ଶ୍ରୀମନ୍ଦିରରେ ୬୦ ବର୍ଷ ପରେ ଭଗବାନଙ୍କ ଠାରୁ ଦୂରେଇ ରହିଲେ ଭକ୍ତ । ଭୁବନେଶ୍ୱର ମସଜିଦରେ ବି ବନ୍ଦ ହେଲା ନମାଜ ପାଠ । ଚର୍ଚ୍ଚରେ ସମୁହ ପ୍ରାର୍ଥନା ବନ୍ଦ । ମାର୍ଚ୍ଚ ୩୧ ଯାଏଁ ଧାର୍ମିକସ୍ଥଳୀ ଉପରେ ଲାଗିଲା କଟକଣା

1,481

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ମନ୍ଦିର, ମସଜିଦ୍ ଓ ଗୀର୍ଜାଘର ଖାଁ ଖାଁ ଦେଖିବାକୁ ମିଳିଥିଲା । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିନଥିଲେ ଭକ୍ତ । ପ୍ରାୟ ୬୦ ବର୍ଷ ପରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଶ୍ରୀଜଗନ୍ନାଥ ମନ୍ଦିରରେ । ଏପଟେ ଭୁବନେଶ୍ୱର ୟୁନିଟ ଫୋର ସ୍ଥିତ ମସଜିଦରେ ହୋଇନଥିଲା ସମୂହ ନମାଜ ପାଠ । ସେହିପରି ଚର୍ଚ୍ଚରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକ ମିଳିଥିଲା ।

ଆଜି ଶ୍ରୀମନ୍ଦିର ଭିତରେ ଠାକୁର ଥିଲେ ସତ ହେଲେ ଦର୍ଶନ କରିବାକୁ ନଥିଲେ ଭକ୍ତ । ପ୍ରାୟ ୬୦ ବର୍ଷ ପରେ ଶ୍ରୀମନ୍ଦିରରେ ଆଜି ଏହିପରି ଦୃଶ୍ୟ ଦେଖିବାକୁ ମିଳିଥିବା । ୧୯୬୦ ମସିହାରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଶ୍ରୀମନ୍ଦିରରେ । ଯେତେବେଳେ କଲେରା ବ୍ୟାପିଥିଲା ଆଉ ଡାକ୍ତରୀ ସାର୍ଟିଫିକେଟ ଦେଖାଇ ମନ୍ଦିର ଭିତରକୁ ଯାଉଥିଲେ ଲୋକେ । ଆଉ ଆଜି କରୋନା ପାଇଁ ସେମିତି ଖାଁ ଖାଁ ଦେଖିବାକୁ ମିଳିଛି ।

କରୋନା ମୁକାବିଲା ପାଇଁ ହୋଇଥିବା କଟକଣା ପାଇଁ ଏପ୍ରିଲ ପହିଲା ଯାଏଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ । ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ ଦର୍ଶନ । ତେବେ ପୂର୍ବଭଳି ଶ୍ରୀମନ୍ଦିରର ନୀତିକାନ୍ତି ଚାଲୁ ରହିବ । ଏଭଳି ଏକ ସଙ୍କଟ ସ୍ଥିତିରେ ଦର୍ଶନ ବନ୍ଦ କରିବା ପାଇଁ ସହମତି ଜଣାଇଛନ୍ତି ସେବାୟତ । ତେବେ ଯେତିକି ମହାପ୍ରସାଦ ବରାଦି ହେବ ସେତିକି ପରିମାଣର ମହାପ୍ରସାଦ ଆବଶ୍ୟକତା ଅନୁଯାୟୀ ଯୋଗାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

ସେପଟେ ମସଜିଦରେ ହେଲା ନାହିଁ ସମୂହ ନମାଜ ପାଠ । ରାଜଧାନୀ ସ୍ଥିତ ୟୁନିଟ-୪ରେ ଥିବା ମସଜିଦରେ ନମାଜ ପାଠ ଉପରେ ଲାଗିଲା ରୋକ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ମସଜିଦରେ ସମୂହ ନମାଜ ପାଠ କରାନଯିବା ପାଇଁ ନିଷ୍ପତି ହୋଇଛି । ପ୍ରତି ଶୁକ୍ରବାର ମସଜିଦରେ ସମୂହ ନମାଜ ପାଠ ହୋଇଥାଏ । ହେଲେ ଏବେ କରୋନା ସଂକ୍ରମଣ ପାଇଁ ସତର୍କତା ମୂଳକ ଭାବେ ଏକାଧିକ ଲୋକ ଏକାଠି ହେବା ଉପରେ ବାରଣ କରାଯାଉଛି । ତେଣୁ ଆଜି ସମୂହ ନମାଜ ପାଠର କିଛି ସମୟ ପୂର୍ବରୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଅନ୍ୟପଟେ ଚର୍ଚ୍ଚ ମାନଙ୍କରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କଟକଣା ଲାଗିଥିବାରୁ ସମୁହ ପ୍ରାର୍ଥନା ବନ୍ଦ ରହିଛି ।