ମହାନଦୀ ବିବାଦରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ : ଆଜି ରାଜ୍ୟପାଳଙ୍କୁ ଦେବେ ସ୍ମାରକପତ୍ର

20

କନକ ବ୍ୟୁରୋ : ଗତକାଲିର ସର୍ବଦଳୀୟ ବୈଠକ ପରେ ଆଜି ରାଜ୍ୟପାଳଙ୍କୁ ଭେଟିବେ ବିରୋଧୀ। ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯିବ। ମହାନଦୀ ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ଏବଂ ଏହାଯୋଗୁଁ ଓଡିଶାର କ୍ଷତି ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା। ମହାନଦୀ ବିବାଦ ପ୍ରସଂଗରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ବସିଥିଲା ସର୍ବଦଳୀୟ ବୈଠକ। ଏଥିରେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ରାଜ୍ୟ ବିଜେପି ବିଧାୟକ ଦଳ ନେତା କେବି ସିଂହଦେଓ, ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ସିପିଆଇ ନେତା ଜନାର୍ଦନ ପତି, ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ ଏବଂ ଅନ୍ୟ ଦଳର ନେତା ସାମିଲ ହୋଇଥିଲେ।

ସେପଟେ ଛତିଶଗଡରେ ବିଜେଡି କମିଟି ଦ୍ୱିତୀୟ ଦିନରେ ବିବାଦୀୟ ପ୍ରକଳ୍ପର ଅନୁଧ୍ୟାନ କରିବ। ଗତକାଲି କେଲୋ ପ୍ରକଳ୍ପର ଅନୁଧ୍ୟାନ କରିଛି ବିଜେଡି କମିଟି। କେମିତି ଓଡ଼ିଶାର ସ୍ୱାର୍ଥ ଏହାଦ୍ୱାରା ପ୍ରଭାବିତ ହେବ ଓ ଏହାର କଣ ପ୍ରଭାବ ପଡିବ ସେନେଇ ଅନୁଧ୍ୟାନ କରିଛି ଏହି ଦଳ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ସବୁଠାରୁ ବିବାଦୀୟ ଏହି ପ୍ରକଳ୍ପର ଅନୁଧ୍ୟାନ ମାତ୍ର ୧୫ ମିନିଟରେ ସାରିଦେଇଥିଲା କମିଟି। ତେବେ ପ୍ରକଳ୍ପ ଦେଖିବା ପରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, କେଲୋ ପ୍ରକଳ୍ପରୁ ଶିଳ୍ପାନୁଷ୍ଠାନ ପାଇଁ ପାଣି ଦିଆଯାଉଛି। ସେପଟେ ଓଡ଼ିଶାରେ ବିଜେପି ଓ ଛତିଶଗଡ଼ ଜନତା କଂଗ୍ରେସ ଦଳ ବିଜେଡ଼ିର ଏହି ପୂର୍ଣ୍ଣାଙ୍ଗ ଟିମର ଗସ୍ତକୁ ଜୋରଦାର ବିରୋଧ କରିଛି ।