୍ୟବସ୍ଥାରେ ବିରଳ ।

ତେବେ ଦାସନା ଜେଲରେ କିପରି ଦିନ କଟିଥିଲା ତଲୱାର ଦମ୍ପତିଙ୍କର? କିପରି ଜେଲ ଯନ୍ତ୍ରଣା ସହିଥିଲେ ରାଜେଶ ଓ ନୁପୂର ତଲୱାର? କୋର୍ଟ ଦୋଷମୁକ୍ତ କରିବା ପରେ ଜଣେ ବରିଷ୍ଠ ସାମ୍ବାଦିକାଙ୍କୁ ଜେଲ ଭିତରେ ନିଜ ଦୁଃଖ କାହାଣୀ ଶୁଣାଇଛନ୍ତି ନୁପୂର ତଲୱାର । ଝିଅ ଆରୁଷିକୁ ଝୁରି ଝୁରି ଲେଖିଛନ୍ତି କବିତା ।

ମାଆ ନୁପୂରଙ୍କ ଆଖିରେ ଆଖିଏ ଲୁହ, ମନରେ ଅସରନ୍ତି କୋହ । ଏହାରି ଭିତରେ ଝିଅକୁ ମନେ ପକାଇ ସେ କହିଛନ୍ତି ଆରୁଷି ହେଉଛି ସୂର୍ଯ୍ୟର ପ୍ରଥମ କିରଣ, ତାଙ୍କ ଜୀବନର ପ୍ରଥମ ଆଲୋକ । ଜଣେ ହତ୍ୟାକାରୀ ତାଙ୍କ ଜୀବନର ସବୁ ସୁଖ ଛଡାଇ ନେଇଛି ।