ଅଣସର ଦର୍ଶନ ପାଇଁ ଅଲାରନାଥଙ୍କ ପୀଠରେ ପ୍ରବଳ ଜନସମାଗମ : ଆଜି ନଟବର ବେଶରେ ଦର୍ଶନ ଦେବେ ମହାପ୍ରଭୁ

3

କନକ ବ୍ୟୁରୋ : ଅଣସର ଦର୍ଶନ ପାଇଁ ଅଲାରନାଥଙ୍କ ପୀଠରେ ପ୍ରବଳ ଜନସମାଗମ ହୋଇଛି । ଆଜି ନଟବର ବେଶରେ ଦର୍ଶନ ଦେବେ ମହାପ୍ରଭୁ ଅଲାରନାଥ । ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କ ଜ୍ୱର ଚିକିତ୍ସା ଚାଲିଥିବା ବେଳେ ଭୋର୍ ସମୟରୁ ଅଲାରନାଥଙ୍କ ପୀଠରେ ଗହଳି ଲାଗିଛି ।

ସେପଟେ ଅଣସରରେ ଥିବା ମହାପ୍ରଭୁଙ୍କ ଆଜି ଏକାଦଶୀ ତିଥିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀ ଅଙ୍ଗର ଉପଚାର କରାଯିବ । ଆଜି ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଆଜି ରକ୍ତବସ୍ତ୍ର ପରିଧାନ କରିବେ । ପୂର୍ବରୁ ବିନା ତୁଳସୀରେ ଧଳା ଫୁଲରେ ପୂଜା ପାଉଥିବା ମହାପ୍ରଭୁଙ୍କୁ ଆଜିଠାରୁ ତୁଳସୀ ଲାଗି ହେବ । ଏହା ପୂର୍ବରୁ ଠାକୁରମାନଙ୍କୁ ଫୁଲୁରି ତେଲ ଲାଗି ହୋଇ ସାରିଛି । ଦଶମୂଳ ଲାଗି ହେବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ଚତୁର୍ଦ୍ଦଶୀ ତିଥିରେ ବନକ ଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେବେ ।

ପରମ୍ପରା ମୁତାବକ ଗତକାଲି ମହାପ୍ରଭୁଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ବିଶ୍ରାମ କରୁଥିବା ମହାପ୍ରଭୁ ଆଜି ଚକା ଉପରେ ବିଜେ କରିଛନ୍ତି । ଏହି ନୀତି ୧୨ଟାରୁ ସାଢ଼େ ୪ଟା ମଧ୍ୟରେ ହେବାକୁ ଥିବା ବେଳେ ଗତକାଲି ନୀତି ମୁତାବକ ସମସ୍ତ କାର୍ୟ୍ୟ ସୁରଖୁରୁରେ ସଂପନ୍ନ ହୋଇଛି । ବିଶ୍ରାମାବସ୍ଥାରୁ ଚକା ଉପରେ ବିଜେ ହେବା ସ୍ଥିତି ମହାପ୍ରଭୁଙ୍କ ସୁସ୍ଥତାର ପରିଚୟ ଦେଇଛି । ଚକା ବିଜେ ହେବା ପରେ ଶ୍ରୀମନ୍ଦିରକୁ ଏହି ଦଶମୂଳ (ମୋଦକ) ବିଜେ କରାଯାଇଛି । ପ୍ରଭୁଙ୍କ କବିରାଜମାନେ ଏହି ଔଷଧକୁ ଦୀର୍ଘଦିନ ଶୁଦ୍ଧପୂତ ଭାବରେ ପ୍ରସ୍ତୁତ କରିଥିଲେ । ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧୀ ପ୍ରସ୍ତୁତ କରାଯାଇଥିଲା ।

Comments are closed.