ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନେଇ ଆପୋଲୋର ଖୁଲାସା : ଚିକିତ୍ସା ସମୟରେ ବନ୍ଦ ଥିଲା ସିସିଟିଭି କ୍ୟାମେରା

49

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ନେଇ ପୁଣି ଏକ ନୂଆ ଖୁଲାସା । ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ବନ୍ଦ କରିଦିଆଯାଇଥିଲା ସମସ୍ତ ସିସିଟିଭି କ୍ୟାମେରା । ଏହି ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ଆପୋଲୋ ହସପିଟାଲର ଅଧ୍ୟକ୍ଷ ଡା. ପ୍ରତାପ ସି ରେଡ୍ଡି । ଜୟଲଳିତା ହସ୍ପିଟାଲରେ ଥିବା ୭୫ଦିନ ଯାଏଁ ସମସ୍ତ କ୍ୟାମେରାକୁ ବନ୍ଦ କରିଦିଆଯାଇଥିଲା ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ ୨୪ଜଣ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଆଇସିୟୁରେ କେବଳ ଜୟଲଳିତାଙ୍କୁ ରଖାଯାଇଥିଲା ।

ଜୟଲଳିତାଙ୍କୁ ମୃତ୍ୟୁକୁ ନେଇ ତଦନ୍ତ କରୁଥିବା ବିଚାରପତି ଏ.ଅରୁମୁଗ ସ୍ୱାମୀଙ୍କ ଦ୍ୱାରା ଗଠିତ କମିଶନଙ୍କୁ ଜୟାଙ୍କ ସମ୍ପର୍କିତ ସମସ୍ତ ଦସ୍ତାବିଜ ଦାଖଲ କରିଥିବା ଅଧ୍ୟକ୍ଷ କହିଛନ୍ତି । ୨୦୧୬, ସେପ୍ଟେମ୍ବର ୨୨ ତାରିଖରେ ଜ୍ୱର ଓ ଡିହାଇଡ୍ରେସନରେ ପୀଡିତ ହୋଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୁଇ ଦିନ ପରେ ସୁସ୍ଥ ହୋଇ ଆସୁଥିବା ଜୟାଙ୍କ ଫୁସଫୁସରେ ସଂକ୍ରମଣ ଥିବା ଜଣାପଡିଥିଲା । ଅକ୍ଟୋବର ୧ ତାରିଖରୁ ଲଣ୍ଡନର ବିଶେଷଜ୍ଞଙ୍କ ପରାମର୍ଶ ଅନୁୂସାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

ଅକ୍ଟୋବର ୬ ତାରିଖରେ ଏମ୍ସର ଏକ ଡାକ୍ତରୀ ଦଳ ଜୟଲଳିତାଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ । ନଭେମ୍ବର ୩ ତାରିଖରେ ଜୟଲଳିତା ସଂପୂର୍ଣ୍ଣ ସୁସ୍ଥ ଥିବା ଆପୋଲୋ ହସ୍ପିଟାଲ ପକ୍ଷରୁ ପ୍ରକାଶ ପାଇଥିଲା । ପରେ ୧୯ ତାରିଖରେ ତାଙ୍କୁ ଆଇସିୟୁର ବାହାରକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । କିନ୍ତୁ ଶେଷରେ ଡିସେମ୍ବର ୪ ତାରିଖ ରାତିରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଆପୋଲୋ ହସ୍ପିଟାଲ ପକ୍ଷରୁ ଜାରି କରାଯାଇ କୁହାଯାଇଥିଲା ।