ଏଣିକି ରାସ୍ତା କଡରେ ଗାଡି ପାର୍କିଂ କରିବା ମନା । ନିୟମ ଉଲଙ୍ଘନ କଲେ ଗଣିବେ ମୋଟା ଅଙ୍କପ ତଣ୍ଡ । ଜାଣନ୍ତୁ… କେଉଁ ବାରରେ ରାସ୍ତାର କେଉଁ କଡରେ ପାର୍କିଂ କରିବେ ଗାଡି

363

କନକ ବ୍ୟୁରୋ : ବଦଳିଲା ରାଜଧାନୀର ପାର୍କିଂ ବ୍ୟବସ୍ଥା । କଳ୍ପନା ଛକରୁ ରାଜମହଲ ଏବଂ ରାଜମହଲରୁ ଏଜି ଛକ ରାସ୍ତାରେ କିଛି ନିର୍ଦ୍ଦିଷ୍ଟ ନିୟମାବଳି ଅନୁସାରେ ଆପଣଙ୍କୁ ଗାଡି ପାର୍କିଂ କରିବାକୁ ପଡିବ । ଯଦି ଆପଣ ଏହି ନିୟମକୁ ନମାନନ୍ତି ତେବେ ଆପଣଙ୍କୁ ହଜାରେ ଟଙ୍କା ଫାଇନ ଗଣିବାକୁ ପଡିବ । ତେବେ ଏହି ନିୟମ କଡାକଡି ଭାବେ ଲାଗୁ ହୋଇନଥିଲେ ମଧ୍ୟ ନିୟମ ସଂକ୍ରାନ୍ତୀୟ ଫଳକ ଲାଗିବା ପରେ ଏହାକୁ କଡାକଡି ଭାବେ ଲାଗୁ କରାଯିବ ।

ରାଜଧାନୀର ବ୍ୟସ୍ତବହୁଳ କଳ୍ପନା ଛକରୁ ରାଜମହଲକୁ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତାରେ ଆପଣ ରାସ୍ତା କଡରେ ଗାଡି ପାର୍କିଂ କରିପାରିବେ ନାହିଁ । ଖାଲି ପାର୍କିଂ ନୁହେଁ ଆପଣ ଯଦି ବାପୁଜୀ ନଜର ମାର୍କେଟ ମଧ୍ୟକୁ ପ୍ରବେଶ କରିବାକୁ ଚାହାଁନ୍ତି ତେବେ ଏଥିପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥ ଅଲଗା ଅଲଗା ରହିଛି । ଆପଣଙ୍କୁ ଏହି ନିୟମକୁ ମାନି ଯାଆସ କରିବାକୁ ପଡିବ ।

ସେହିପରି ରାଜମହଲରୁ ଏଜି ଛକକୁ ସଂଯୋଗ କରୁଥିବା ରାସ୍ତା । ରାସ୍ତା କଡରେ ହୋଇପାରିବନି ଦୁଇ ଚକିଆ ଯାନର ପାର୍କିଂ । ଆଉ ୪୫ ଡିଗ୍ରୀ ଆଙ୍ଗେଲରେ ହେବ କାର ପାର୍କିଂ । ଯେଉଁ ସ୍ଥାନରେ ଟୁ-ହୁଇଲର ପାର୍କିଂ ପାଇଁ ନାମଫଳକ ଲେଖାଯାଇଛି ସେଠାରେ ହିଁ ପାର୍କିଂ କରିହେବ । କ୍ୟାପିଟାଲ ଥାନା ନିକଟରେ ହେବ ଟୁ-ହ୍ୱିଇଲର ପାର୍କିଂ । କେହି ଫୁଟପାଥ ଅବରୋଧ କରିପାରିବେନି କି ଠେଲାଗାଡି ମଧ୍ୟ ରହିପାରିବନି ।

ସେହିପରି ରାଜମହଲରୁ ବାପୁଜି ନଗର କିମ୍ବା ରାଜମହଲରୁ ଶିଶୁ ଭବନ ଛକ ଯିବାକୁ ହେଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ପାଳିବାକୁ ପଡିବ । ନଜରରେ ରଖିବାକୁ ପଡିବ କେଉଁଟା ପ୍ରବେଶ ପଥ ଏବଂ କେଉଁଟା ପ୍ରସ୍ଥାନ ପଥ । ରାଜଧାନୀର ଏହି ବ୍ୟସ୍ତବହୁଳ ଛକମାନଙ୍କରେ ଆପଣଙ୍କୁ ଗାଡି ଚଳାଇବାକୁ ହେଲେ ନିର୍ଦ୍ଦିଷ୍ଟ ଭାବେ ନିୟମ ମାନିବାକୁ ପଡିବ । ନଚେତ ହଜାରେ ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ପଡିବ ।