ଭୁବନେଶ୍ୱର,କଟକ,ପୁରୀ ବ୍ୟୁରୋ,କନକ ନ୍ୟୁଜ୍ : ଅକ୍ଷୟ ତୃତୀୟାରେ ରାଜନୀତି । ରାଜ୍ୟର ତିନି ପ୍ରମୁଖ ଦଳର ନେତାଙ୍କ ଫୋକସରେ କୃଷକ । ଉପକୂଳ ଓଡିଶାର ତିନି ଜିଲ୍ଲାର ତିନିଟି ଗାଁରେ ଆୟୋଜନ ହୋଇଥିଲା କାର୍ଯ୍ୟକ୍ରମ । ଚାଷଜମିରେ ହୋଇଥିଲା ରାଜନୈତିକ ଶକ୍ତି ପ୍ରଦର୍ଶନ ।

ଲକ୍ଷ୍ମୀନାରାୟଣପୁରରେ ବିଜେଡି । କନ୍ଦରପୁରରେ ବିଜେପି । ବୁଦ୍ଧିପଡାରେ କଂଗ୍ରେସ୍ । ପାରମ୍ପାରିକ ଉତ୍ସବରେ ରାଜନୀତିର ମହୋତ୍ସବ । ଆଉ ବଡ ବଡ ନେତାଙ୍କୁ ପାଇ କର୍ମୀ ଓ କୃଷକ ଉତ୍ସାହିତ ।

ପିପିଲି ବ୍ଲକ୍ ଲକ୍ଷ୍ମୀନାରାୟଣପୁରରେ ଅଖିମୁଠି ଅନୁକୂଳ କରିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ । ବିହନ ପେଡିକୁ ଛୁଇଁବା ସହ ହଳ, ଲଙ୍ଗଳରେ ହାତରଖି ଚାଷúଙ୍କ ପାଇଁ କରିଥିଲେ ଶୁଭକାମନା । ସାଥୀରେ ଥିଲେ ମନ୍ତ୍ରୀ ଓ ବିଧାୟକ । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ବିଧାୟକ ଶଶିଭୂଷଣ ବେହେରା ଲଙ୍ଗଳ ଚଳାଇଥିଲେ ଚାଷଜମିରେ । ହୁଏତ ଏମାନେ ସବୁଦିନିଆ ଚାଷୀ ନୁହନ୍ତି, ହେଲେ ଏମାନଙ୍କ ଚାଷୀ ଅବତାର ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ସାରା ରାଜ୍ୟର ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ଭାଷଣ ।

ସେପଟେ କନ୍ଦରପୁରରେ କେନ୍ଦ୍ରୀୟ ନେତାଙ୍କ ଭିଡ । ପ୍ରଥମ ଥର ପାଇଁ ଜଣେ କେନ୍ଦ୍ର କୃଷିମନ୍ତ୍ରୀ ଓଡିଶାର ଏହି ନିଆରା ପରମ୍ପରାରେ ସାମିଲ୍ ହୋଇଥିଲେ । ଆୟୋଜନକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡଚଥିଲା ଅକ୍ଷୟ ତୃତୀୟା ପଛରେ ଥିବା ରାଜନୀତିକୁ । ଚର୍ଚ୍ଚା ହେଉଥିଲା ମୁଖ୍ୟମନ୍ତ୍ରୀଙ୍କ ହଳଲଙ୍ଗଳକୁ ମାତ୍ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା କରିଛନ୍ତି ଯୋଜନା । ଆଉ ଏଠାରେ ବି ସରକାରୀ କାର୍ଯ୍ୟକ୍ରମ ଆଢୁଆଳରେ ସଫା ସଫା ଦେଖାଯାଉଥିଲା ଦଳୀୟ ରାଜନୀତିର ଚିତ୍ର ।

ଆଗକୁ ପଂଚାୟତ ନିର୍ବାଚନ । କୃଷକ ହେଲେ ରାଜ୍ୟର ସବୁଠାରୁ ବଡ ଭୋଟ୍ ବ୍ୟାଙ୍କ୍ । ତେଣୁ କଂଗ୍ରେସ୍ ବି ଅକ୍ଷୟ ତୃତୀୟାରୁ ଫାଇଦା ନେବାକୁ କରିଥିଲା ଯୋଜନା । ବୁଦ୍ଧିପଡାରେ ସଦଳବଳେ ପହଂଚିଥିଲେ ରାଜ୍ୟ କଂଗ୍ରେସର ମୁଖ୍ୟ ପ୍ରସାଦ ହରିଚନ୍ଦନ । ବିଜେଡି ଓ ବିଜେପି କାର୍ଯ୍ୟକ୍ରମକୁ ଦେଖିଲେ କଂଗ୍ରେସର ଆୟୋଜନ ଟିକେ ମାନ୍ଦା ଲାଗୁଥିଲା କାରଣ ପ୍ରସାଦଙ୍କ ପାଖରେ ନିଜ ଶ୍ୱଶୁର ତଥା ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଛାଡିଦେଲେ ଆଉ କେହି ଜଣାଶୁଣା ନେତା ନଥିଲେ । ଆଉ ଉଭୟ ପ୍ରସାଦ ଓ ସୁର ଏଠି ଅନୁକୂଳ କରିବା ସହ ଚଷା ଭାଇଙ୍କୁ ଦେଇଥିଲେ ଶୁଭେଚ୍ଛା ।