ରାଜନୀତିରେ ସଫଳତା କିଭଳି ମିଳେ, ନବୀନଙ୍କ ଠାରୁ ଶିଖ । ଦଳୀୟ ନେତାଙ୍କୁ ନବୀନଙ୍କ ଉଦାହରଣ ଦେଲେ ଆପ୍ ନେତ୍ରୀ ଅଳକା ଲାମ୍ବା ।

2,218

କନକ ବ୍ୟୁରୋ : ରାଜନୀତି ଶିଖିବାର ଅଛି ତ ନବୀନ ପଟ୍ଟନାୟକଙ୍କ ଠାରୁ ଶିଖ । ରାଜ୍ୟରେ ପ୍ରଚଣ୍ଡ ବିଜୟ ସହ ୫ମ ଥର ପାଇଁ ବିଜେଡି ସରକାର ଗଠନ କରିବାକୁ ଯାଉଛି । ଆସନ୍ତା ୨୯ରେ ନବୀନ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ନବୀନଙ୍କ ଏହି ବିଜୟ ପାଇଁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଗତ ୧୯ ବର୍ଷ ଶାସନ ଗାଦିରେ ବସିବା ପରେ ମଧ୍ୟ ନବୀନଙ୍କ ଲୋକପ୍ରିୟତା କମ ହୋଇନାହିଁ ତାହା ଏହି ଫଳାଫଳ ସ୍ପଷ୍ଟ କରିଛି । ୧୧୨ ବିଧାନସଭା ଓ ୧୨ ଲୋକସଭା ଆସନରେ ବିଜୟୀ ହୋଇ ନବୀନ ନିଜର ଦୃଢ ନେତୃତ୍ୱର ପ୍ରମାଣ ଦେଇଛନ୍ତି । ଆଉ ନବୀନଙ୍କ ଏଭଳି ସଫଳତା ଅନ୍ୟ ରାଜନୈତିକ ଦଳକୁ ମଧ୍ୟ ବେଶ ପ୍ରଭାବିତ କରିଛି । ଖାସକରି ଜାତୀୟ ରାଜନୈତିକ ଦଳର ନେତାଙ୍କ ମୁହଁରେ ଏବେ ନବୀନଙ୍କ ପ୍ରଂଶସା ଶୁଣିବାକୁ ମିଳିଛି । ଏପରିକି ଦଳ ମଧ୍ୟରେ ନବୀନଙ୍କ ଉଦାହରଣ ଦେବାକୁ ପଛଘୁଞ୍ଚ ଦେଉନାହାନ୍ତି ଜାତୀୟ ସ୍ତରର ନେତା ।

ନବୀନ କିଭଳି ରାଜନୀତିରେ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ୧୯ ବର୍ଷ ଶାସନ କ୍ଷମତାରେ ରହିବା ପରେ ମଧ୍ୟ କିଭଳି ଜନତା ନବୀନଙ୍କ ଉପରୁ ଆସ୍ଥା ତୁଟାଇ ନାହାନ୍ତି ତାହା ପଛର କାରଣ କହିଛନ୍ତି ଆପ୍ ନେତ୍ରୀ ଅଳକା ଲାମ୍ବା । ନବୀନ କେବଳ ନିଜ ରାଜ୍ୟର ବିକାଶ ଉପରେ ଫୋକସ କରିଥାନ୍ତି । ଦେଶର ଅନ୍ୟ ଆଞ୍ଚଳିକ ଦଳ ମହାଗଠବନ୍ଧନ ମାୟାରେ ପଡିଥିବା ବେଳେ ନବୀନ ଅନୁଭବୀ ନେତା ଭାବେ ଏହି ମାୟାଜାଲରୁ ନିଜକୁ ଦୂରେଇ ରଖିଥିଲେ । ଆଉ ରାଜ୍ୟର ବିକାଶକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଯେତେବେଳେ ଦେଶର ଅଧିକାଂଶ ଦଳ ଏନଡିଏ ସରକାରକୁ ବିରୋଧ କରି ଫେଡରାଲ ଫ୍ରଣ୍ଟ ଗଠନ କରିବାକୁ ଏକାଠି ହୋଇଥିଲେ ସେତେବେଳେ ନବୀନ ଏଥିରୁ ଦୂରେଇ ରହିଥିଲେ । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରକ୍ଷା କରିବା ସହ ଜାତୀୟ ରାଜନୀତିରେ ଫୋକସରେ ରହି ଆସିଛନ୍ତି ନବୀନ ।

ଆଉ ନବୀନଙ୍କ ଏଭଳି ରାଜନୈତିକ ବିଚକ୍ଷଣତା ମୋତେ ବେଶ ପ୍ରଭାବିତ କରିଥାଏ ବୋଲି କହିଛନ୍ତି ଆପ୍ ନେତ୍ରୀ ଅଳକା ଲାମ୍ବା । ଆପ୍ ନେତୃତ୍ୱକୁ କଟାକ୍ଷ ଛଳରେ ଅଳକା କହିଛନ୍ତି, ନବୀନ ଯେଉଁଭଳି ସଫଳତା ପାଇ ଚାଲିଛନ୍ତି ତାହାର ଉଦାହରଣ ଦଳ ମଧ୍ୟରେ ଅନେକ ଥର ରଖିଛି । ଗୋଟିଏ ରାଜ୍ୟ ଉପରେ ଫୋକସ କରି ନବୀନ ଯେଉଁଭଳି ସଫଳତା ପାଇଛନ୍ତି ତାହା ଦଳର ନେତାଙ୍କୁ ଅନେକ ଥର କହିଛି । କିନ୍ତୁ ମୋ କଥା କିଏ ଶୁଣିଲେ ସିନା ହେବ । ଏଭଳି କହି ଆପ୍ ନେତୃତ୍ୱକୁ ତେରଛା ବାଣ ମାରିଛନ୍ତି ଅଳକା । କାରଣ ଚଳିତ ଲୋକସଭା ନିର୍ବାଚନରେ ଆପ୍ ଦିଲ୍ଲୀର ସମସ୍ତ ୭ ଆସନରେ ପରାଜୟ ବରଣ କରିଛି । ଏହାଛଡା ପଞ୍ଜାବରେ ମଧ୍ୟ ଦଳକୁ ବଡ ଝଟକା ଲାଗିଛି । ମାତ୍ର ଜଣେ ସାଂସଦ ସଂସଦକୁ ନିର୍ବାଚିତ ହୋଇଛନ୍ତି । ତେଣୁ ଏଭଳି ସ୍ଥିତିରେ ସବୁ ରାଜ୍ୟରେ ଫୋକସ ନ କରି ଗୋଟିଏ ରାଜ୍ୟରେ ଫୋକସ କରିବାକୁ ପରୋକ୍ଷରେ ପରାମର୍ଶ ଦେଇଛନ୍ତି ଅଳକା । ଏହାସହ ୫ମ ଥର ବିଜୟ ପାଇଁ ନବୀନଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ଅଳକା ।