ଛନକା ଭରୁଛି  ଚମ୍ପୁଆ ରାଜନୀତି ! ଧନୀ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼, ସମୀକରଣରେ କାହା ସ୍ଥିତି କ’ଣ ହେବ ?

ଚମ୍ପୁଆରେ ଗୋଳମାଳିଆ ସ୍ଥିତି । ବିଜେପି, ବିଜେଡି ଓ କଂଗ୍ରେସରେ ମାଳମାଳ ଆଶାୟୀ, ସନାଙ୍କ ଉପରେ ସମସ୍ତଙ୍କ ନଜର ।

741

କନକ ବ୍ୟୁରୋ: କିଏ ମାରିବ ଚମ୍ପୁଆ ବାଜି ! ରାଜ୍ୟର ଅନ୍ୟତମ ଧନୀ ବିଧାନସଭା କ୍ଷେତ୍ରର ଆଖ୍ୟା ପାଇଥିବା ଚମ୍ପୁଆ ନିର୍ବାଚନମଣ୍ତଳୀକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । କାରଣ ଚମ୍ପୁଆ ଭୋଟର ଏଥର କାହାକୁ ବାଛିବ ବିଧାୟକ ତାକୁ ନେଇ ରୋମାଞ୍ଚ ବଢ଼ିବାରେ ଲାଗିଛି । କାରଣ ପୂର୍ବପରି ସ୍ବାଧୀନ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କ ମୁଣ୍ଡରେ ଜନସାଧାରଣ ଶିରପା ବାନ୍ଧିବେ ନା ଏହି ଆସନଟି ବିଜେଡି, କ˚ଗ୍ରେସ କିମ୍ବା ବିଜେପି ହାତକୁ ଯିବ ? ବିଧାୟକ ସନାତନ ମହାକୁଡ଼ଙ୍କ ବିରୋଧରେ ବିଜେଡି ଭଲ ପ୍ରାର୍ଥୀ ଦେବ ନା ଅପେକ୍ଷାକୃତ ଦୁର୍ବଳ ପ୍ରାର୍ଥୀଙ୍କୁ ଦେଇ ତାଙ୍କୁ ବାଟ ଛାଡ଼ିଦେବ ? ଏଭଳି ଅଙ୍କ କଷାକଷି ସ୍ଥାନୀୟ ଅଞ୍ଚଳରେ ଜୋରଦାରରେ ଚାଲିଛି ।

ସୂଚନା ମୁତାବକ ଏହି ନିର୍ବାଚନମଣ୍ତଳୀରେ ପଞ୍ଜିକୃତ ଭୋଟରଙ୍କ ସ˚ଖ୍ୟା ୨ଲକ୍ଷ ୧୨ ହଜାର ୭୫୨ । ଏଠାରେ ୨୦୦୯ରେ ସ୍ବାଧୀନ ପ୍ରାର୍ଥୀ ଜିତୁ ପଟ୍ଟନାୟକ ବିଜୟୀ ହୋଇଥିଲେ । ସେତେବେଳେ ତାଙ୍କ ବିପକ୍ଷରେ ଲଢ଼ିଥିବା କ˚ଗ୍ରେସ ପ୍ରାର୍ଥୀ ସନାତନ ମହାକୁଡ଼ ପରାଜିତ ହୋଇଥିଲେ । ୨୦୦୯ରେ ମଧ୍ୟ ଏହି ବିଜୟ-ପରାଜୟର ବ୍ୟବଧାନ ଥିଲା ମାତ୍ର ୧୫୭ ଖଣ୍ତ ଭୋଟ । କିନ୍ତୁ ୨୦୧୪ ବିଧାନସଭା ନିର୍ବାଚନରେ ସନାତନ କ˚ଗ୍ରେସ ପ୍ରାର୍ଥୀ ନ ହୋଇ ସ୍ବାଧୀନ ଭାବେ ଲଢ଼ି ବାଜି ମାରିଥିଲେ। ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଥିଲେ ବିଜେଡିର ପପୁ ପମ୍ ପମ୍, ବିଜେପିର ଗିରୀଶ ମହାନ୍ତ ଓ କ˚ଗ୍ରେସର କ୍ଷେତ୍ରମୋହନ ମହାନ୍ତ ।

