କରୋନା ମୁକାବିଲା ପାଇଁ ବଡ଼ ପଦକ୍ଷେପ । ଆସନ୍ତାକାଲି ଠାରୁ ବନ୍ଦ ରହିବ କଟକ ଓ ଭୁବନେଶ୍ୱରର ସମସ୍ତ ମଲ, ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ।

912

କନକ ବ୍ୟୁରୋ : କରୋନା ସର୍ତକତା ନେଇ କମିଶନରେଟ ପୋଲିସର ବଡ ପଦକ୍ଷେପ । ଆସନ୍ତାକାଲି ଠାରୁ ଟ୍ୱିନସିଟିର ସମସ୍ତ ମଲ ବନ୍ଦ କରିବାକୁ ନିର୍ଦ୍ଦେଶ । ମାର୍ଚ୍ଚ ୧୬ରୁ ଆସନ୍ତା ୩୧ ମାର୍ଚ୍ଚ ଯାଏଁ ଭୁବନେଶ୍ୱର ଓ କଟକର ସମସ୍ତ ମଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ବାନ ପୋଲିସ ଆକ୍ଟ ଧାରା ୩୫ ଅନୁସାରେ ସମସ୍ତ ମଲ ବନ୍ଦ କରିବାକୁ ଘୋଷଣା କରାଯାଇଛି ।

କରୋନାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଛନ୍ତି । କରୋନା ଯେପରି ଓଡ଼ିଶାରେ ନ ବ୍ୟାପିବ ସେଥିପାଇଁ ଆଗୁଆ ସର୍ତକତାମୂଳକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏହାପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ, ଜିମ ସେଣ୍ଟର, ସ୍ୱିମିଂ ପୁଲ ବନ୍ଦ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତି ନେଇଥିଲେ ସରକାର । ତେବେ ପରୀକ୍ଷାକୁ ବନ୍ଦ ନ କରିବାକୁ ନିଷ୍ପତି ନିଆଯାଇଥିଲା । ଏପରିକି ଗତକାଲି ମଲ ଗୁଡିକରେ ନିର୍ଦ୍ଦିଷ୍ଟ କିଛି ସଂଖ୍ୟକ ଲୋକଙ୍କୁ ଛାଡିବାକୁ କୁହାଯିବା ସହ ପ୍ରତ୍ୟେକ ଆଉଟଲେଟ ଷ୍ଟୋରରେ ସାନିଟାଇଜରର ବ୍ୟବସ୍ଥା କରିବାକୁ କୁହାଯାଇଥିଲା । ତେବେ କରୋନାର ପ୍ରଭାବ ଦେଶରେ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାକୁ ରାଜ୍ୟ ସରକାର ଆସନ୍ତାକାଲି ଠାରୁ ଟ୍ୱିନସିଟିର ମଲ ଗୁଡିକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ।