ବାଜପେୟୀଙ୍କ ସ୍ମୃତି ଭୁଲାଇ ଦେଲା ରାଜନୈତିକ ବିଦ୍ୱେଷ ! ଗୋଟିଏ ମଂଚରେ ଏକାଠି ହେଲେ ନବୀନ-ନିରଞ୍ଜନ-ଧର୍ମେନ୍ଦ୍ର ।

43

କନକ ବ୍ୟୁରୋ : ଗୋଟିଏ ମଂଚରେ ଏକାଠି ହେଲେ ଶାସକ-ବିରୋଧୀ । ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଆୟୋଜିତ ପ୍ରାର୍ଥନା ସଭାରେ, ଆଦର୍ଶଗତ ବିରୋଧାଭାଷ ସତ୍ୱେ ରାଜ୍ୟର ତିନି ପ୍ରମୁଖ ଦଳର ନେତା ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଏବଂ ନିରଞ୍ଜନ ପଟ୍ଟନାୟକଙ୍କୁ ଗୋଟିଏ ମଂଚରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଏହି ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କୁ ସାରାଦେଶ ସବୁ ଦିନ ପାଇଁ ମନେ ପକାଇବ ବୋଲି କହିଛନ୍ତି । ସେହିପରି ନିରଞ୍ଜନ କହିଛନ୍ତି, ଦେଶର ଆତ୍ମାକୁ ଠିକ୍ ଚିହ୍ନିଥିଲେ ବାଜପେୟୀ । ଗତକାଲି ବିଶାଳ ଶୋଭଯାତ୍ରାରେ ଅଟଳଙ୍କ ଚିତାଭସ୍ମକୁ ବିସର୍ଜନ କରିଥିବା ବିଜେପି ଆଜି ଭୁବନେଶ୍ୱରରେ ସାର୍ବଜନୀନ ଏବଂ ସର୍ବଦଳୀୟ ପ୍ରାର୍ଥନା ସଭାର ଆୟୋଜନ କରିଥିଲା ।

ଗୋଟିଏ ମଂଚରେ ନବୀନ-ଧର୍ମେନ୍ଦ୍ର-ନିରଞ୍ଜନ । ପ୍ରାର୍ଥନା ସଭାରେ ଏକାଠି ହେଲେ ଶାସକ-ବିରୋଧୀ । ଓଡ଼ିଶା ରାଜନୀତିରେ ଯେଉଁ ଦୃଶ୍ୟ ଖୁବ୍ କମ୍ ଦେଖିବାକୁ ମିଳେ, ତାହା ଦେଖିବାକୁ ମିଳିଛି ବାଜପେୟୀଙ୍କ ସ୍ମୃତିରେ ରଖାଯାଇଥିବା ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭାରେ । ଆଦର୍ଶଗତ ବିବିଧତା ଏବଂ ନୀତିଗତ ପାର୍ଥକ୍ୟ ସତ୍ୱେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି, ପରସ୍ପର ରାଜନୈତିକ ବିରୋଧୀ । ଆଉ ସମସ୍ତ ରାଜନୈତିକ ଦଳକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବାରେ ସମର୍ଥ ହୋଇଛି ବାଜପେୟୀଙ୍କ ଏହି ପ୍ରାର୍ଥନା ସଭା । ରାଜ୍ୟର ତିନି ପ୍ରମୁଖ ଦଳର ତୁଙ୍ଗ ନେତା ନବୀନ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଏବଂ ଧର୍ମେନ୍ଦ୍ର ପ୍ରଧାନ, ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସ୍ମୃତିଚାରଣ କରିଛନ୍ତି ।

ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଆଶୋକ ପଣ୍ଡା, ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ ଏବଂ ବରିଷ୍ଠ ବିଧାୟକ ଦାମୋଦର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି କଂଗ୍ରେସ ଦଳର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ବାଜପେୟୀଙ୍କ ପ୍ରାର୍ଥନା ସଭାରେ । ଏହା ଛଡ଼ା ଉକ୍ରଳ ଭାରତ, ସିପିଆଇ, ପିସିଏମ୍ ଭଳି ଦଳର ନେତାମାନେ ମଧ୍ୟ ଏହି ପ୍ରାର୍ଥନା ସଭାରେ ସାମିଲ ହୋଇଥିଲେ । ବିରୋଧୀଙ୍କୁ ସାଙ୍ଗରେ ନେଇ ସରକାର ଚଳାଇବା ଏବଂ ବିରୋଧୀ ଆସନରେ ଥିବା ବେଳେ ଦେଶ ଗଠନ ପାଇଁ ସରକାରଙ୍କୁ ସହଯୋଗ କରିବାର ବାଜପେୟୀ ଯେଉଁ ବାର୍ତା ଦେଉଥିଲେ, ଉଣାଅଧିକେ ତାହା ପ୍ରତିଫଳିତ ହେଉଥିଲା ଦିବ୍ୟଙ୍ଗତ ଜନନେତାଙ୍କ ସର୍ବଦଳୀୟ ପ୍ରାର୍ଥନା ସଭାରେ ।