କୋଟିଏ ମହିଳାଙ୍କୁ ପେନସନ୍ ! ନିର୍ବାଚନ ବଜାରକୁ ଇସ୍ତହାର ଛାଡିଲେ ଅଖିଳେଶ ଯାଦବ

39

କନକ ବ୍ୟୁରୋ : ପାରିବାରିକ କଳହ, ସାଇକେଲ୍ ପାଇଁ ବାପ-ପୁଅ ବଳ କଷାକଷି ଏବଂ କଂଗ୍ରେସ ସହ ମେଂଟ ଅଙ୍କକଷା ମଧ୍ୟରେ ସମାଜବାଦୀ ପାର୍ଟି ପ୍ରକାଶ କରିଛି ନିର୍ବାଚନୀ ଇସ୍ତହାର । ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଜାରି କରିଛନ୍ତି ଘୋଷଣାପତ୍ର । ୟୁପିର ବିକାଶ ପାଇଁ ପୁଣି ୫ ବର୍ଷ ମାଗିଛନ୍ତି ଅଖିଳେଶ ସରକାର ।

ଗାଁରୁ ସହର, ଗରିବଠୁ ଧନୀ । ମହିଳା, ବୃଦ୍ଧ ଓ ଶିଶୁ, ସମସ୍ତଙ୍କ ପାଇଁ ଘୋଷଣା ପତ୍ରରେ ରହିଛି ଭଳିକି ଭଳି ଯୋଜନା । ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ବିକାଶର ବାର୍ତା । ନିର୍ବାଚନ ଜିତି ପୁଣି ସରକାର ଗଢିବାକୁ ଅଖିଳେଶ ଦେଖାଇଛନ୍ତି ବିକାଶର ସ୍ୱପ୍ନ । ଖାଲି ସେତିକି ନୁହେଁ ସମାଜବାଦୀ ପାର୍ଟିର ଗତ ୫ ବର୍ଷର ସଫଳତା ଓ ବିରୋଧୀଙ୍କ ବିଫଳତା କଥା କହିବାକୁ ବି ଭୁଲିନାହାଁନ୍ତି ଅଖିଳେଶ ।

ଏବେ ନଜର ପକାନ୍ତୁ କଣ ରହିଛି ସମାଜବାଦୀ ପାର୍ଟିର ଘୋଷଣାପତ୍ରରେ । ୧କୋଟି ମହିଳାଙ୍କୁ ମାସିକ ୧୦୦୦ଟଙ୍କା ଲେଖାଏଁ ପେନସନ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ ହେବ କନ୍ୟା ବିଦ୍ୟା ଯୋଜନା । ଏଥିସହ ସ୍ମାର୍ଟ ପିଲାଙ୍କୁ ମିଳିବ ସ୍ମାର୍ଟ ଫୋନ୍ ଓ ଲାପଟପ୍ । ବିଭିନ୍ନ ସହରକୁ ୪ଲାଇନ ବିଶିଷ୍ଟ ଏକ୍ସପ୍ରେସ ୱେର ସୁବିଧା ରହିବ । ଆଗ୍ରା, କାନପୁର, ମିରଟରେ ମେଟ୍ରୋ ରେଳ ସୁବିଧା କରାଯିବ । ଗରିବ ମହିଳାଙ୍କୁ ମାଗଣାରେ ମିଳିବ ପ୍ରେସର କୁକର । ଏଥିସହ ଆରମ୍ଭ ହେବ ସ୍କାର୍ଟ ଫୋନ୍ ଯୋଜନା । କୃଷକଙ୍କ ପାଇଁ ରହିବ ସ୍ୱତନ୍ତ୍ର ପ୍ୟାକେଜ । ଗରିବ ଲୋକଙ୍କୁ ମାଗଣାରେ ଗହମ ଯୋଗାଇ ଦିଆଯିବ ।

ସେପଟେ ଦୁଇ ଦିନର ଅଙ୍କକଷା ପରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି । ଏଥର ବିଧାନସଭା ନିର୍ବାଚନରେ ମେଂଟ କରି ଉଭୟ ଦଳ ଲଢିବେ । ଏଥିପାଇଁ କଂଗ୍ରେସକୁ ୧୦୫ଟି ଆସନ ଛାଡିଛି ସମାଜବାଦୀ ପାର୍ଟି ।