ଚିନ୍ତା ବଢ଼ାଉଛି ଅର୍ଥନୀତିର ମାନ୍ଦାବସ୍ତା । ମୋଦି ସରକାରଙ୍କୁ ମନମୋହନ ସିଂଙ୍କ ଟାର୍ଗେଟ୍ । କହିଲେ, ବିମୁଦ୍ରାକରଣ ଓ ଜିଏସଟି ଯୋଗୁଁ ଅର୍ଥନୀତି ହୋଇଛି ବାଟବଣା ।

351

କନକ ବ୍ୟୁରୋ : ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇବା ପରେ ମୋଦି ସରକାରକୁ ଟାର୍ଗେଟ୍ କରିଛନ୍ତି ପୂର୍ବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମନମୋହନ କହିଛନ୍ତି ମୋଦି ସରକାର ଦେଶରେ ଲାଗୁ କରିଥିବା ନୋଟ୍ ବନ୍ଦୀ ଓ ଜିଏସଟି ପାଇଁ ଆଜି ଦେଶର ଅର୍ଥନୀତି ବାଟବଣା ହୋଇଛି । ଦେଶର ଜିଡିପି ୫ ପ୍ରତିଶତକୁ ଖସି ଆସିବା ହିଁ ପ୍ରମାଣ କରୁଛି, ଦେଶର ଅର୍ଥନୀତି ଦୀର୍ଘକାଳୀନ ମାନ୍ଦାବସ୍ଥା ଭିତରେ ଛନ୍ଦି ହୋଇଯାଇଛି । ସେପଟେ ମନମୋହନ ସିଂହଙ୍କ ଅଭିଯୋଗକୁ ଏଡାଇ ଯାଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଛନ୍ତି ଆର୍ଥିକ ମାନ୍ଦାବସ୍ଥାରୁ ଉଠିବା ପାଇଁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି ।

ଗୋଟିଏ ପଟେ ମୋଦି ସରକାର କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରି ପ୍ରଂଶସାର ପାତ୍ର ବନିଥିବା ବେଳେ ଆଉ ଗୋଟେ ପଟେ ଅର୍ଥନୈତିକ ମାନ୍ଦାବସ୍ଥା ସରକାରଙ୍କ ଅର୍ଥନୈତିକ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି, ଏହି ମାନ୍ଦାବସ୍ଥା ଦୀର୍ଘସମୟ ଧରି ରହିବ ଏବଂ ଆମେ ଏବେ ଏହାର ମଝିରେ ଅଛୁ ।

ସେପଟେ ଭାରତ ସରକାର ମାନ୍ଦାବସ୍ଥାକୁ ଆଖି ଆଗରେ ରଖି, ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶା ରଖିଛନ୍ତି, ଯେଉଁ ପଦକ୍ଷେପ ନିଆଯାଉଛି, ତାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିବ ।

ଏପ୍ରିଲରୁ ଜୁନ ଯାଏଁ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ତ୍ରୈମାସିକ ରିପୋର୍ଟରେ ଅଭିବୃଦ୍ଧି ହାରକୁ ନେଇ ଚିନ୍ତା ଦେଖାଦେଇଛି । ଅଭିବୃଦ୍ଧି ହାର ୫ ପ୍ରତିଶତକୁ ଖସି ଆସିଛି । ମାନ୍ୟୁଫାକଚରିଂ ସେକ୍ଟରରେ ୦ ଦଶମିକ ୬ ହାରରେ ଅଭିବୃଦ୍ଧି ଆଉ ଏକ ଚିନ୍ତାର କାରଣ ବନିଛି ।

ଅଟୋମୋବାଇଲ ସେକ୍ଟରରେ ମାନ୍ଦାବସ୍ଥା ସବୁଠାରୁ ଅଧିକ ଆଖିଦୃଶିଆ ହୋଇଛି । ଗତ ବଜେଟରେ ଅର୍ଥମନ୍ତ୍ରୀ ଇଲେକଟ୍ରିକ୍ କାର ଉପରେ ମାତ୍ର ୫ ପ୍ରତିଶତ ଜିଏସଟି ଲଗାଇବାକୁ ଘୋଷଣା କରିଥିଲେ । ବିଶେଷଜ୍ଞଙ୍କ କହିବାନୁସାରେ ଏହି ଘୋଷଣା ଯୋଗୁଁ ପେଟ୍ରୋଲ ଓ ଡିଜେଲ କାର ବିକ୍ରି କମିଯାଇଛି ।

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମୋଦି ସରକାରଙ୍କ ଲୋକପ୍ରିୟତାକୁ ବେଶ ବଢାଇ ଦେଇଛି । କିନ୍ତୁ ଆର୍ଥିକ ମାନ୍ଦାବସ୍ଥା ଏବେ ମୋଦି ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇ ଠିଆହୋଇଛି ।