ମାଟି ତଳେ ହେଉ କିି ନାଳ ଭିତରେ, ଯେଉଁଠି ହାତ ମାରିଲେ ମିଳୁଛି AK-47 । ଜାଣନ୍ତୁ କେଉଁଠି

38

ବିହାରର ମୁଙ୍ଗେର ଜିଲ୍ଲାରେ ପୋଲିସ ପକ୍ଷରୁ ହେଉଥିବା ସର୍ଚ୍ଚ ଅପରେସନରେ ଏବେ ପର୍ଯ୍ୟନ୍ତ ୨୦ରୁ ଅଧିକ AK-47 ରାଇଫଲ ଜବତ କରାଯାଇଛି । କେବଳ ଘର ନୁହେଁ କୂଅ ଏପରିିକି ନାଳରେ ମଧ୍ୟ AK-47 ରାଇଫଲ ଖୋଜିବାକୁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ବିହାରରୁ ଲଗାତାର ଏକେ-୪୭ରେ ଆକ୍ରମଣ କରାଯିବା ପରେ ଏହି ଅପରେସନ ଆରମ୍ଭ କରାଯାଇଛି ।

ସୂଚନା ଅନୁଯାୟୀ, ଗତ କିଛିଦିନ ପୂର୍ବେ ବିହାରର ମୁଙ୍ଗେର ଜିଲ୍ଲାରୁ AK-47 ରାଇଫଲର ସ୍ପେୟାର ପାର୍ଟସ ଜବତ କରିଥିଲା ପୋଲିସ । ଏହି ସ୍ପେୟାର ପାର୍ଟସକୁ କୂଅ ଓ ଗଙ୍ଗା ନଦୀ ସହ ସଂଯୋଗ ହୋଇଥିବା ନାଳରୁ ଜବତ କରିଥିଲା ପୋଲିସ । AK-47 ରାଇଫଲ ଚୋରାଚାଲାଣ ର‌୍ୟାକେଟର ପର୍ଦ୍ଦାଫାଶ ହେବା ପରେ ପୋଲିସ ଆରମ୍ଭ କରିଥିଲା ସର୍ଚ୍ଚ ଅପରେସନ । ଆଉ ଏଥିରେ ପୋଲିସ ୨୦ଟି AK-47 ଓ ୫୦୦ ସ୍ପେୟାର ପାର୍ଟସ ଜମତ କରିଛି ।

ପୋଲିସ ଏବେ ମୁଙ୍ଗେର ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଏହି ଅପରେସନରେ ମଙ୍ଗଳବାର ପୋଲିସ ମଞ୍ଜାର ବର୍ଦ୍ଧା ଗାଁରେ ସର୍ଚ୍ଚ ଆରମ୍ଭ କରିଥିଲା । ଯେଉଁଠାରେ ପୋଲିସକୁ AK-47 ରାଇଫଲର ୯୧ଟି ପାର୍ଟସ ମିଳିଥିଲା । ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସର୍ଚ୍ଚ ଅପରେସନ ପୂର୍ବରୁ ପୋଲିସ ଆମନା ଖାତୁନ ନାମକ ମହିଳାଙ୍କୁ ଗିରଫ କରିଥିଲା । ତାଙ୍କୁ ଜେରା କରିବା ବେଳେ ଗାଁର କୂଅରେ ଏକେ-୪୭ର ସ୍ପେୟାର ପାର୍ଟସ ଲୁଚାଯାଇଥିବା ଜାଣିବାକୁ ପାଇଥିଲା ।

AK-47 ଓ ଅନ୍ୟ ମାରଣାସ୍ତ୍ର ଚୋରାଚାଲାଣ କରୁଥିବା ରାକେଟର ପର୍ଦ୍ଦାଫାଶ ହେବା ପରେ ଜବତ ହୋଇଥିବା AK-47ର ଯାଞ୍ଚରୁ ଜଣାପଡିଛି ଯେ, ଏହି ରାଇଫଲ ଗୁଡିକୁ ମଧ୍ୟପ୍ରଦେଶ ଜବଲପୁରରେ ଥିବା କେନ୍ଦ୍ରୀୟ ଆୟୁଧ ଡିପୋରେ ନିର୍ମାଣ କରାଯାଇଛି । ସେଠାରୁ ଏହି ରାଇଫଲ ଗୁଡିକୁ ଚୋରାଇ ଆଣି ମାଓବାଦୀ ଓ ଆତଙ୍କବାଦୀଙ୍କ ନିକଟକୁ ଚାଲାଣ କରିବାକୁ ବିହାର ଅଣାଯାଇଥିଲା । ସୂଚନା ଅନୁଯାୟୀ, ୨୦୧୨ରୁ ଏବେ ପର୍ଯ୍ୟନ୍ତ ଜବଲପୁରରେ ଥିବା ଡିପୋରୁ ୬୦ରୁ ଅଧିକ AK-47 ରାଇଫଲ ଗାଏବ ହୋଇଛି । ଏପରିକି ଏହି ମାମଲାରେ ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିଛି । ବିହାରରେ ଅପରାଧୀ ମାନେ ହାତରେ AK-47 ଭଳି ମାରଣାସ୍ତ୍ର ଧରି ଦିନ ଦ୍ୱିପ୍ରହରରେ ଅପରାଧ ଘଟାଉଛନ୍ତି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ତେଣୁ ସେହି ଅପରାଧୀଙ୍କୁ ଧରିବା ସହ ମାରଣାସ୍ତ୍ରକୁ ଜବତ କରିବାକୁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।