ହକି ବିଶ୍ୱକପରେ ବଣ୍ଟାହେବ ମଦ ! ଷ୍ଟାଡିୟମରେ ଭିଆଇପିଙ୍କୁ ପରଷାଯିବ  ବିଅର ଏବଂ ୱାଇନ, ବୁକ ସରିଲାଣି ୧୪ ହଜାର ହୋଟେଲ ରୁମ ।

75

ଚଳିତ ବର୍ଷ ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ୟ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବ ହକି ବିଶ୍ୱକପ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ସବୁଠାରୁ ବଡ କଥା ହେଉଛି ବାହାରୁ ଆସୁଥିବା ଭିଭିଆଇପି ମାନଙ୍କୁ କିଛି ନିର୍ଦ୍ଦିଷ୍ଟ ଓ ନିର୍ଦ୍ଧାରିତ ଅଞ୍ଚଳରେ ମଦ ସେବନ କରିବାର ସୁଯୋଗ ମିଳିବ । ଏଭଳି ବିବାଦୀୟ ପଦକ୍ଷେପ ରାଜ୍ୟ କ୍ରୀଡା ବିଭାଗ ନେଇଛି । ବିଶ୍ୱକପ ଆରମ୍ଭ ହେବାର ଦିନକ ପୂର୍ବରୁ ଏବଂ ଶେଷ ହେବା ଯାଏଁ ମଦ ପରିବେଷଣ ପାଇଁ ଲାଇସେନ୍ସ ଦେବାକୁ ମଧ୍ୟ କ୍ରୀଡା ବିଭାଗ ଅବକାରୀ ବିଭାଗକୁ ଅନୁରୋଧ କରିଛି ।

ଲାଇସେନ୍ସ ପ୍ରଦାନ କରିବା ପାଇଁ କ୍ରୀଡା ସଚିବ ବିଶାଲ ଦେବ ଚଳିତ ମାସ ୩ ତାରିଖରେ ଅବକାରୀ କମିସନରଙ୍କୁ ପତ୍ର ଲେଖି ସାରିଛନ୍ତି । ଅନ୍ତର୍ଜାତୀୟ ହକି ମହାସଂଘ ଓ ଅଂଶଗ୍ରହଣକାରୀ ହକି ମହାସଂଘର ଅଧିକାରୀ ଏବଂ ପ୍ରତିନିଧି ମଣ୍ଡଳି ପାଇଁ ଭିଆଇପି ଲାଉଞ୍ଜରେ ମଦ ଏବଂ ବିଅର ପରିବେଷଣ କରାଯିବ । ତେବେ କ୍ରୀଡା ସଚିବ ପତ୍ର ଲେଖିଥିବା କଥା ସ୍ୱୀକାର କରିଥିବା ବେଳେ ବଡ ବଡ ପ୍ରତିଯୋଗିତା ବେଳେ ମଦ ପରିବେଷଣ କରାଯିବା ନୂଆ କଥା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସବୁ ଖେଳର ବିଶ୍ୱକପ ବେଳେ କିଛି ନିର୍ଦ୍ଦିଷ୍ଟ ଓ ନିର୍ଦ୍ଧାରିତ ଅଞ୍ଚଳରେ ଏହାର ପରିବେଷଣ କରାଯାଇଥାଏ । ଆୟୋଜକ ଭାବେ ରାଜ୍ୟ ସରକାର କେବଳ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ।

ତେବେ ବିଶ୍ୱକପ ଉପଲକ୍ଷେ ବହୁ ପର୍ୟ୍ୟଟକ ଏବଂ ହକି ପ୍ରଶଂସକଙ୍କ ଭୁବନେଶ୍ୱରରେ ସମାଗମ ହେବ । ତେଣୁ ଭୁବନେଶ୍ୱର ସମେତ କଟକ ଏବେଂ ପୁରୀରେ ୩୦ ହଜାର ହୋଟେଲ ରୁମର ଆବଶ୍ୟକତା ରହିଛି । ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡିଶା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏପର୍ୟ୍ୟନ୍ତ ପାଖାପାଖି ୧୨ ରୁ ୧୪ ହଜାର ହୋଟେଲ ରୁମ ବୁକ ହୋଇସାରିଛି । ତେବେ ଓଡିଶାରେ ମୋଟ୍ ୬୭୦ଟି ବିଭିନ୍ନ ଷ୍ଟାର ହୋଟେଲରେ ରୁମ ରହିଛି । ଷ୍ଟାର ରୁମ ଗୁଡିକ ବିଭିନ୍ନ ଦଳ ସମେତ ଅଫିସିଆଲ ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ପାଇଁ ଉଦ୍ଦିଷ୍ଟ ରହିବ ।