୧୫ ଦିନ ଅଣସର ଘରେ ରହିବେ ଶ୍ରୀଜିଉ ! ମହାପ୍ରଭୁଙ୍କ ବଦଳରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ ଭକ୍ତ

45

କନକ ବ୍ୟୁରୋ : ସରିଛି ସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନବେଦୀକୁ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ । ଆଉ ଏହାପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରକୁ ଯିବେ ମହାପ୍ରଭୁ । ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ତେଣୁ ଅଣସର ଘରେ ଶ୍ରୀଜିଉ ୧୫ ଦିନ ରହିବା ସମୟରେ ଭକ୍ତ ମାନେ ବ୍ରହ୍ମଗିରି ଯାଇ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଓଡିଆ ପରମ୍ପରା ଏବଂ ଭକ୍ତଙ୍କ ବିଶ୍ୱାସ ଅନୁଯାୟୀ, ଏହି ୧୫ ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନର ସମଫଳ ମିଳିଥାଏ ।
ଆସନ୍ତାକାଲିଠାରୁ ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ । ତେଣୁ ଭକ୍ତ ମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭକ୍ତମାନଙ୍କ ସୁରକ୍ଷା ପାଇଁ ପ୍ରଥମ ଥର ୯ଟି ସିସିଟିଭି କ୍ୟାମେରା ମନ୍ଦିର ଚାରିପଟେ ଲଗିଛି । କେବଳ ସେତିକି ନୁହେଁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ପ୍ରସାଦ ସେବନ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ଏହାଛଡ଼ା ମନ୍ଦିରକୁ ସଜ୍ଜିତ ମଧ୍ୟ କରାଯାଇଛି ।