ଜୟ ପଣ୍ଡାଙ୍କୁ ଯୋଗୀଙ୍କ ଚ୍ୟାଲେଂଜ୍ ! କହିଲେ, ଷଡଯନ୍ତ୍ର ପ୍ରମାଣିତ ହେଲେ ରାଜନୀତିରୁ ନେବେ ସନ୍ୟାସ

18

କନକ ବ୍ୟୁରୋ : ଯୋଗୀ ଦେଲେ ଜୟ ପଣ୍ଡାଙ୍କୁ ଚ୍ୟାଲେଂଜ୍ । ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଷଡଯନ୍ତ୍ର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି , ଷଡଯନ୍ତ୍ର ପ୍ରମାଣିତ ହେଲେ ସେ ରାଜନୀତିରୁ ସନ୍ୟାସ ନେବେ । ଗତକାଲି ବିଜେଡି ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଅଜିତ୍ ଯୋଗୀ । ଆଜି ତାର ପ୍ରତିକ୍ରିୟା ରଖିଥିଲା ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ । ସାଂସଦଙ୍କ କାର୍ଯ୍ୟାଳୟ କହିଛି, ତୃତୀୟ ମହଲାର ଜଣେ ଅଣଓଡିଆ ଅଫିସର ଷଡଯନ୍ତ୍ର କରି ଏଭଳି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜେ ଏଭଳି ନକରି ଅଜିତ ଯୋଗୀଙ୍କ ଦ୍ୱାରା କରାଯାଇଛି ।

ଗତକାଲି ଦିଲ୍ଲୀରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣି ଯୋଗୀ ଦାବି କରିଛନ୍ତି, ବୈଜୟନ୍ତ ପଣ୍ଡାଙ୍କ ୧୦୦ରୁ ଉର୍ଦ୍ଧ୍ୱ କଂପାନୀ ସହ କାରବାରର ତଦନ୍ତ କରାଯାଉ । ଦିଲ୍ଲୀରେ କରିଥିବା ସାମ୍ବାଦିକ ସମିଳନୀରେ ଯୋଗୀ କହିଛନ୍ତି, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଓ ବିଜେଡି ସାଂସଦ ବୈଜୟନ୍ତଙ୍କ ମଧ୍ୟରେ ଭିତିରି ସଂପର୍କ ରହିଛି ।

ଏହାର ଉଦାହରଣ ଦେବାକୁ ଯାଇ ଯୋଗୀ କହିଛନ୍ତି, ୨୦୦୭-୦୮ରେ ପିଟର ମୁଖାର୍ଜି, ଇନ୍ଦ୍ରାଣୀ ମୁଖାର୍ଜିଙ୍କ ଆଇଏନଏକ୍ସ ମିଡିଆ ଏବଂ ବୈଜୟନ୍ତଙ୍କ ମାଲିକାନାରେ ଥିବା ଓରଟେଲ୍ କମ୍ୟୁନିକେସନକୁ ମିଳିଥିଲା ଫରେନ୍ ଫଣ୍ଡିଂ ପାଇଁ ଅନୁମତି । ଫରେନ୍ ଫଣ୍ଡିଂ ବା ବିଦେଶରୁ ପାଣ୍ଠି ଆଣିବା ପାଇଁ ଫରେନ୍ ଇନଭେଷ୍ଟମେଂଟ ପ୍ରମୋସନ୍ ବୋର୍ଡ ବା ଏଫଆଇପିବିର ଅନୁମତି ଆବଶ୍ୟକ । ତତ୍କାଳୀନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଏହି ଅନୁମତି ଦେଇଛନ୍ତି । ଏହି ଅନୁମତି ପରେ ବୈଜୟନ୍ତ ବିଦେଶରୁ ଅର୍ଥ ପାଇଥିବା କହିଛନ୍ତି ଯୋଗୀ ।

ଆଇଏନଏକ୍ସ ମିଡିଆକୁ ଫରେନ ଫଣ୍ଡିଂ ନେଇ ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମଙ୍କ ଭୂମିକାର ସିବିଆଇ ତଦନ୍ତ ହେଉଥିବା ବେଳେ ଓରଟେଲ କମ୍ୟୁନିକେସନ କାହିଁକି ତଦନ୍ତ ପରିସରଭୁକ୍ତ ହେଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଜିତ ଯୋଗୀ । କାରଣ ଏଫଆଇପିବି ଅନୁମତି ବଳରେ ଓରଟେଲ୍ କମ୍ୟୁନିକେସନକୁ ବିଦେଶୀ ପାଣ୍ଠି ଆସିଛି ବୋଲି ଯୋଗୀ କହିଛନ୍ତି ।

ଯୋଗୀ ଆହୁରି ମଧ୍ୟ କହିଛନ୍ତି କୋଟି କୋଟି ଟଂକା ବ୍ୟାଙ୍କ ଋଣ ନେଇ ଆରବିଆଇ ତାଲିକାରେ ଥିବା ୨୦ଟି କଂପାନୀ ମଧ୍ୟରେ ରହିଛି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଂପାନୀର ନାଁ । ସେ କହିଛନ୍ତି, ବୈଜୟନ୍ତ ଓ ତାଙ୍କ ପରିବାର ମାଲିକାନାରେ ଥିବା ଇମଫା କଂପାନୀର ୨୩୦୦ କୋଟି ଟଙ୍କା ବ୍ୟାଙ୍କ ଲୋନ୍ ଛାଡ କରାଯାଇଥିଲା । ଏବଂ ଏହି ବିବାଦୀୟ ଋଣ ଛାଡ ମାମଲାରେ ଇମଫାର ଓକିଲ ଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ତେଣୁ ବୈଜୟନ୍ତଙ୍କ ସହ ଚିଦାମ୍ବରମଙ୍କ ଅସାଧୁ ମେଳି ନେଇ ପ୍ରଶ୍ନ ଉଠାଇଛନ୍ତି ଯୋଗୀ ।

ସେପଟେ ଅଜିତ ଯୋଗୀଙ୍କ ଏହି ଅଭିଯୋଗର ସାଂଘାତିକ ପ୍ରତିକ୍ରିୟା ରଖିଛି ବୈଜୟନ୍ତଙ୍କ କାର୍ଯ୍ୟାଳୟ । ସାଂସଦଙ୍କ ରାଜନୈତିକ ସଚିବ କହିଛନ୍ତି, ତୃତୀୟ ମହଲାର ଜଣେ ଅଣଓଡ଼ିଆ ଅଫିସର ଏଭଳି କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜେ ଏଭଳି ନକରି ଅଜିତ ଯୋଗୀଙ୍କ ଦ୍ୱାରା କରାଯାଇଛି ବୋଲି ବୈଜୟନ୍ତଙ୍କ କାର୍ଯ୍ୟାଳୟ କହିଛି ।

ଅଜିତ ଯୋଗୀଙ୍କ ଅଭିଯୋଗ ଓ ଏପଟେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟର ଜବାବ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସାଂସଦଙ୍କ ରାଜନୈତିକ ସଚିବ ତୃତୀୟ ମହଲା କଥା ଉଠାଇ ପ୍ରସଙ୍ଗକୁ ଆହୁରି ଜଟିଳ କରିଦେଇଛି ।