ବାୟୁ ପ୍ରଦୂଷଣ ଯୋଗୁଁ ମରଣ ମୁହଁରେ ଲକ୍ଷାଧିକ ଶିଶୁ । ପ୍ରଦୂଷଣ ପାଇଁ ବାର୍ଷିକ ୫ କୋଟି ୪୦ ଲକ୍ଷ ଲୋକ ହରାଉଛନ୍ତି ପ୍ରାଣ

ଉଦ୍ବେଗଜନକ ହେଲା- ଏମାନଙ୍କ ମଧ୍ୟରେ ୧ ଲକ୍ଷ ୯ ହଜାର ୨୨ ଜଣ ମୃତକଙ୍କ ବୟସ ୧୫ ବର୍ଷ ମଧ୍ୟରେ

49

କନକ ବ୍ୟୁରୋ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ରିପୋର୍ଟ ଅନୁଯାୟୀ ବାୟୁ ପ୍ରଦୂଷଣ ଯୋଗୁଁ ବିଶ୍ବରେ ବାର୍ଷିକ ୫ କୋଟି ୪୦ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ଏହି ସଂସ୍ଥା ୨୦୧୫ ମସିହା ରିପୋର୍ଟରେ କୁହାଯାଇଛି ଯେ ବାୟୁ ପ୍ରଦୂଷଣ ଭାରତରେ ବାର୍ଷିକ ୧୧ ଲକ୍ଷ ୯୮ ହଜାର ଜୀବନ ନେଉଛି। ଅର୍ଥାତ ଦୈନିକ ୩୨୮୩ ଜଣ ଭାରତୀୟ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି। ଉଦ୍ବେଗଜନକ ହେଲା- ଏମାନଙ୍କ ମଧ୍ୟରେ ୧ ଲକ୍ଷ ୯ ହଜାର ୨୨ ଜଣ ମୃତକଙ୍କ ବୟସ ୧୫ ବର୍ଷ ମଧ୍ୟରେ। ପୁଣି ସେମାନଙ୍କ ମଧ୍ୟରୁ ୫ ବର୍ଷ ବୟସ ମଧ୍ୟରେ ୯୩% ବା ୧ ଲକ୍ଷ ୧ ହଜାର ୭୮୮ ଜଣ ଶିଶୁ। ମହାମାରୀର ଏହି ଉଦ୍ବେଗଜନ ଚିିତ୍ର ବ୍ୟତୀତ ବାୟୁ ପ୍ରଦୂଷଣ ଯୋଗୁଁ ବାର୍ଷିକ ଅଭିବୃଦ୍ଧି ହାର ପ୍ରାୟ ୩% ହ୍ରାସ ପାଉଛି ବୋଲି ବିଶ୍ବ ବ୍ୟାଙ୍କ ପୃଥକ ରିପୋର୍ଟରେ ସତର୍କ କରାଇଛନ୍ତି।

 

