ମିଳୁନି ସମାଧାନର ରାସ୍ତା : ପୁଣି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି, ୫ଟା ଯାଏଁ ଗୃହ ମୁଲତବୀ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉଭୟ ବିରୋଧୀ ଓ ଶାସକ ଦଳର ହଙ୍ଗାମା ଯୋଗୁଁ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିପାରୁନାହିଁ । ଦିନକୁ ୫୦ ଲକ୍ଷରୁ ଅଧିକ ରାଜସ୍ୱ ଖର୍ଚ୍ଚ ହେଉଛି । ହେଲେ ରାଜ୍ୟବାସୀଙ୍କ ସ୍ୱାର୍ଥ ଦିଗରେ ପଦଟିଏ ବି ଆଲୋଚନା ହୋଇପାରୁନାହିଁ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରାଯାଉଥିବାରୁ ବାଚସ୍ପତି ଏକାଧିକ ଥର ସର୍ବଦଳୀୟ ବୈଠକ ଡକାଇ ଆଲୋଚନା କରିଛନ୍ତି ।ହେଲେ ଏଥିରୁ କୌଣସି ପ୍ରକାର ନିଷ୍କର୍ସ ବାହାରି ପାରିନାହିଁ । ତେବେ ଆଜି ସକାଳେ ବସିଥିବା ସର୍ବଦଳୀୟ ବୈଠକ ବିଫଳ ହେବା ପରେ ପୁଣିଥରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି । ତେବେ ସାଢେ ୪ଟାରେ ବସିବାକୁ ଥିବା ବୈଠକ ଉପରେ ସମସ୍ତଙ୍କ ନିଜର । ସେପଟେ ବିରୋଧୀଙ୍କ ଟାର୍ଗେଟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭିଯୋଗ କରିଛନ୍ତି ସର୍ବଦଳୀୟ ବୈଠକକୁ ଆସୁନାହାନ୍ତି ଗୃହର ନେତା । ସେଥିପାଇଁ ଆଲୋଚନାରୁ କୌଣସି ନିର୍ଯ୍ୟାସ ବାହାରିପାରୁନାହିଁ । ସେପଟେ ବିରୋଧୀ ଯେଉଁ ମନ୍ତ୍ରୀଙ୍କ ଚିଟଫଣ୍ଡ ଲିଙ୍କ ନେଇ ଅଭିଯୋଗ ଆଣି ବିଧାନସଭାରେ ହଙ୍ଗାମା ଜାରି ରଖିଛନ୍ତି ସେହି ନେତାଙ୍କୁ ସର୍ବଦଳୀୟ ବୈଠକକୁ ପଠାଇ ଦିଆଯାଉଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ବିରୋଧୀ । ଆଜି ବି ବିଧାନସଭା ଆରମ୍ଭରୁ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ । ଫଳରେ ବାରମ୍ବାର ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।