ସେହିପରି ବିଜେଡିର ବିଦ୍ରୋହୀ ଭାବେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ କୁଶ ଆପଟ୍ଟ। ସନାତନ ମହାକୁଡ଼ ମୋଟ ୬୯,୬୩୫ ଖଣ୍ତ ଭୋଟ ପାଇଥିବା ବେଳେ କୁଶ ଆପଟ୍ଟ ପାଇଥିଲେ ୫୪,୯୫୭ ଖଣ୍ତ ଭୋଟ । ଏଠାରୁ ବିଜେଡି ପ୍ରାର୍ଥୀ ହୋଇଥିବା ତତ୍ତ୍ବ ପ୍ରକାଶ ଓରଫ୍ ପପୁ ପମ୍ ପମ୍ ପାଇଥିଲେ ମାତ୍ର ୧୦ ହଜାର ୨୩୩ ଖଣ୍ତ ଭୋଟ । ସେପଟେ କ˚ଗ୍ରେସ ପ୍ରାର୍ଥୀ କ୍ଷେତ୍ରମୋହନ ମାତ୍ର ୨ ହଜାର ୩୩୨ ଖଣ୍ତ ଓ ବିଜେପିର ଗିରୀଶ ମହାନ୍ତି ୭ ହଜାର ୭୦ ଖଣ୍ତ ଭୋଟ ପାଇଥିଲେ ।

ଏହାରି ମଧ୍ୟରେ କଡ଼ ଲେଉଟାଇଛି ଚମ୍ପୁଆ ବିଧାନସଭା କ୍ଷେତ୍ର । ଦୀର୍ଘ ୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ ଦ୍ବାରା ସନାତନ ନିଜର ସ୍ଥିତିକୁ ବେଶ୍ ମଜଭୁତ କରିଥିବା ଲକ୍ଷ୍ୟ କରାଯାଉଛି । ସେହି ତୁଳନାରେ ବିଜେଡି ପଛରେ ପଡ଼ିଛି। ସେତେବେଳର ନିଲମ୍ବିତ ବିଜେଡି ନେତା କୁଶ ଆପଟ୍ଟଙ୍କ ଉପରୁ କିଛିଦିନ ତଳେ ନିଲମ୍ବନ ଉଠାଇ ଦଳ ପୁଣି କୋଳେଇ ନେଇଛି  । କିନ୍ତୁ ବିଜେଡିର ଜିଲ୍ଲା କାର୍ୟ୍ୟକାରୀ ସଭାପତି ରୀନା ବାରିକ, ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଓ ବିଜୟ ମହାକୁଡ଼ ମଧ୍ୟ ବିଜେଡି ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ଚର୍ଚ୍ଚା ଚାଲିଛି।

ଅପରପକ୍ଷରେ ବିଜେପି ପକ୍ଷରୁ ଏବେ ଏହି ନିର୍ବାଚନମଣ୍ତଳୀ ପାଇଁ ମୁରଲୀ ଶର୍ମା, ଶ୍ରୀମନ୍ତ ତ୍ରିପାଠୀ, ପ୍ରମୁଖ ଆଶାୟୀ ଅଛନ୍ତି । କ˚ଗ୍ରେସ ପକ୍ଷରୁ ଅଶୋକ ଠାକ୍କର, ବିପ୍ଳବ ମିଶ୍ର, ନିହାର ରଞ୍ଜନ ରାଉତ, ଆଲୋକ ମିଶ୍ର, ପାର୍ଥ ସାରଥି ପହି ପ୍ରମୁଖ ଚମ୍ପୁଆ ପାଇଁ ଆଶାୟୀ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ୨୦୧୪ ନିର୍ବାଚନର ସ୍ଥିତିକୁ ବିଜେଡି ଏଥର ପୁନରାବୃତ୍ତି କରିବ ନା ଲଢେ଼ଇ ଜୋରଦାର କରିବ ତାହା କିଛିଦିନ ପରେ ସ୍ପଷ୍ଟ ହୋଇଯିବ ।