୨୦୧୫ ପରେ ବିଗତ ୩ ବର୍ଷ ମଧ୍ୟରେ ଭାରତର ଶିଳ୍ପାୟନ, ବିଶେଷକରି କୋଇଲାଭିତ୍ତିକ ଶକ୍ତି ପ୍ରକଳ୍ପ, ଖଣିଜ ପରିବହନ ଓ ଯାନବାହାନ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ଜନଗହଳିପୂର୍ଣ୍ଣ ସହର ଓ ଶିଳ୍ପାଞ୍ଚଳରେ ଯେ ପ୍ରଦୂଷଣ ମାତ୍ରା ଅଧିକ ଉଦ୍ବେଗଜନକ, ସେଥିରେ ସନ୍ଦେହ ନାହିଁ। ସ୍ବାସ୍ଥ୍ୟ ଓ ପରିବେଶ ବିଜ୍ଞାନୀଙ୍କ ସିଦ୍ଧାନ୍ତ ଅନୁଯାୟୀ କୋଇଲା, ଡିଜେଲ ଓ ଅନ୍ୟାନ୍ୟ ଶିଳ୍ପ ଇନ୍ଧନ ଦହନରୁ ବିଷାକ୍ତ ନାଇଟ୍ରୋଜେନ୍ ଅକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍  ଓଜନ୍ ବାଷ୍ପ ବାୟୁମଣ୍ତଳକୁ ବ୍ୟାପୀ ଥାଏ। ଏସବୁ ବିଷାକ୍ତ ବାଷ୍ପ ସୃଷ୍ଟି କରିଥାନ୍ତି ସୁକ୍ଷ୍ମାତିସୁକ୍ଷ୍ମ ବିଷାକ୍ତ ଧଳିକଣା-ପାର୍ଟିକୁଲେଟ୍ ମ୍ୟାଟର୍) ବା ପିଏମ୍୧୦ ଓ ପିଏମ୍୨.୫। ପିଏମ୍୧୦ର ବ୍ୟାସ ମନୁଷ୍ୟ କେଶର ୧୦୦ ଭାଗରୁ ଭାଗେ। ପିଏମ୍୨.୫ର ବ୍ୟାସ ଏହାଠାରୁ ୪ଗୁଣ କମ୍। ଅର୍ଥାତ ବାୟୁମଣ୍ତକୁ ଆଚ୍ଛାଦିତ କରୁଥିବା ଏହି ବିଷାକ୍ତ ଧୂଳିକଣା ଆଖିକୁ ଦେଖାଯାଏ ନାହିଁ, ବରଂ ଆମେ ପ୍ରଶ୍ବାସରେ ଏହାକୁ ଗ୍ରହଣ କରିଥାଉ।

 

ଜଣେ ମଣିଷ ପ୍ରତି ମିନିଟରେ ହାରାହାରି ୭ରୁ ୮ ଲିଟର ଅର୍ଥାତ ଦୈନିକ ୧୧ ହଜାର ଲିଟରରୁ ଅଧିକ ବାୟୁ ପ୍ରଶ୍ବାସରେ ଗ୍ରହଣ କରିଥାଏ। ବୟସ୍କଙ୍କ ତୁଳନାରେ ଶିଶୁଙ୍କ ଶ୍ବାସକ୍ରିୟା ଅଧିକ। ତେଣୁ ସେମାନେ ଅଧିକ ବିଷାକ୍ତ ବାୟୁ ଗ୍ରହଣ କରି ଫୁସଫୁସ୍, ରକ୍ତ ସଞ୍ଚାଳନ ଓ ଅନ୍ୟାନ୍ୟ ସଂକ୍ରମଣ ପ୍ରବଣ ହେଉଛନ୍ତି। ଏପରିକି ପ୍ରଦୂଷିତ ବାୟୁ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ପାଇଁ ବିଭିନ୍ନ ଦିଗରୁ ବିପଦ ସୃଷ୍ଟି କରିଥାଏ। ଏହା ଦ୍ବାରା ଗର୍ଭସ୍ଥ ଶିଶୁର ଶାରୀରିକ ଓ ମାନଦିକ ବିକାଶ ବିଶେଷ ଭାବେ ବାଧାପ୍ରାପ୍ତ ହୋଇଥାଏ ବୋଲି ପରୀକ୍ଷା-ନିରୀକ୍ଷାରୁ ଜଣାପଡ଼ିଛି। ‘ହୁ’ର ରିପୋର୍ଟ ଅନୁଯାୟୀ ପିଏମ୍ ମାତ୍ର ୧୦ ମାଇକ୍ରୋଗ୍ରାମ ବଢ଼ିଲେ ମୃତ୍ୟୁହାର ୩%ରୁ ୨୬% ଯାଏ ବୃଦ୍ଧି ପାଇଥାଏ। ଏହି କାରଣରୁ ଶିଶୁଙ୍କ ଶ୍ବାସ ରୋଗ ୧୬%, ଫୁସ୍ପୁସ୍ କର୍କଟ ୩୬% ଓ ହୃଦଘାତ ୪୪% ବୃଦ୍ଧି ପାଇଥାଏ।

