ବହୁଚର୍ଚ୍ଚିତ ଆଋଷି ହତ୍ୟାକାଣ୍ଡରେ ଆସିଲା ରାୟ : ପ୍ରମାଣ ଅଭାବରୁ ବାପା-ମାଆଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଆହ୍ଲାବାଦ ହାଇକୋର୍ଟ

45

କନକ ବ୍ୟୁରୋ : ଝିଅକୁ ମାରିନାହାଁନ୍ତି ତଲୱାର ଦମ୍ପତି । ବହୁଚର୍ଚିତ ଆଋଷି ତଲୱାର ହତ୍ୟା ମାମଲାରେ ଆଜି ଆହ୍ଲାବାଦ ହାଇକୋର୍ଟ ତଲୱାର ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି । ହତ୍ୟାକାଣ୍ଡରେ ରାଜେଶ ତଲୱାର ଓ ନୁପୁର ତଲୱାରଙ୍କ ସଂପୃକ୍ତି ନେଇ କୋର୍ଟଙ୍କୁ ପ୍ରମାଣ ମିଳିନି । ଫଳରେ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ୯ ବର୍ଷ ପରେ ଆସନ୍ତାକାଲି ତଲୱାର ଦମ୍ପତି ଜେଲରୁ ମୁକ୍ତ ହେବେ । ହେଲେ ଏବେବି ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ, ଆଋଷିକୁ ମାରିଲା କିଏ?

୯ ବର୍ଷ ତଳର ବହୁଚର୍ଚ୍ଚିତ ଘଟଣାରେ ଆସିଛି, ଏଭଳି ରାୟ । ଆହ୍ଲାବାଦ ହାଇକୋର୍ଟ ଚୂଡାନ୍ତ ରାୟରେ ତଲୱାର ଦମ୍ପତିଙ୍କୁ ଦୋଷମୁକ୍ତ କରିଛନ୍ତି । କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି, ଆଋଷି ହତ୍ୟାକାଣ୍ଡରେ ତଲୱାର ଦମ୍ପତିଙ୍କ ସଂପୃକ୍ତି ନେଇ କୌଣସି ଠୋସ୍ ପ୍ରମାଣ ମିଳିନି । କେବଳ ଘଟଣା ଦିନ ରାତିରେ ଘରେ ଥିଲେ ବୋଲି ସେମାନେ ଦୋଷୀ ନୁହଁନ୍ତି । ହତ୍ୟା ପାଇଁ ତଲୱାର ଦମ୍ପତିଙ୍କ ପାଖରେ କୌଣସି ଉଦ୍ଦେଶ୍ୟ ନଥିଲା । ରାଜେଶ ତଲୱାର ଓ ନୁପୁର ତଲୱାର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ତଲୱାର ଦମ୍ପତିଙ୍କୁ ସଜ୍ଜା ତ୍ରୁଟିପୂର୍ଣ୍ଣ । ତେଣୁ ଖୁବଶୀଘ୍ର ସେମାନଙ୍କୁ ମୁକ୍ତ କରାଯାଉ । ଆହ୍ଲାବାଦଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବ ସିବିଆଇ । ତେବେ ପ୍ରଶ୍ନ ଉଠୁଛି, ଆଋଷିଙ୍କୁ ମାରିଲା କିଏ? ଏପଟେ ଝିଅକୁ ମାରିନାହୁଁ ବୋଲି ବାରମ୍ବାର କହୁଥିବା ତଲୱାର ଦମ୍ପତିଙ୍କୁ ଆଶ୍ୱସ୍ତ ମିଳିଛି । ଶୁକ୍ରବାର ଦାସନା ଜେଲରୁ ବାହାରିବେ ଆଋଷିଙ୍କ ବାପା-ମାଆ ।

୧୬ ମେ, ୨୦୦୮ । ଡାକ୍ତର ଦମ୍ପତି ରାଜେଶ ଓ ନୂପୁର ତଲୱାରଙ୍କ ଝିଅ ଆରୁଷିକୁ ନୋଏଡା ଘରେ କେହି ହତ୍ୟା କରିଥିବା ଖବର ସାମ୍ନାକୁ ଆସେ । ସନ୍ଦେହ ଘେରକୁ ଆସେ ଘରେ କାମ କରୁଥିବା ଘରୋଇ ସହାୟକ ହେମରାଜ୍ । ୨୦୦୮ ମେ ୧୭ ତାରିଖ । ଆଋଷି ହତ୍ୟା ପରଦିନ ତଲୱାର ପରିବାରର ଘର ଛାତ ଉପରେ ମିଳେ ହେମରାଜ୍ର ମୃତଦେହ । ୨୦୦୮ ମେ ୧୮ ତାରିଖ । ପ୍ରାଥମିକ ତଦନ୍ତରୁ ଡାକ୍ତରୀ ଅପରେସନ୍ ବେଳେ ବ୍ୟବହୃତ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜାଣିବାକୁ ପାଏ ପୁଲିସ୍ । ସନ୍ଦେହ ଯାଏ ଡାକ୍ତର ଦମ୍ପତିଙ୍କ ଆଡକୁ । ୨୦୦୮ ମେ ୨୩ ତାରିଖ । ଡବଲ୍ ମର୍ଡର ଅଭିଯୋଗରେ ଗିରଫ ହୁଅନ୍ତି ଆରୁଷିର ବାପା ରାଜେଶ ତଲୱାର୍ । ପରେ ମା ନୂପର ବି ଗିରଫ ହୁଅନ୍ତି । ୨୬ ନଭେମ୍ବର ୨୦୧୩ । ଆରୁଷି ଓ ହେମରାଜଙ୍କୁ ହତ୍ୟା କରିଥିବା ତଲୱାର ଦମ୍ପତି କୋର୍ଟରେ ଦୋଷୀ ସାବ୍ୟସ୍ତ ହୁଅନ୍ତି । ଆଜୀବନ କାରାଦଣ୍ଡ ମିଳେ ତଲୱାର ଦମ୍ପତିଙ୍କୁ । ୧୨ ଅକ୍ଟୋବର ୨୦୧୭ । ରାଜେଶ ଓ ନୂପୁର ତଲୱାରଙ୍କୁ ଦୋଷମୁକ୍ତ କରନ୍ତି ଆହ୍ଲାବାଦ ହାଇକୋର୍ଟ ।