ଆଜି ଅନୁକୂଳର ପର୍ବ ଅକ୍ଷୟ ତୃତୀୟା । ହେବ ଅକ୍ଷିମୁଠି ଅନୁକୂଳ । ପୁରୀରେ ଆରମ୍ଭ ହେବ ରଥକାମ, ଚାପ ଖେଳିବେ ଠାକୁର

376

କନକ ବ୍ୟୁରୋ: ଆଜି ଅକ୍ଷୟ ତୃତୀୟା । ବିଲରେ ଅଖି ମୁଠି ଅନୁକୂଳ କରିବ ଚାଷୀ । ଅକ୍ଷୟ ତୃତୀୟା ଏକ ପବିତ୍ର ଦିନ ହୋଇଥିବାରୁ ଅନେକ ନୂଆ କାମର ଶୁଭାରମ୍ଭ ଆଜି କରାଯାଇଥାଏ । ଶାସ୍ତ୍ର କହୁଛି, ଅକ୍ଷୟ ତୃତୀୟା ଦିନ ସତ୍ୟଯୁଗର ଆରମ୍ଭ ହୋଇଥିଲା । ଦେବତା ଓ ମୁନିଋଷି ମାନେ ହିଁ ପ୍ରଥମେ ଧରାବକ୍ଷରେ ଧାନ ବିହନ ବୁଣିଥିଲେ । ଫଳରେ ଆଜି ଚାଷୀ ତା କ୍ଷେତରେ ଅଖିମୁଠି ଅନୁକୁଳ କରିଥାଏ ।

ଶ୍ରୀମନ୍ଦିରରେ ବିଶୃଙ୍ଖଳା ଲାଗିରହିିଥିବା ବେଳେ ଅକ୍ଷୟ ତୃତୀୟାରେ ଆଜି ପୁରୀରେ ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା ଆରମ୍ଭ ହେବ । ପ୍ରଭୁଙ୍କୁ ପ୍ରଚଣ୍ଡ ଖରାରୁ ଉପଶମ ଦେବା ଲାଗି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବା ଲାଗି ବନ୍ଦୋବସ୍ତ କରାଯାଇଛି । ଡଙ୍ଗାରେ ପ୍ରଭୁ ଜଳକ୍ରୀଡା କରିବେ ।

ସେପଟେ ଆଜିଠାରୁ ଆରମ୍ଭ ହେବ ରଥ କାଠ ଅନୁକୂଳ ନୀତି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ଖଳାରେ ରଥ ନିର୍ମାଣ ଅନୁକୂଳ କରାଯିବ । ଶ୍ରୀମନ୍ଦିରରେ ପୂଜାର୍ଚନା ପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଜ୍ଞାମାଳ ବିଜେ କରିବେ । ଶ୍ରୀମନ୍ଦିର ପ୍ରଶାସନ ଆଗରେ ତିନିଟି ୧୨ ଫୁଟିଆ ଧଉରା କାଠ ପ୍ରସ୍ତୁତ ରଖାଯାଇଛି । ଆଜ୍ଞାମାଳ ଆସିବା ପରେ ରଥନିର୍ମାଣର ବିଧି ଆରମ୍ଭ ହେବ ।

ଶ୍ରୀମନ୍ଦିରରୁ ବିମାନ ବଡଦାଣ୍ଡରେ ବିଜେ କରିବା ପରେ ରଥଖଳାରେ ବନଯାଗ ବିଧୀରେ ପୂଜାର୍ଚନା କରାଯିବ । ତାପରେ ବ୍ରାହ୍ମଣମାନେ କୁରାଢୀରେ କାଠକୁ ଛୁଇଁବେ । ଏହାପରେ ଆରମ୍ଭ ହେବ ମହାପ୍ରଭୁଙ୍କ ଚଳିତ ବର୍ଷର ରଥ ନିର୍ମାଣ ବିଧି । ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୁପକାର ଓ ଚିତ୍ରକାରଙ୍କୁ ଶାଢି ବନ୍ଧାଯିବ । ରଥ ନିର୍ମାଣକୁ ନେଇ ଚଳଚଂଚଳ ହୋଇଉଠିଛି ରଥଖଳା ।