ବାପାଙ୍କୁ ବିଦାକଲେ ପୁଅ : ସମାଜବାଦୀ ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଅଖିଳେଶ

34

କନକ ବ୍ୟୁରୋ : ୟୁପି ଫାମିଲି ଡ୍ରାମାରେ ନାଟକୀୟ ମୋଡ । ବାପା ମୂଲାୟମଙ୍କୁ ପଦଚ୍ୟୁତ କରି ସମାଜବାଦୀ ପାର୍ଟିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।

ବାପାଙ୍କ ବିରୋଧରେ ବିଦ୍ରୋହ କରି ଆଜି ଦଳର ସ୍ୱତନ୍ତ୍ର ରାଷ୍ଟ୍ରୀୟ ଅଧିବେଶନ ଡକାଇ ଥିଲେ ଅଖିଳେଶ । ଅଧିବେଶନରେ ସର୍ବସମ୍ମତିରେ ମୂଲାୟମଙ୍କୁ ହଟାଇ ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣା କରାଯାଇଛି ।

ମୁଲାୟମ, ଦଳର ମାର୍ଗଦର୍ଶକ ଭୂମିକା ତୁଲାଇବେ ବୋଲି କୁହାଯାଇଛି । ସେହିପରି ଅମର ସିଂହ ଓ ଶିବପାଲ ଯାଦବଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଫଳରେ ସମାଜବାଦୀ ପାର୍ଟି ଦି’ ଫାଳ ହୋଇଯାଇଛି ।

ଗତକାଲି ୧୮ ଘଂଟାର ଫାମିଲି ଡ୍ରାମା ପରେ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ ଓ ବରିଷ୍ଠ ନେତା ରାମ ଗୋପାଳ ଯାଦବଙ୍କ ଉପରେ ବହିଷ୍କାର ଆଦେଶ ପ୍ରତ୍ୟାହାର କରା ଯାଇଥିଲା ।

ବାପ-ପୁଅଙ୍କ ମଧ୍ୟରେ ମିଳାମିଶା ନେଇ ରାଜ୍ୟବାସୀ ଓ ଦଳୀୟ କର୍ମୀଙ୍କୁ ସଂଦେଶ ଦିଆଯାଇଥିଲା । ହେଲେ ଆଜି ସକାଳୁ ପୁଣି ଥରେ ମୂଲାୟମ-ଅଖିଳେଶ ମୁହାଁମୁହିଁ ହୋଇଛନ୍ତି ।

ଦଳର ସୁପ୍ରିମୋ ମୁଲାୟମ ସିଂହ ଯାଦବଙ୍କ ବାରଣ ସତ୍ୱେ ଆଜି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧିବେଶନ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଗତକାଲି ୨୦୭ ଜଣ ବିଧାୟକଙ୍କ ତାଙ୍କ ପ୍ରତି ସମର୍ଥନ ରହିଥିବା ଦାବି କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ।

ଆଜି ରାଷ୍ଟ୍ରୀୟ ଅଧିବେଶନ ଡାକି ଅଖିଳେଶ ପ୍ରମାଣ କରିଛନ୍ତି, ସେ ହିଁ ଦଳର ସର୍ବେସର୍ବା । ଏହି ବୈଠକ ଅସାମ୍ବିଧାନିକ ବୋଲି କହିଥିଲେ ମୂଲାୟମ । ଏଥିରେ ଯୋଗ ନଦେବାକୁ ନେତାଜୀଙ୍କ ଚେତାବନୀକୁ ପରୱା ନକରି ବହୁ ସଂଖ୍ୟାରେ ଦଳର ବରିଷ୍ଠ ନେତା କାର୍ଯ୍ୟକାରିଣୀ ଯୋଗ ଦେଇଥିଲେ ।

ଅଖିଳେଶଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ସହ ଶିବପାଲ ଯାଦବ ଓ ଅମର ସିଂହଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବି କରାଯାଇଥିଲା । ଯାହାକୁ ସର୍ବସମ୍ମତିରେ ଗ୍ରହଣ କରାଯାଇଥିଲା ।