କାଲି ବନ୍ଦ ରହିବ ଘରୋଇ ହସ୍ପିଟାଲ,ଚିକିତ୍ସା ସେବା ମିଳିବାରେ ଉପୁଜିପାରେ ବଡ ସମସ୍ୟା ।

47

ଆସନ୍ତା କାଲି ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ରହିବ । ପାଥୋଲୋଜି, ରେଡିଓଲୋଜି, ଡେଣ୍ଟାଲ ଓ ଫିଜିଓଥେରାପି କେନ୍ଦ୍ରରେ ମଧ୍ୟ ରୋଗୀ ସେବା ମିଳିବ ନାହିଁ । ରାଜ୍ୟ ସରକାର ରାଜ୍ୟରେ ଥିବା ଘରୋଇ ହସ୍ପିଟାଲ ପାଇଁ ନୂଆ ଲାଇସେନ୍ସ ଦେଉନାହାଁନ୍ତି କି ପଞ୍ଜୀକରଣ ବି କରୁ ନଥିବା କାରଣରୁ ହସ୍ପିଟାଲ ବନ୍ଦ ରଖିବା ପାଇଁ ଅଲ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ନିଷ୍ପତି ନେଇଛି । ୨୦୧୪ ମସିହାରୁ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ର ପଞ୍ଜୀକରଣ ସହିତ ନବୀକରଣ କରିବା ପାଇଁ ରାଜ୍ୟସରକାର ଅର୍ଥ ନେଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛି ସଂଘ ।

ତେବେ ଆସନ୍ତା କାଲି ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ର ଉପସଭାପତି ଜଗନ୍ନାଥ ମହାପାତ୍ର ସୂଚନା ଦେଇଛନ୍ତି । ସଂଘ କହିବା ମୁତାବକ ଓଡିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୯୦ ଅଧିନିୟମ ଅନୁସାରେ ରାଜ୍ୟରେ ଥିବା ଘରୋଇ ହସ୍ପିଟାଲର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବା ୨୦୧୪ ମସିହା ପରଠାରୁ ପ୍ରତିଶ୍ରୁତି ଦେଇ ଆସୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ ସହିତ ରାଜ୍ୟ ସରକାର ୫୧ ଥର ସାକ୍ଷାତ କରିଥିଲେ ମଧ୍ୟ ଏହାର କିଛି ପ୍ରତିକାର ମିଳି ନାହିଁ । ବିଭିନ୍ନ ସମୟରେ ସଂଘର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ , ସଚିବ, ଅଗ୍ନିଶମ ବିଭାଗ ଡିଜିଙ୍କୁ ଏ ବାବଦରେ ଅବଗତ କରାଇ ଆସୁଛଥିଲେ ବି ଏହାକୁ ନେଇ ପ୍ରଶାସନ ତରଫରୁ ତତ୍ପରତା ଦେଖାଉ ନଥିବା ଅଭିଯୋଗ କରିଛି ସଂଘ । ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏପ୍ରିଲ ମାସରେ ଏନେଇ ଚିଠି ମଧ୍ୟ ଲେଖାଯାଇଥିଲା ।

ସ୍ୱାସ୍ଥ୍ୟମନ୍ତ୍ରୀ ଏକ ମାସ ମଧ୍ୟରେ ପଞ୍ଜୀକରଣ ପ୍ରକ୍ରିିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ନେଇ ଚୁପ ବସିଛନ୍ତି ପ୍ରଶାସନିକ ଅଧିକାରୀ ଓ ରାଜ୍ୟ ସରକାର । ତେଣୁ ଆସନ୍ତା କାଲି ସକାଳ ୬ଟାରୁ ୨୬ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଯଦି ଏହାପରେ ରାଜ୍ୟ ସରକାର ପଦକ୍ଷେପ ନ ଗ୍ରହଣ କରନ୍ତି ତେବେ ଆଗାମୀ କାର୍ଯ୍ୟପନ୍ଥା ନେଇ ସଂଘ ଖୁବ ଶୀଘ୍ର ନିଷ୍ପତି ନେବ ।