ପାକିସ୍ତାନ ମାଟିରେ କିଭଳି ତାଣ୍ଡବ ରଚିଲା ଭାରତ ! ଜାଣନ୍ତୁ ଆତଙ୍କୀ ଠିକଣା ଧୂଳିସାତ୍ ହେବାର ପୁରା କାହାଣୀ  ।

244

କନକ ବ୍ୟୁରୋ : ପାକ୍ ମାଟିରେ ପଶି ପୁଲୱାମା ହମଲାର ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନୀ ମାଟିରୁ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚୁଥିବା ଜୈସେ ମହମ୍ମଦ, ଲସ୍କରେ ତୋଏବା ଓ ହିଜବୁଲ ମୁଜାହିଦ୍ଦିନର ଏକାଧିକ ଶିବିରକୁ ବାୟୁସେନା ଧ୍ୱଂସ କରିଛି । ତେବେ ଏୟାର୍ ଷ୍ଟ୍ରାଇକ୍ ପଛରେ ଥିଲା ଭାରତର ସୁଚିନ୍ତିତ ରଣନୀତି ଓ ଯୋଜନା । ଏଥିପାଇଁ ପାକ୍ ମାଟିରେ ତାଣ୍ଡବ ରଚିଥିବା ବାୟୁସେନାର ମିରେଜ୍ ବିମାନ ଗ୍ୱାଲିଅର ମହାରାଜପୁର ବାୟୁସେନା ଘାଟିରୁ ଉଡ଼ାଣ ଭରିଥିଲେ ଆଉ ତା’ପରେ ଥରିଉଠିଥିଲା ପାକିସ୍ତାନ ।

୧୨ ଲଢୁଆ ଜେଟ୍, ଇନ୍ଧନ ଭରୁଥିବା ବିମାନ । ପୂର୍ଣ୍ଣ ପ୍ରସ୍ତୁତି ସହ ୫ ଏୟାର୍ ବେସ୍ ଓ ୨୧ ମିନିଟ୍ । ଆଉ ତା’ପରେ ଯାହା ଘଟିଲା ତାହା ଥିଲା ପାକିସ୍ତାନର କଳ୍ପନା ବାହାରେ । ବାୟୁସେନାର ଷ୍ଟ୍ରାଇକ୍ ପ୍ୟାକେଜ୍ ଏତେ ଜବରଦସ୍ତ ଓ ସଠିକ୍ ଥିଲା ଯେ ଥରିଉଠିଥିଲା ଟେରରିସ୍ଥାନ ଆଉ ଆତଙ୍କ ଉପରେ ଭାରତର ଶକ୍ତିଶାଳୀ ପ୍ରହାରକୁ ଚାହିଁରହିଥିଲା ସାରା ବିଶ୍ୱ । ତେବେ ହମଲାରେ ମୁଜାଫରାବାଦ୍, ବାଲାକୋଟ୍ ଓ ଚାକୋଟିର ଟେରର୍ କ୍ୟାମ୍ପ୍ ଯେ କେବଳ ଧୂଳିସାତ୍ ହୋଇଥିଲା ତାହା ନୁହଁ ବରଂ ପାକିସ୍ତାନ ପାଇଁ ସ୍ଥିତି ସମ୍ଭାଳିବାର କୌଣସି ବାଟ ହିଁ ଛାଡ଼ିନଥିଲେ ଭାରତର ଅପରାଜେୟ ବାୟୁସେନା ଯବାନ୍  ।

ଆସନ୍ତୁ ଜାଣିବା କିଭଳି ଥିଲା ଏୟାର୍ ଷ୍ଟ୍ରାଇକ୍ :-

– ପାକିସ୍ତାନକୁ ଚକମା ଦେବା ପାଇଁ ସୀମାନ୍ତରେ ଥିବା ଏୟାର୍ ବେସ୍ ବଦଳରେ ଗ୍ୱାଲିଅର ଏୟାର ବେସରୁ ୧୨ଟି ମିରାଜ୍ ଜେଟ୍ ଉଡ଼ାଣ ଭରିଥିଲେ ଓ ଟାର୍ଗେଟରେ ଥିଲା ୬ଟି ଠିକଣା  ।

– ଲେଜର୍ ଗାଇଡେଡ୍ ବୋମା ସହ ଜେଟ୍ ଗ୍ୱାଲିଅର୍ ଛାଡ଼ିସାରିଥିଲେ ଓ ସିଧାସଳଖ ପାକିସ୍ତାନ ନ ଯାଇ ଏଗୁଡ଼ିକ ହିଣ୍ଡନ୍, ସିର୍ସା, ହିମାଚଳ ଓ କାଶ୍ମୀର ପରେ ପୁଣି ଗତିପଥ ବଦଳାଇଥିଲେ  ।

– ପାକର ସମ୍ଭାବ୍ୟ ପ୍ରତିରୋଧରୁ ମିରାଜ୍ ଗୁଡ଼ିକୁ ଆଗୁଆ ସତର୍କ କରାଇବାକୁ ଅର୍ଲି ୱାର୍ନିଂ ଜେଟ୍ ଭାଟିଣ୍ଡାରୁ ଓ ମିଡ୍ ଏୟାର୍ ରିଫୁଏଲିଂ ବିମାନ ଆଗ୍ରା ଏୟାର ବେସରୁ ଉଡ଼ାଣ ଭରିଥିଲେ  ।

– ସର୍ଭେଲାନ୍ସ ପାଇଁ ହୈରନ୍ ଡ୍ରୋନ୍ ବି ଉଡ଼ାଣ ଭରିଥିଲା ଓ ପାକିସ୍ତାନ ଯେଭଳି ସାମାନ୍ୟ ସୁରାକ୍ ନ ପାଏ ସେଥିପାଇଁ ଧ୍ୟାନ ଅନ୍ୟ ଆଡ଼କୁ ନେବା ପାଇଁ ପୁରା ବ୍ୟବସ୍ଥା କରାଯାଇଥିଲା ।

– ପାକିସ୍ତାନ କିଛି ବୁଝିବା ପୂର୍ବରୁ ଜେଟ୍ ଗୁଡ଼ିକ ଟାର୍ଗେଟ୍ ପର୍ଯ୍ୟନ୍ତ ପହଁଚି ସାରିଥିଲେ ଓ ନିମ୍ନରେ ଜେଟ୍ ଗୁଡ଼ିକ ଉଡ଼ି ୨୧ ମିନିଟ୍ ମଧ୍ୟରେ ପ୍ରଳୟ ରଚି ସୁରକ୍ଷିତ ଭାରତକୁ ଫେରିଆସିଥିଲେ  ।

ଭାରତର ଜେଟ୍ ଗୁଡ଼ିକ ଗୁଇନ୍ଦା ଚକ୍ରବ୍ୟୁହ ଭେଦି ପାକିସ୍ତାନ ମାଟିରେ ରଚିଥିଲେ ଭୟାନକ ତାଣ୍ଡବ ଓ ପାକିସ୍ତାନ କିଛି ଜାଣିବା ପୂର୍ବରୁ କ୍ୟାମ୍ପ ଗୁଡ଼ିକୁ ମାଟିରେ ମିଶାଇ ଦେଇଥିଲା ଭାରତୀୟ ବାୟୁସେନା  ।