ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଦଳରୁ ବହିଷ୍କାର କଲେ ମୁଲାୟମ ସିଂ ଯାଦବ

40

କନକ ବ୍ୟୁରୋ : ପୁଅକୁ ପାର୍ଟିରୁ ବାହାର କରିଦେଲେ ବାପା । ପଦରେ ଥିବା ସମୟରେ ସମାଜବାଦୀ ପାର୍ଟିରୁ ବହିଷ୍କୃତ ହୋଇଛନ୍ତି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଆଉ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇଛନ୍ତି ଦଳର ସୁପ୍ରିମୋ ତଥା ଅଖିଳେଶଙ୍କ ବାପା ମୁଲାୟମ ସିଂ ଯାଦବ । ସମାଜବାଦୀ ପାର୍ଟିକୁ ରକ୍ଷା କରିବା ପାଇଁ ମୁଲାୟମ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ।

ଆଜି ସଂଧ୍ୟାରେ ମୁଲାୟମ ସିଂ ଯାଦବ ଏକ ପ୍ରେସମିଟ କରି ନିଜ ପୁଅକୁ ପାର୍ଟିରୁ ବହିଷ୍କାର କରିଥିବା କହିଛନ୍ତି ।ଫଳରେ ୟୁପି ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏବେ ବାପା-ପୁଅ ଯୁଦ୍ଧ ଜୋରଦାର ହେବା ଆକଳନ କରାଯାଉଛି । ସମାଜବାଦୀ ପାର୍ଟି ଛାଡିବା ପରେ ଅଖିଳେଶ ନୂଆ ଦଳ ଗଢି ବାପାଙ୍କ ବିରୋଧରେ ଲଢିବେ ବୋଲି କଳ୍ପନା ଜଳ୍ପନା କରାଯାଉଛି ।

ମୁଲାୟମଙ୍କ ଭାଇ ଶିବପାଲ ଯାଦବ ସଂଗଠନ ଦାୟିତ୍ୱରେ ଥିବାବେଳେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ କିନ୍ତୁ ଠିକ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କୁ ଟିକେଟ ବଂଟନକୁ ନେଇ ଏକ ବଡ ଧରଣର କନ୍ଦଳ ଦେଖିବାକୁ ମିଲିଥିଲା ।

ଦାଦା ଶିବପାଲଙ୍କ ପ୍ରାର୍ଥୀ ତାଲିକାକୁ ଚ୍ୟାଲେଂଜ୍ ଦେଇ ଅଖିଳେଶ ନିଜ ସମର୍ଥକଙ୍କର ଏକ ସମାନ୍ତରାଳ ତାଲିକା ଘୋଷଣା କରିଥିଲେ । ବାପା ମୁଲାୟମ ପୁଅ ଅଖିଳେଶଙ୍କୁ ୬ ବର୍ଷ ପାଇଁ ପାର୍ଟିରୁ ବହିଷ୍କାର କରି ଭାଇ ଶିବପାଲଙ୍କୁ ସାଙ୍ଗରେ ନେଇ ସାମଜବାଦୀ ରାଜନୀତି ଜାରି ରଖିବେ । ଆଉ ପୁଅ ଅଖିଲେଶ ବାପା ଓ ଦାଦାଙ୍କ ବିରୋଧରେ ଯାଇ ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବରେ ଉତର ପ୍ରଦେଶରେ ନିର୍ବାଚନ ଲଢିବେ ।