ନବୀନ ନିବାସରେ ଟିକେଟ ପାଇଁ ଲବି ଜାରି : ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଲେ କୋରେଇ ବିଧାୟକ ଆକାଶ ଦାସ ନାୟକ ଓ ରବି ପାଣି

465

କନକ ବ୍ୟୁରୋ : ବିଜେଡିର ଅବଶିଷ୍ଟ ବିଧାନସଭା ଆସନ ପାଇଁ ନବୀନ ନିବାସରେ କସରତ ଚାଲିଛି । ଆଜି ଅପରାହ୍ନରେ ବିଜେଡି ବାକି ପ୍ରାର୍ଥୀ ତାଲିକା ଘୋଷଣା କରିବା ସମ୍ଭାବନା ରହିଛି । ୩ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ । ଏହା ପୂର୍ବରୁ ନବୀନ ନିବାସରେ ପହଂଚିଛନ୍ତି ନେତା । ଆଜି କୋରେଇ ବିଧାୟକ ଆକାଶ ଦାସ ନାୟକ ନବୀନ ନିବାସ ଆସିଥିଲେ । ନବୀନ ନିବାସକୁ ଆଜି ରବି ନାରାୟଣ ପାଣି ମଧ୍ୟ ଆସିଥିଲେ ।

ସେପଟେ ମହେଶ୍ୱର କହିଛନ୍ତି ପୁରୀରେ କାମ କରିବନି ହିନ୍ଦୁତ୍ୱ ଫର୍ମୁଲା । ସେ ଆହୁରି କହିଛନ୍ତି, ଯେଉଁମାନେ ଧର୍ମୀୟ ରାଜନୀତି କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କୁ ପୁରୀବାସୀ ଦୃଢ଼ ପ୍ରତିବାଦ କରିବେ । ନିର୍ବାଚନରେ କୌଣସି ପ୍ରକାର ଧର୍ମୀୟ ରାଜନୀତି ହେବା ଉଚିତ୍ ନୁହେଁ । ତେଣୁ ବିଜେପି ଏଭଳି କୁପ୍ରକୃତି ଚିନ୍ତାଧାରାରୁ ନିବୃତ ରହୁ ବୋଲି କହିଛନ୍ତି ମହେଶ୍ୱର । ସମ୍ବିତ ପାତ୍ରଙ୍କ ପୁରୀରେ ଶଙ୍ଖ ଫୁଟୁ ମନ୍ତବ୍ୟକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମହେଶ୍ୱର ଏବଂ କହିଛନ୍ତି, ସେ ଯଦି ନିଜେ କହୁଛନ୍ତି ପୁରୀ ଭଳି ଧର୍ମୀୟ ସ୍ଥାନରେ ‘ପଦ୍ମ’ ବଦଳରେ ‘ଶଙ୍ଖ’ ଫୁଟୁ ତେବେ ପୁରୀରେ ନିଶ୍ଚୟ ‘ଶଙ୍ଖ’ ଫୁଟିବ । ପୁରୀବାସୀ ଦୀର୍ଘ ବର୍ଷ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି । ତେଣୁ ପୁଣି ପୁରୀରେ ବିଜେଡି ବହୁମାତ୍ରାରେ ବିଜୟ ହେବେ ବୋଲି କହିଛନ୍ତି ପୁରୀ ବିଧାନସଭା ପ୍ରାର୍ଥୀ ମହେଶ୍ୱର ମହାନ୍ତି ।