 

ୟୁରୋପୀୟ ମହାକାଶ ସଂସ୍ଥା (ଇଏସ୍ଏ)ର କୃତ୍ରିମ ଉପଗ୍ରହ ସେଣ୍ଟିନେଲ୍-୫ ପିର ଚିତ୍ରକୁ ବିଶ୍ଳେଷଣ କରି ଅନ୍ତର୍ଜାତୀୟ ବେସରକାରୀ ସଂଗଠନ ‘ଗ୍ରୀନଫାସ’ ପ୍ରକାଶ କରିଛି ଯେ ବିଷାକ୍ତ ନାଇଟ୍ରୋଜେନ୍ ଅକ୍ସାଇଡ୍ ନିର୍ଗମନ ଯୋଗୁଁ ବିଶ୍ବର ୫୦ଟି ସହର ତଥା ଶିଳ୍ପାଞ୍ଚଳର ବାୟୁମଣ୍ତଳରେ ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ସ୍ପର୍ଶକାତର ଓ ବିପଜ୍ଜନକ (ହଟ୍ ସ୍ପଟ୍)। ସେଥିରେ ଚୀନର ୧୦ଟି, ଆରବର ୮ଟି, ୟୁରୋପର ୪ଟି ଭାରତ, ଦକ୍ଷିଣ ଆଫ୍ରିକା, କଙ୍ଗୋର ୩ଟିଲେଖାଏଁ ଶିଳ୍ପାଞ୍ଚଳ ସହର ଅନ୍ତର୍ଭୁକ୍ତ। ଭାରତର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍) ଦିଲ୍ଲୀ, ଉତ୍ତର ପ୍ରଦେଶର ସୋନଭଦ୍ରା ଓ ମଧପ୍ରଦେଶର ସିଂଗରୌଲି ସମେତ ଓଡ଼ିଶାର କଳାହୀରା (କୋଇଲା) କ୍ଷେତ୍ର ଅନୁଗୁଳ-ତାଳେଚର ଅନ୍ୟତମ ହଟ୍ ସ୍ପଟ୍।

ଅନୁଗୁଳ- ତାଳେଚର ବାୟୁମଣ୍ତଳକୁ ମାତ୍ରାଧିକ ପ୍ରଦୂଷଣ କରିବାରେ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି)ର କୋଇଲା ଇନ୍ଧନଭିତ୍ତିକ ଶକ୍ତି କେନ୍ଦ୍ରର ଅବଦାନ ସର୍ବାଧିକ। ଏହାଛଡ଼ା କୋଇଲା ଉତ୍ତୋଳନ ଓ ପରିବହନ ମଧ୍ୟ ବାୟୁ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ। ରାଜ୍ୟ ତଥା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ଼ର୍ (ସିପିସିବି)ର ୨୦୧୬ ରିପୋର୍ଟ ଅନୁଯାୟୀ ଅନୁଗୁଳ-ତାଳେଚର ବାୟୁମଣ୍ତଳର ପ୍ରତି ୩ ଘନମିଟର ବାୟୁରେ ପିଏମ୍୧୦ ମାତ୍ରା ସର୍ବନିମ୍ନ ୩୨ରୁ ସର୍ବାଧିକ ୨୦୮ ମାଇକ୍ରୋଗ୍ରାମରେ ଓ ପିଏମ୍୨.୫ ମାତ୍ରା ୧୬ରୁ ୧୫୩ ମାଇକ୍ରୋଗ୍ରାମରେ ପହଞ୍ଚିଥିଲା।

 

