ଉତ୍ତରପ୍ରଦେଶ ରାଜନୀତିରେ ହଟଚମଟ! ନେତାଜୀଙ୍କ ନିଷ୍ପତିରେ ଖପ୍ପା ଅଖିଳେଶ ସମର୍ଥକ

23

ସମାଜବାଦୀ ପାର୍ଟିରୁ ଅଖିଳେଶ ଯାଦବଙ୍କ ବହିଷ୍କାର ଆଦେଶ ପ୍ରତ୍ୟାହାର ସଂପର୍କରେ ସୂଚନା ମିଳିଛି । ସେପଟେ ଏହି ପାରିବାରିକ ବିବାଦ ଗଣ୍ଡଗୋଳର ରୂପ ନେଇଛି । ବାପ-ପୁଅଙ୍କ ସମର୍ଥକ ହାତାହାତି ହୋଇଛନ୍ତି । ଅଖିଳେଶଙ୍କୁ ଦଳରୁ ବହିଷ୍କାର ପରେ ତାଙ୍କ ସମର୍ଥକ ଖପ୍ପା ହୋଇଥିବା ବେଳେ ଦାଦା ଶିବପାଲ ଯାଦବଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଛନ୍ତି । ଶିବପାଲଙ୍କ ସମର୍ଥକଙ୍କ ରାଲି ବେଳେ ଉଭୟ ପକ୍ଷଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଛି ।

ସେପଟେ ବାପାଙ୍କ ଉପରେ ଭାରୀ ପଡିଛନ୍ତି ପୁଅ । ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ତୁଳନାରେ ଅଧିକ ସମର୍ଥନ ରହିଛି ପୁଅ ଅଖିଳେଶଙ୍କ ପାଖରେ । ଆଜି ବୈଠକରୁ ଏହା ସ୍ପଷ୍ଟ ହୋଇଯାଇଛି । ୧୯୦ ବିଧାୟକ ତାଙ୍କୁ ସମର୍ଥନ କରୁଥିବା କହିଛନ୍ତି ଅଖିଳେଶ । ଏହା ପରେ ମୁଲାୟମ ଓ ଅଖିଳେଶଙ୍କ ମଧ୍ୟରେ ବୁଝାମଣା ଉଦ୍ୟମ ଆରମ୍ଭ ହୋଇଛି । ଆଉ ଏଥିରେ ଦଳର ବରିଷ୍ଠ ନେତା ଆଜମ୍ ଖାନ୍ ମଧ୍ୟସ୍ଥତା କରିଛନ୍ତି ।

ମୁଲାୟମଙ୍କ ବାସଭବନରେ ଏ ନେଇ ଏକ ବୈଠକ ଶେଷ ହୋଇଛି । ଏହି ବୈଠକରେ ମୁଲାୟମ-ଅଖିଳେଶ ଓ ଶିବପାଲ ଯାଦବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅଖିଳେଶ ତାଙ୍କ ସମର୍ଥକଙ୍କ ତାଲିକା ମୁଲାୟମଙ୍କୁ ଦେଇଛନ୍ତି । ଏହା ସହ ଅମର ସିଂଙ୍କୁ ଦଳରୁ ବାହାର କଲେ ହିଁ ବୁଝାମଣା ସମ୍ଭବ ହେବ ବୋଲି ସେ କହିଛନ୍ତି ।

ତେବେ ଏହି ବିବାଦର ସମ୍ମାନଜନକ ସମାଧାନ ବାହାର କରିବେ ବୋଲି କହିଛନ୍ତି ମୁଲାୟମ । ତେଣୁ ଖୁବ୍ ଶୀଘ୍ର ସେ କୌଣସି ବଡ ଘୋଷଣା କରିବା ସଂଭାବନା ରହିଛି ।