ହଟହଟା ହେଲେ ଅଖିଳେଶ ଯାଦବ ! ଲକ୍ଷ୍ନୌ ଏୟାରପୋର୍ଟରେ ହେଲେ ଅଟକ, ବିଜେପିକୁ କଲେ ଦାୟୀ, ଯୋଗୀ ରଖିଲେ ଉତ୍ତର ।

291

କନକ ବ୍ୟୁରୋ : ବିରୋଧର ଶିକାର ହେଲେ ସପା ମୁଖ୍ୟ ଅଖିଳେଶ ଯାଦବ । ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ସାମିଲ ହେବା ପାଇଁ ଏବଂ ଛାତ୍ର ସଂଘର କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଲକ୍ଷ୍ନୌ ଏୟାରପୋର୍ଟରେ ଅଖିଳେଶ ଯାଦବଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । କିଛି ଲୋକ ତାଙ୍କୁ ପ୍ରୟାଗରାଜ ଯିବାକୁ ଦେଉନଥିବା ଅଖିଳେଶ ଟୁଇଟ କରି ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ପାଇଁ ସେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସମାଜବାଦି ଛାତ୍ର ସଂଘର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଖିଳେଶ ଯୋଗାଦେବାର କାର୍ଯ୍ୟକ୍ରମ ଥିବାବେଳେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇ ଦିଆଯାଇଛି । ଏନେଇ ଅଖିଳେଶ ଟୁଇଟ କରି କହିଛନ୍ତି ଯେ, ଛାତ୍ର ନେତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସରକାର ଏତେ ଡରୁଛନ୍ତି ଯେ ମୋତେ ଏୟାରପୋର୍ଟରେ ଅଟକ ରଖିଛନ୍ତି । ସେପଟେ ସପା କର୍ମକର୍ତାମାନେ ପ୍ରୟାଗରାଜରେ ଏନେଇ ପ୍ରତିବାଦ କରିଛନ୍ତି । ରାସ୍ତା ମଝିରେ ବସିରହି ସେମାନେ ମୋଦି ଓ ଯୋଗୀ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ସପାର ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଅଖିଳେଶ ସିଂହ ଯାଦବ ।

ସେପଟେ ପୁରା ଘଟଣାକୁ ନେଇ ତୀବ୍ର ହିଂସା ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି, ସପା କର୍ମକର୍ତ୍ତାଙ୍କୁ ଏଭଳି ବିଶୃଙ୍ଖଳାରୁ ଦୂରେଇ ରହିବା ଆବଶ୍ୟକ । ତେବେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅପିଲ କରାଯାଇଥିଲା ଯେ, ଅଖିଲେଶଙ୍କ ଆସିବା ଦ୍ୱାରା ଆଇନ ବିଶୃଙ୍ଖଳା ସମସ୍ୟା ଦେଖାଦେଇପାରେ । କାହିଁକି ନା ତାଙ୍କ ଛାତ୍ର ସଂଗଠନ ମଧ୍ୟରେ ବିବାଦ ଚାଲିଛି । ଆଉ ଏଥିପାଇଁ ଏଭଳି କରାଯାଇଥିବା ଯୋଗୀ ସଫେଇ ଦେଇଛନ୍ତି ।