ସେହି ସମୟରେ ରାଜଧାନୀ ଭୁବନେଶ୍ବରରେ ପିଏମ୍ ୧୦ ମାତ୍ରା ସର୍ବାଧିକ ୩୨୯ ଓ ପିଏମ୍୨.୫ ମାତ୍ରା ୩୩୧ ମାଇକ୍ରୋଗ୍ରାମକୁ ସ୍ପର୍ଶ କରିଥିଲା। କଟକରେ ପିଏମ୍ ୧୦ ଓ ପିଏମ୍୨.୫ର ସର୍ବାଧିକ ମାତ୍ରା ଥିଲା ଯଥାକ୍ରମେ ୩୩୫ ଓ ୨୦୫ ମାଇକ୍ରୋଗ୍ରାମ୍। ବନ୍ଦର ସହର ପାରାଦୀପରେ ପିଏମ୍୧୦ ଓ ପିଏମ୍୨.୫ ଯଥାକ୍ରମେ ୩୮୬ ଓ ୧୫୫ ମାଇକ୍ରୋଗ୍ରାମ ଥିଲା ବେଳେ ରାଉରକେଲାରେ ତାହା ସର୍ବାଧିକ ୪୩୩ ଓ ୧୨୯ ମାଇକ୍ରୋଗ୍ରାମ ଏବଂ ସମୁଦ୍ର ତଟବର୍ତ୍ତୀ କୋଣାର୍କ ବାୟୁମଣ୍ତଳରେ ତାହା ଯଥାକ୍ରମେ ଥିଲା ୨୪୮ ଓ ୮୫, ପୁରୀରେ ୨୨୩ ଓ ୧୭୭ ମାଇକ୍ରୋଗ୍ରାମ୍ ରେକର୍ଡ କରାଯାଇଥିଲା।

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ପ୍ରଫେସର ଆର୍.ବି.ପଣ୍ତାଙ୍କ ନିକଟରେ ଗବେଷକ ଦଳ ଯେଉଁ ସନ୍ଦର୍ଭ ଦାଖଲ କରିଥିଲେ, ସେଥିରେ ଶିଳ୍ପ ସହର ଝାରସୁଗୁଡ଼ା ଓ ସମ୍ବଲପୁରରେ ପିଏମ୍ ମାତ୍ରା ସର୍ବାଧିକ ୫୮୦ ଓ ୫୨୫ ମାଇକ୍ରୋଗ୍ରାମ ଥିବା ଉଲ୍ଲେଖ କରାଯାଇଥିଲା । ଦେଶର ଇସ୍ପାତ ରାଜଧାନୀ ଭାବେ ବିକାଶମୁଖୀ କଳିଙ୍ଗନଗରରେ ପିଏମ୍୧୦ ମାତ୍ରା ସର୍ବାଧିକ ୨୬୨ ମାଇକ୍ରୋଗ୍ରାମ୍ ଥିବା ୨୦୧୬ ରିପୋର୍ଟରୁ ପ୍ରକାଶ। ବିଗତ ୩ ବର୍ଷ ମଧ୍ୟରେ ଶିଳ୍ପାୟନ ଓ ଯାନବାହନ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା ସ୍ବାଭାବିକ। ଗବେଷକଙ୍କ ମତରେ ଦ୍ବେତନଗରୀର ବାୟୁ ପ୍ରଦୂଷଣ ପାଇଁ ଗାଡ଼ି ଧୁଆଁ ପ୍ରମୁଖ କାରଣ। ଭୟାବହ ବାୟୁ ପ୍ରଦୂଷଣ ରୋକିବା ଲାଗି ରାଜ୍ୟ ସରକାର ଶିଳ୍ପ ସଂସ୍ଥାଙ୍କ ଷ୍ଟାର୍ ରେଟିଂ କାର୍ଯ୍ୟକାରୀ କରିଥିଲେ ମଧ୍ୟ ତାହା ବିଶେଷ ଫଳପ୍ରଦ ହୋଇନାହିଁ। ସଘନ ବନୀକରଣ ବ୍ୟତୀତ ବାୟୁ ପ୍ରଦୂଷଣ ବିପତ୍ତିରୁ ନିସ୍ତାର ନାହିଁ ବୋଲି ପରିବେଶବିତ୍ ଓ ସ୍ବାସ୍ଥ୍ୟ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି।

Comments are closed.