ବାଣ ନୁହେଁ ହସ ଫୁଟାଇବା ! କନକ ନ୍ୟୁଜର ଅଭିଯାନରେ ସାମିଲ୍ ହୋଇଛନ୍ତି ଅଭିନେତା ଆକାଶ ଦାସ ନାୟକ

193

କନକ ବ୍ୟୁରୋ : ଆସିଛି ଆଲୋକର ପର୍ବ ଦୀପାବଳୀ । ରଙ୍ଗୀନ ଆଲୋକରେ ସଜେଇ ହେଲାଣି ସହର ବଜାର ଓ ଗାଁ ଗଣ୍ଡା । ହେଲେ ଦୀପାବଳି ଅମାବାସ୍ୟା ଅନ୍ଧକାର ଭିତରେ ହଜିଯାଇଥିବା ଦୁଃଖୀ ଓ ନିସ୍ପେସିତ ପରିବାର ପାଇଁ ଏ ଆଲୋକର ପର୍ବର କିଛି ମାନେ ରଖେନି । ସେହିଭଳି ଦୁଃଖିଙ୍କୁ ମୁହଁରେ ହସ ଫୁଟାଇା ପାଇଁ ଆମର ସ୍ୱତନ୍ତ୍ର ଅଭିଯାନ ବାଣ ନୁହେଁ ହସ ଫୁଟାଇବା । ଆମର ଏହି ଅଭିଯାନରେ ସାମିଲ ହୋଇ ଏକ ଦୁଃଖି ପରିବାର ମୁହଁରେ ହସ ଫୁଟାଇବା ପାଇଁ ଆଗେଇ ଆସିଛନ୍ତି ଅଭିନେତା ଆକାଶ ଦାସ ନାୟକ ।

ଦୀପାବଳୀକୁ ରାତିଟିଏ ଅପେକ୍ଷା । ବାଣ ଫୁଟାଇ ଅଲୋକର ପର୍ବକୁ ପାଳନ କରିବା ପାଇଁ ଚାରିଆଡେ ଜୋରଦାର ପ୍ରସ୍ତୁତି । ହେଲେ ଯାଜପୁର ରୋଡ ମେଡିକାଲ ପରିସରରେ ପଡି ରହିଥିବା ମା’ ଓ ତାର କୁନିକୁନି ପିଲା ଦୁଇଟିଙ୍କ ପାଇଁ ଦୀପାବଳୀ ବି ଅନ୍ଧାରର ପର୍ବ । କାରଣ ଘର ନାହିଁ କି ଦ୍ୱାର ନାହିଁ । ଖୋଲା ଆକାଶ ଏମାନଙ୍କ ସାହାରା । ବାପା ଛାଡି ଚାଲିଯିବା ପରେ ଜରି ଗୋଟେଇ, ପର ଘରେ କାମ କରି ଛୁଆଙ୍କ ମୁହଁରେ ଗଣ୍ଡାଏ ଆହାର ଦେଉଥିଲେ ମା । ଏବେ ସେତ କ ବି ନାହିଁ । ଦୁର୍ଘଟଣାରେ ମହିଳାଙ୍କ ଗୋଡଟି ଭାଙ୍ଗି ଯିବା ପରେ କୁନିକୁନି ପିଲାଙ୍କ ମୁହଁରେ ଦାନା ଦେବା ପାଇଁ ସେ ଅସମର୍ଥ ।

ଦୀପାବଳୀରେ ଏ ଦୁଃଖି ପରିବାର ମୁହଁରେ ହସଫୁଟାଇବାକୁ ଆଗେଇ ଆସିଥିଲେ ସିନେ ତାରକା ଆକାଶ ଦାସ ନାୟକ । ହସ ବଜାରରୁ ମୁଠାଏ ହସ କିଛି ପହଂଚିଥିଲେ ଯାଜପୁର ରୋଡ ଡାକ୍ତରଖାନା ପରିସରରେ । ମହିଳାଙ୍କୁ ଭେଟି ତାଙ୍କ ସୁଖ ଦୁଃଖର ସାଥି ହେବାକୁ ପ୍ରତିଶୃତି ଦେଇଛନ୍ତି କୋରେଇ ବିଧାୟକ ଆକାଶ । ଏଭଳି ଏକ ପରିବେଶକୁ ଦେଖି ମହିଳାଙ୍କ ଆଖିରୁ ଲୁହ ଝରୁ ଥିବା ବେଳେ କୁନିକୁନି ପିଲା ଦୁଇ ଜଣ ମିଠା ଖାଇ, ନୁଆ ପୋଷାକ ପିନ୍ଧି ଚେନାଏ ହସିଥିଲେ । କିଛି ସମୟ ପାଇଁ ଡାକ୍ତରଖାନା ପରିସରରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।

କେବଳ ଏହି ମହିଳା ନୁହନ୍ତି ଏଭଳି ଅନେକ ଅଛନ୍ତି । ଯେଉଁମାନଙ୍କ ପାଇଁ ଦୀପାବଳିର କିଛି ମାନେ ନଥାଏ । ସେମାନଙ୍କ ମୁହଁରେ ହସ ଫୁଚାଇବା ବାଇଁ ଆମର ଏ ଅଭିଯାନ ବାଣ ନୁହେଁ ହସ ଫୁଟାଇବା ।

ଦୀପାବଳୀକୁ ଉତ୍ସାହର ସହ ପାଳନ କରିବା ସହ ଅନ୍ୟମାନଙ୍କ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ଆମର ଅଭିଯାନ ‘ବାଣ ନୁହେଁ ହସ ଫୁଟାଇବା’ । ଦୀପାବଳୀର ଆମର ଏହି ଭିନ୍ନ ପ୍ରୟାସରେ ସାମିଲ ହୋଇଛନ୍ତି ଅନେକ ସେଲିବ୍ରେଟି ଓ ସ୍ୱଚ୍ଛାସେବୀ ସଂଗଠନ । କଟକ ଜିଲ୍ଲା ନିଆଳୀ ବ୍ଲକ ବିନିଶପୁର ପଂଚାୟତରେ ‘ମା ଜଗତ ଜନନୀ ସେବା ଟ୍ରଷ୍ଟ, ଉଚ୍ଚାବାଲୀ ପକ୍ଷରୁ ଗରୀବଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଛନ୍ତି । ଅନୁଷ୍ଠାନ ପକ୍ଷରୁ ୧୦୦ଟି କମଳ ପ୍ରଦାନ କରାଯାଇଛି । ଦୀପାବଳୀରେ ବାଣ ଫୁଟାବାକୁ ରଖାଯାଇଥିବା ଅର୍ଥକୁ ଭିନ୍ନ ଉପାୟରେ ଖର୍ଚ୍ଚ କରିଛି ଅନୁଷ୍ଠାନ । ଆଗକୁ ଶୀତ ଆସୁଥିବାରୁ କମଳ ବୟଜ୍ୟେଷ୍ଠଙ୍କ ମୁହଁରେ ହସଫୁଟାଇବ ବୋଲି ଆଶା ରଖିଛାନ୍ତି ଅର୍ମକର୍ତା ।