ଭାରତର କ୍ଷେପଣାସ୍ତ୍ରର ମାନ ନେଇ ପ୍ରଶ୍ନ ଉଠାଇଲେ ସିଏଜି ! କହିଲେ, ଭେଲରୁ ଆସିଥିବା ଆକାଶ କ୍ଷେପଣାସ୍ତ୍ର ନିମ୍ନମାନର

46

କନକ ବ୍ୟୁରୋ: ଭାରତର କ୍ଷେପଣାସ୍ତ୍ରର ମାନ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି । ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ରର ମାନକୁ ନେଇ ଉଠିଛି ପ୍ରଶ୍ନ । ଭାରତ ଇଲେକ୍ଟ୍ରନିକ୍ସ ଲିମିଟେଡରୁ ଅଣାଯାଉଥିବା କ୍ଷେପଣାସ୍ତ୍ରଗୁଡିକ ନିମ୍ନମାନର ବୋଲି କହିଛନ୍ତି ସିଏଜି । ଏହି ମିସାଇଲଗୁଡିକ ଚୀନ ସୀମାନ୍ତରେ ମୁତୟନ ହେବାକୁ ଥିଲା ।

୨୦୧୩ରୁ ୨୦୧୫ ମଧ୍ୟରେ ୬ଟି ସ୍ଥାନରେ ଏହି ମିସାଇଲ ବ୍ୟବସ୍ଥା ମୁତୟନ ହେବାକୁ ଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇନଥିବା କହିଛନ୍ତି ସିଏଜି । ଏଥିପାଇଁ ୩ ହଜାର ୬୧୯ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ତେବେ କ୍ଷେପଣାସ୍ତ୍ର ନାଁ ଉଲ୍ଲେଖ କରିନଥିଲେ ବି ସିଏଜି ଆକାଶ କ୍ଷେପଣାସ୍ତ୍ର ବିଷୟରେ ମନ୍ତବ୍ୟ ଦେଇଥିବା କୁହାଯାଉଛି । ଅନ୍ୟପଟେ ଏହି କ୍ଷେପଣାସ୍ତ୍ରର ୩୦ ପ୍ରତିଶତ ବିଫଳ ପରୀକ୍ଷଣ ହୋଇଛି । ତେଣୁ ଏହାର ମାନକୁ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦ଟି ପରୀକ୍ଷଣ ମଧ୍ୟରୁ ୬ଟି ପରୀକ୍ଷଣ ବିଫଳ ହୋଇଥିବା ସିଏଜି ଉଲ୍ଲେଖ କରିଛନ୍ତି ।

ସିଏଜି ମତରେ, ଯୁଦ୍ଧ ସ୍ଥିତିରେ ଆକାଶ ମିସାଇଲର ବ୍ୟବହାର ବିଶ୍ୱାସ ଯୋଗ୍ୟ ନୁହେଁ । ଏଥିପାଇଁ ପୂର୍ବ ସୀମାରେ ଏହାକୁ ମୁତୟନ କରାଯାଇନାହିଁ । ୩୦ ପ୍ରତିଶତ ପ୍ରାରମ୍ଭିକ ଯାଂଚରେ ଫେଲ ହୋଇଛି ଆକାଶ ମିସାଇଲ । ପାର୍ଲାମେଂଟରେ ଉପସ୍ଥାପିତ ସିଏଜି ରିପୋର୍ଟରେ କୁହାଯାଇଛି, ୨୦୧୩ରୁ ୨୦୧୫ ମଧ୍ୟରେ ସିଲିଗୁଡି କରିଡର ସହିତ ଚୀନ ସୀମାକୁ ଲାଗିଥିବା ୬ଟିବେସରେ ଏହାକୁ ମୁତୟନ କରାଯିବା କଥା । କିନ୍ତୁ ଏହା ଏଯାଏଁ ହୋଇନାହିଁ ।

ଭାରତ ହେଭି ଇେକ୍ଟ୍ରୋନିକ୍ସ ଲିମିଟେଡ, ଭେଲ ଦ୍ୱାରା ଆକାଶ ମିସାଇଲ ନିର୍ମାଣରେ ପ୍ରାୟ ୩୯ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସିଏଜିର ରିପୋର୍ଟ ଅନୁସାରେ, ପ୍ରାୟ ୭୦ ମିସାଇଲର ଜୀବନକାଳ ବେକାର ଯାଇଛି ଷ୍ଟୋରେଜ ବ୍ୟବସ୍ଥା ନଥିବାରୁ ଏଭଳି ଅସୁବିଧା ଦେଖାଦେଇଛି ।

ଆକାଶ ମିସାଇଲର ତିଆରି କରିବା ଲାଗି କୋଟି କୋଟି ଟଙ୍କା ଖର୍ଚ ହୋଇଛି । ୧୫୦ ମିସାଇଲର ଜୀବନକାଳ ୨ରୁ ୩ ବର୍ଷ ଓ ୪୦ ମିସାଇଲର ଜୀବନକାଳ ଏକରୁ ଦୁଇବର୍ଷ କମ ହୋଇଯାଇଛି । ଆକାଶର ଜୀବନକାଳ ତିଆରି କରିବାଦିନଠାରୁ ୧୦ ବର୍ଷ ହୋଇଥାଏ । ୨୦୧୦ ମସିହାରେ ଆକାଶକୁ ସିଲିଗୁଡି କରିଡରରେ ମୁତୟନ ପାଇଁ ତତକାଳୀନ ୟୁପିଏ ସରକାର ମଞ୍ଜୁରୀ ଦେଇଥିଲେ ।