ସର୍ବଦଳୀୟ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲି ଠାରୁ ଗୃହ ସ୍ୱାଭାବିକ ହୋଇପାରେ । ସର୍ବଦଳୀୟ ବୈଠକ ପରେ ଏହି ଆଶା କରୁଛନ୍ତି ସରକାର । ବିରୋଧୀଙ୍କ ଯିଦ୍ ପରେ ଆଜି ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକରେ ଯୋଗ ଦେଇ ଉଭୟ ଦଳର ନେତାଙ୍କ ସହ ଆଲୋଚନା କରିଥିଲୋ ତେବେ ଗୃହରେ, କୋର୍ଟରେ ଥିବା ମାମଲାର ଆଲୋଚନା ଠିକ୍ ନୁହେଁ, ତେଣୁ ଏସବୁ ପ୍ରସଙ୍ଗ ଛାଡି ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ତେବେ ଏହି କଥାରେ ବିରୋଧୀ ରାଜି ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଆଜିର ଆଲୋଚନା ବିଫଳ ହୋଇନାହିଁ, ବଂର ଅସମାପ୍ତ ରହିଛି । ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଠାରୁ ପ୍ରଥମେ ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଇସ୍ତଫା ଦାବି ଓ ପରେ ଚିଟଫଣ୍ଡ ତଦନ୍ତ କମିଶନ ଅଧ୍ୟକ୍ଷ ଏମ୍ଏମ୍ ଦାସଙ୍କ ଇସ୍ତଫା ଦାବିରେ ଗୃହକୁ ଅଚଳ କରି ରଖିଥିଲେ ବିରୋଧୀ । ଏହାପରେ ପରେ ବିଜେଡିର ଦଳୀୟ ଆକାଉଂଟରେ  ୮କୋଟି  ଡିପୋଜିଟ୍ ମାମଲାରେ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏହାକୁ ନେଇ ଝଡ ସୃଷ୍ଟି ହେବା ପରେ ସରକାର ୮କୋଟିର ହିସାବ ବି ଦେଇଥିଲେ ।  ସେପଟେ ଗୃହରେ ଅଚଳାବସ୍ଥା ଜାରି ରହିଥିବା ବେଳେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଥିଲା କଂଗ୍ରେସ୍ । ୟା ଭିତରେ ବାଚସ୍ପତିଙ୍କ ଅନୁରୋଧ ସତ୍ୱେ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇନଥିଲେ ବିରୋଧୀ ।