ଫେରାର ୮ ସିମି ଆତଙ୍କବାଦୀ ମୃତ : ଭୋପାଳର ଇନ୍ତଖେଡି ନିକଟରେ ପୁଲିସ ଏନକାଂଉଟର ବେଳେ ମୃତ

29

କନକ ବ୍ୟୁରୋ : ପୁଲିସକୁ ମିଳିଛି ବଡ଼ ସଫଳତା। ଭୋପାଳ ସେଣ୍ଟ୍ରାଲ୍‌ ଜେଲରୁ ଖସିଯାଇଥିବା ୮ ଜଣ ସିମି ଆତଙ୍କବାଦୀ ଭୋପାଳ ଉପକଣ୍ଠସ୍ଥ ଇନ୍ତଖେଡି ଗ୍ରାମରେ ପୁଲିସ ଏନକାଂଉଟରରେ ନିହତ ହୋଇଛନ୍ତି।

ଉକ୍ତ ଆତଙ୍କବାଦୀମାନେ ଜେଲ୍‌ ଓ୍ଵାର୍ଡରଙ୍କୁ ହତ୍ୟା କରି ଚମ୍ପଟ୍‌ ମାରିଥିଲେ। ଏମାନଙ୍କ ଭିତରୁ ୪ ଜଣ ଗତ ବର୍ଷ ଫେବୃଆରିରେ ରାଉରକେଲାରୁ ତେଲେଙ୍ଗାନା ପୁଲିସ ଦ୍ୱାରା ଗିରଫ ହୋଇଥିଲେ।

ଏହି ଘଟଣା ପରେ ଦେଶବ୍ୟାପୀ ହାଇ ଆଲର୍ଟ ଜାରି କରାଯାଇଥିଲା। ଭୋପାଳ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ କରାଯାଇ ୮ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ୍‌ ଆରମ୍ଭ ହୋଇଥିଲା। ଜେଲରୁ ଖସିଯାଇ ଭୋପାଳ ଉପକଣ୍ଠସ୍ଥ ଇନ୍ତଖେଡି ଗ୍ରାମରେ ସେମାନେ ଆତ୍ମଗୋପନ କରିଥିବା ସୂଚନା ପୁଲିସର ହସ୍ତଗତ ହୋଇଥିଲା।

ଏହାପରେ ଆତଙ୍କବାଦୀମାନେ ସେଠାରୁ ଅନ୍ୟସ୍ଥାନକୁ ଖସିଯିବାଲାଗି ଯୋଜନା କରୁଥିବାବେଳେ ପୁଲିସ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ସହ ସେମାନଙ୍କର ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଏହି ସମୟରେ ୮ ଜଣ ଯାକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।