ମଝି ଆକାଶରେ ଆତଙ୍କ ! ନୂଆଦିଲ୍ଲୀରେ ତିନି ତିନିଥର ଅବତରଣ ଉଦ୍ୟମ କରି ବିଫଳ ହେବା ପରେ ଜୟପୁରରେ ଲ୍ୟାଣ୍ଡିଂ କଲା ଇଣ୍ଡିଗୋ ବିମାନ

34

କନକ ବ୍ୟୁରୋ: ମୃତ୍ୟୁ ମୁଖରୁ ବର୍ତିଗଲେ ବିମାନଯାତ୍ରୀ । ଆଜି ସକାଳ ୫ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ପାଇଁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତିଯାଇଛି । ବିମାନ ଦିଲ୍ଲୀର ଇନ୍ଦିରାଗାନ୍ଧୀ ଅନ୍ତଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ଏହି ଘଟଣା ଘଟିଥିଲା । ଅବତରଣ କରିବା ବେଳେ ଖୁବ୍ ଜୋରରେ ଥରି ଉଠିଥିଲା ବିମାନ । ଏହି ପରି ୩ ଥର ବିମାନଟି ଚେଷ୍ଟା କରି ମଧ୍ୟ ଅବତରଣ କରିପାରିଲା ନାହିଁ ।

ତେବେ ପାଇଲଟ୍ ବିମାନକୁ ଆଉ ଅବତରଣ ନକରାଇ ସିଧା ଜୟପୁର ଅଭିମୁଖେ ନେଇ ଯାଇଥିଲେ । ତେବେ ଏହି ସମୟରେ ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଯାଇଥିଲା ଭୟର ବାତାବରଣ । କିଛି ଯାତ୍ରୀ ବିମାନ ଭିତରେ ବାନ୍ତି ମଧ୍ୟ କରିଦେଲେ । ଆଉ କିଛି ଯାତ୍ରୀ ଭୟରେ ପରସ୍ପରକୁ ଜାବୁଡି ଧରି କାନ୍ଦିବାକୁ ବି ଲାଗିଥିଲେ । ତେବେ ବିମାନରେ ବସିଥିବା ଜଣେ ଯାତ୍ରୀ ପ୍ରିୟବ୍ରତ ମାଝୀ ଏହି ସମୟର ଅନୁଭବକୁ ନିଜ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି ।

‘ମୁଁ ମୋର ପୁତୁରା ପ୍ରଣବ ସହ ଭୁବନେଶ୍ୱରରୁ ଦିଲ୍ଲୀ ଇଣ୍ଡିଗୋ ଫ୍ଲାଇଟରେ ଯାଉଥିଲି । ଏବଂ ଅଳ୍ପକେ ଆମେ ମୃତ୍ୟୁ ମୁଖରୁ ବର୍ତ୍ତିଗଲୁ । ଅବତରଣ ସମୟରେ ୪୫ ମିନିଟ ଧରି ଯାହା ଘଟିଲା ଏଥିରେ ଆମେ ସମସ୍ତେ ଭୟଭୀତ ହୋଇଯାଇଥିିଲୁ । ଦ୍ୱିତୀୟ ଥର ଯେତେବେଳେ ବିମାନଟି ଅବତରଣ କରୁଥିଲା ସେତେବେଳେ ସବୁଠୁ ଭୟାନକ ସ୍ଥିତି ଉପୁଜୁଥିଲା । ତୃତୀୟ ଥର ମଧ୍ୟ ସମାନ ଅବସ୍ଥା ଥିଲା । ମୁଁ ଜାଣିପାରୁନି ପ୍ରଥମ ଅବତରଣ ଘଟଣା ପରେ କାହିଁକି ପାଇଲଟ ଆଉ ୨ ଥର ଏଭଳି ଚେଷ୍ଟା କରୁଥିଲେ । ଯାହାବି ହଉ ଆମେ ଜୟପୁରରେ ନିରାପଦରେ ଅବତରଣ କରିଛୁ’।

ତେବେ ଶେଷରେ ବିମାନଟି ସଫଳତାର ସହ ଜୟପୁର ବିମାନ ବନ୍ଦରରେ ଅବତରଣ କରିଥିଲା । ଏବଂ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତି ଯାଇଥିଲେ ।