ନା ଥିଲା କୌଣସି ଦଳୀୟ ରାଲି, ନା ଥିଲା କିଛି ପର୍ବ! ସହିଦଙ୍କ ଶୋଭାଯାତ୍ରାରେ ଲୁହ ଝରାଇ ସଲାମ ଜଣାଉଛି ସାରାଦେଶ ।

ଭାରତ ମାତା କି ଜୟ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ପ୍ରତିଶୋଧର ନିଆଁ ସେମାନଙ୍କ ଆଖିରେ ସ୍ପଷ୍ଟ ବାରି ହୋଇପଡୁଥିଲା । ଜୟ ଜୟ କାର ଭିତରେ ସମସ୍ତେ ଦେଉଥିଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ।

126

କନକ ବ୍ୟୁରୋ: ଆଜି ସାରା ଦେଶ କାନ୍ଦୁଛି । ଯେତେବେଳେ ଜଣଙ୍କ ପରେ ଜଣେ ସହିଦ ଯବାନଙ୍କ ପାର୍ଥିବ ଶରୀର ପହଂଚୁଥିଲା ଜନ୍ମସ୍ଥାନରେ । ଭାରତ ମାତା କି ଜୟ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ପ୍ରତିଶୋଧର ନିଆଁ ସେମାନଙ୍କ ଆଖିରେ ସ୍ପଷ୍ଟ ବାରି ହୋଇପଡୁଥିଲା । ଜୟ ଜୟ କାର ଭିତରେ ସମସ୍ତେ ଦେଉଥିଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ । କିନ୍ତୁ ବିଧିର ବିଧାନ ଏଭଳି ଯେ ସେମାନେ ଆଉ ଘରକୁ ଫେରିବେନି । ଘର ସବୁଦିନ ପାଇଁ ଖାଲି ଖାଲି ଲାଗିବ । ଆଉ ଆସିବନି ଚିଠି କି କୌଣସି ଫୋନ୍ କଲ । କାହିଁକି ନା ଦେଶ ପାଇଁ ମାଟି ମା ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି ଏହି ବୀର ଜବାନମାନେ ।

ସାରା ଦେଶରେ ଗୋଟିଏ ଧ୍ୱନୀ ସହିଦ ଯବାନ ଅମର ରହେ । ଏଭଳି ଦୃଶ୍ୟ ପୂର୍ବ ଭାରତରୁ ଆରମ୍ଭ କରି ପଶ୍ଚିମ ଦେଶର କୋଣଅନୁକୋଣରେ ଗୁଞ୍ଜରିତ ହୋଇଛି । ବିହାର ପାଟନାର ରତନପୁର ଗାଁର ରତନ କୁମାର ଠାକୁର ଏବଂ ସଂଜୟ କୁମାର ସିଂହଙ୍କ ପାର୍ଥିବ ଶରୀର ଯେତେବେଳେ ଆସି ପହଂଚିଥିଲା ଜନ୍ମମାଟିରେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ସୃଷ୍ଟି ହୋଇଥିଲା ଜନସମୁଦ୍ର । ପାକିସ୍ତାନ ମୁର୍ଦ୍ଦାବାଦ ସାଙ୍ଗକୁ ଭାରତ ମାତା କି ଜୟ ଧ୍ୱନି ଫାଟିପଡୁଥିଲା ପୁରା ପରିବେଶ । ସହିଦଙ୍କୁ ଦିଆଯାଉଥିଲା ଶେଷ ଶ୍ରଦ୍ଧାଞ୍ଜଳୀ ।

