ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୋଡରେ ସରକାର! ସଂସଦ ଭବନରେ ସବୁ ଦଳ ସହ ମିଶି ପ୍ରସ୍ତୁତ ହେଉଛି ନୀଳନକ୍ସା, ରକ୍ଷା ପାଇବେନି ଗୋଟିଏ ବି ଆତଙ୍କବାଦୀ

951

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପୂରା ଦେଶବାସୀଙ୍କ ମନରେ ଆକ୍ରୋଶ ଭରି ରହିଛି । ଏପରିକି ସହିଦ ଯବାନଙ୍କ ବଦଲା ନେବାକୁ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏପରିକି ସ୍ଥାନ ଓ ସମୟ ସ୍ଥିର କରି ସହିଦ ଯବାନଙ୍କ ପ୍ରତିଶୋଧ ନେବାକୁ ସେନାକୁ ପୂରା ସ୍ୱାଧୀନତା ଦିଆଯାଇଛି । ଆଉ ଏଭଳି ସମୟରେ ଆତଙ୍କବାଦୀଙ୍କୁ ନିପାତ କରିବା ଉପରେ ଆଲୋଚନା କରିବାକୁ ନୂଆଦିଲ୍ଲୀର ସଂସଦ ଭବନରେ ବସିଛି ସର୍ବଦଳୀୟ ବୈଠକ ।

ବୈଠକରେ ପ୍ରତ୍ୟେକ ରାଜନୈତିକ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ଅଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସିଆରପିଏଫ ଏଡିଜି ମଧ୍ୟ ସାମିଲ ହୋଇଛନ୍ତି । କଂଗ୍ରେସରୁ ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମା ଉପସ୍ଥିତ ଥିବା ବେଳେ ବାମପନ୍ଥୀ ନେତା ଡି ରାଜା ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି । ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ବୈଠକରେ ସବୁ ରାଜନୈତିକ ଦଳର ନେତା ସାମିଲ ହୋଇଛନ୍ତି ।

ସରକାରଙ୍କ ସହ ସମସ୍ତେ ହାତ ମିଳାଇ ଆତଙ୍କବାଦୀଙ୍କ ସହ ଲଢେଇ କରିବାକୁ ପଣ କରିଛନ୍ତି । ଏନସିପି ନେତା ଶରଦ ପାୱାର ଓ ନ୍ୟାସନାଲ କନଫରେନ୍ସର ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ମଧ୍ୟ ସାମିଲ ହୋଇଛନ୍ତି । କଂଗ୍ରେସ କହିଛି, ଆତଙ୍କବାଦୀଙ୍କ ସହ ଲଢିବା ପ୍ରସଙ୍ଗରେ ଦଳ ସରକାର ସହ ଅଛି । ଏବେ କଥାବାର୍ତ୍ତା କରିବାର ସମୟ ନୁହେଁ ଏଭଳି କରିବା ବୋକାମୀର ପରିଚୟ ହେବ । ଅଥାର୍ତ କଂଗ୍ରେସ ମଧ୍ୟ ଆତଙ୍କବାଦୀଙ୍କ ଉପରେ ତତକ୍ଷଣାତ ଆକ୍ସନ ନେବାକୁ ସୂଚାଇ ଦେଇଛି ।