ସୁକମାରେ ସମରସଜ୍ଜାର ସ୍କେଚ୍ ! ନକ୍ସଲ ନିପାତ ପାଇଁ ବ୍ଲୁ-ପ୍ରିଂଟ କରୁଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା

29

କନକ ବ୍ୟୁରୋ : ସୁକମାରେ ସମର ସଜ୍ଜା ପାଇଁ ଆଉପାଦେ ଆଗେଇଲା ପ୍ରକ୍ରିୟା । ପିଓକେରେ ଆତଙ୍କବାଦୀଙ୍କୁ ନିପାତ କରିବା ପରି, ଛତିଶଗଡ ସୁକମାରେ ନକ୍ସଲଙ୍କ ମୂଳପୋଛ ପାଇଁ ସର୍ଜିକାଲ ଷ୍ଟ୍ରାଇକ ପରି ହେବ ଆକ୍ରମଣ । ସିଧା ମାଓବାଦୀଙ୍କ ଗଡରେ ପଶି ଆକ୍ରମଣ କରିବେ ସୁରକ୍ଷାକର୍ମୀ । ଆଉ ଲୁଚାଛପାରେ ନୁହେଁ ସାମ୍ନାସାମ୍ନି ହେବ ଲଢେଇ । ଏଥିପାଇଁ ମାଲକାନଗିରି ସୀମାନ୍ତ ସୁକମା ଜଙ୍ଗଲରେ ପହଂଚିସାରିଛନ୍ତି ୫ ହଜାରରୁ ଅଧିକ ଫୋର୍ସ । ଆଜିତ ଡୋଭାଲଙ୍କ ଇଙ୍ଗିତରେ ତିଆରି ହେଉଛି ଏହି ସ୍କେଚ । ନିଜ ଯୋଜନାକୁ ରୂପ ଦେବା ପାଇଁ ଆସନ୍ତାକାଲି ବସ୍ତର ଅଂଚଳର ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ ଡୋଭାଲ ।

ଉରି ଆକ୍ରମଣର ୧୧ ଦିନ ପରେ ଅର୍ଥାତ ଗତବର୍ଷ ସେପ୍ଟେମ୍ବର ୨୯ ତାରିଖରେ ପାକ ଅଧିକୃତ କାଶ୍ମୀରରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତୀୟ ସେନା । ଆଉ ଏହି ଅତର୍କିତ ଆକ୍ରମଣର ମାଷ୍ଟରପ୍ଲାନ ପ୍ରସ୍ତୁତ କରିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଭାରତୀୟ ଗୁଇନ୍ଦା ସଂସ୍ଥା ର’ ର ଏହି ପୂର୍ବତନ ମୁଖ୍ୟ ଶତ୍ରୁ ସଂହାର ପାଇଁ ରଣନୀତି ପ୍ରସ୍ତୁତ କରିବାରେ ମାହିର । ଯିଏ ସୁକମାରେ ସମର ସଜ୍ଜା ପାଇଁ ପ୍ରସ୍ତୁତ କରୁଛନ୍ତି ସ୍କେଚ ।

ଯୋଜନାକୁ କିଭଳି ସଫଳ କରିବେ ସୁରକ୍ଷାକର୍ମୀ, ସେହି ମର୍ମରେ ଆସନ୍ତାକାଲି ବସ୍ତର ଅଂଚଳର ସମସ୍ତ ୭ ଜିଲ୍ଲାପାଳ, ଏସପି, ଡିଜିପି ଓ ସିଆରପିଏଫ ଅଧିକାରୀଙ୍କ ସମେତ ନକ୍ସଲ ଅପରେସନରେ ନିୟୋଜିତ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ କରିବେ ଆଲୋଚନା । କୁହାଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶରେ ଏହି ଟାର୍ଗେଟ ୱାରର ନୀଳ ନସ୍କା ଆଙ୍କିଛନ୍ତି ଡୋଭାଲ ।

ବୁର୍କାପାଲ ଆକ୍ରମଣର କଡା ଯବାବ ଦେବାପାଇଁ ଅଜିତ ଡୋଭାଲଙ୍କୁ ଦିଆଯାଇଛି ପୂର୍ଣ୍ଣ କ୍ଷମତା । କେନ୍ଦ୍ର ଗୃହ ମନ୍ତ୍ରାଳୟର ମାଓ ସଂପର୍କୀତ ପରାମର୍ଶଦାତା ବିଜୟ କୁମାର ଦୁଇଦୁଇଥର ବସ୍ତର ଗସ୍ତ କରିସାରିଛନ୍ତି । ଛତିଶଗଡ ସ୍ୱତନ୍ତ୍ର ଡିଜି, ଡିଏମ ଅୱସ୍ଥି ବସ୍ତରରେ ରହି ମାଓ ବିରୋଧୀ ଅପରେସନକୁ ତଦାରଖ କରୁଛନ୍ତି ।