ପୁଲୱାମା ଆତଙ୍କୀ ହମଲାରେ ଉତର ପ୍ରଦେଶର ସହିଦ ହୋଇଥିଲେ ୧୨ ଯବାନ । ଏହି ସମସ୍ତ ଯବାନଙ୍କ ପାର୍ଥିବ ଶରୀର ଯେତେବେଳେ ପହଂଚିଥିଲା ଜନ୍ମମାଟିରେ କୋହ ସମ୍ଭାଳିପାରିନଥିଲେ ପରିବାର ଲୋକେ । ପରସ୍ପରକୁ ଧରି କାନ୍ଦିବା ଛଡା ଆଉ କିଛି ବାଟ ନଥିଲା । କାରଣ ସେମାନେ ଜାଣିଥିଲେ ପୁଅ ଆଉ ଫେରିବନି । ଆଉ ଆସିବନି ଫୋନକଲ । ପୁଅ ଦେଶ ପାଇଁ ଜୀବନ ଦେଇଛି ।

ସେହିଭଳି ପଞ୍ଜାବରେ ଥିଲା ସମାନ ଦୃଶ୍ୟ । ସହିଦ ମାନଙ୍କୁ ଦିଆଯାଇଛି ରାଜକୀୟ ସମ୍ମାନ । ମୋଗାର ବାସିନ୍ଦା ଜୈମଲ ସିଂହ, ସୁଖଜିନ୍ଦର ସିଂହ, ଗୁରୁଦାସପୁରର ମନିନ୍ଦର ସିଂହ, ରୋପଡର କୁଲବିନ୍ଦର ସିଂହଙ୍କ ପରିବାରଲୋକେ ସତେ ଯେମିତି ସହଜରେ ଏହି କ୍ଷତିକୁ ଗ୍ରହଣ କରିପାରିନଥିଲେ । କାନ୍ଦବୋବାଳିରେ ଫାଟିପଡୁଥିଲା ଗାଁ । ଦେଖିଲେ ଲାଗୁଥିଲା ମା କାନ୍ଦୁନି, ପୁରା ଦେଶ ଆଜି କାନ୍ଦୁଛି । ଅନୁରୁପ ଦୃଶ୍ୟ ଦେଖିବାକୁ ମିଳିଥିଲା ତାମିଲନାଡୁରେ । ବୀର ଜବାନଙ୍କୁ ଯେତେବେଳେ ଶ୍ରଦ୍ଧାଞ୍ଜଳୀ ଦିଆଯାଉଥିଲା ଜୟ ଭାରତର ନାରାରେ ଫାଟିପଡୁଥିଲା ପୁରା ଅଂଚଳ । ଆଉ ଏ ଦୃଶ୍ୟ ହେଉଛି ହାଓଡାର । ସହିଦ ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ସ୍ଥାନିୟ ଲୋକେ ଓ ପରିବାର ସଦସ୍ୟ ।

ସମସ୍ତେ ଜାଣିଛନ୍ତି ସହିଦ ଜବାନଙ୍କ ବୀରତ୍ୱର ଗାଥା । ହେଲେ ଥରେ ଚିନ୍ତା କଲେ ଘରେ କାନ୍ଦୁଥିବା ସହିଦ ଯବାନର ମା ଆଉ କଣ ତା ପୁଅକୁ ଖୁଆଇ ପାରିବ,କଣ ତା ସ୍ତ୍ରୀ ମଥାରେ ସିନ୍ଦୁର ଲଗାଇପାରିବ , କଣ ସହିଦ ଜବାନଙ୍କ ପିଲା ଖେଳନା ପାଇଁ ବାପା ପାଖରେ ଅଳି କରିପାରିବେ । ଉତର ଖୋଜିବା ବେଳକୁ କାହିଁକି କେଜାଣି ଆଖିରେ ଲୁହ ଝରିଆସୁଛି । ଲୁହ ଝରୁଛି ସେହି ବୀର ସୈନିକଙ୍କ ପାଇଁ ଯାହାଙ୍କ ନିଷ୍ଠା ଓ ଦେଶସେବା ଯୋଗୁଁ ଆମେ ଶାନ୍ତିରେ ଶୋଉଛି । ଏ ଦେଶ ଶାନ୍ତିରେ ଶୋଉଛି । ଖାଲି ଏତିକି କୁହାଯାଇପାରେ ଜୟ ଜବାନ ଜୟ ଭାରତ ।

Comments are closed.