ସାମ୍ନାକୁ ଆସିଲା ବ୍ୟାଙ୍କକକୁ ବିମାନ ସେବା ବନ୍ଦ ପଛର ସତ : ପୂରଣ ହୋଇପାରୁନି ଅଧା ସିଟ, କ୍ଷତି ଓ ପରିଚାଳନା ଗତ ତୃଟି ପାଇଁ ଉଡାଣ ବନ୍ଦ ହୋଇଥିବା ସୂଚନା

24

କନକ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ୟାଙ୍କକକୁ ସିଧାସଳଖ ବିମାନ ସେବା ବନ୍ଦ କରିଦେଇଛି ଏୟାର ଇଣ୍ଡିଆ । ପରିଚାଳନାଗତ ସମସ୍ୟା ଯୋଗୁଁ ସେପ୍ଟେମ୍ବର ୩୦ ତାରିଖ ଯାଏଁ ଉଡାଣ ବନ୍ଦ ରଖାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ପୁଣି କେବେ ସେବା ଆରମ୍ଭ ହେବ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ୭ ମାସ ହେଲା ସପ୍ତାହକୁ ୩ ଦିନ, ବ୍ୟାଙ୍କକକୁ ବିମାନ ସେବା ଜାରି ରହଥିଲା । ହେଲେ ହଠାତ୍ ଏଥିରେ ବ୍ରେକ୍ ଲଗାଇଦେଇଛି ଏୟାର ଇଣ୍ଡିଆ ।

ଭୁବନେଶ୍ୱରରୁ ଥାଇଲାଣ୍ଡର ବ୍ୟାଙ୍କକ୍, ୭ ମାସ ଧରି ବିମାନ ଉଡାଣ କରିବା ପରେ ହଠାତ୍ ସେବା ବନ୍ଦ କରିଦେଇଛି ଏୟାର ଇଣ୍ଡିଆ । କାରଣ ଦର୍ଶାଯାଇଛି, ପରିଚାଳନାଗତ ସମସ୍ୟା ଯୋଗୁଁ ଏହି ରୁଟରେ ବର୍ତ୍ତମାନ ବିମାନ ସେବା ଯୋଗାଇହେବ ନାହିଁ । ଫଳରେ ଜୁଲାଇ ୧୬ରୁ ସେପ୍ଟେମ୍ବର ୩୦ଯାଏଁ ବିମାନ ସେବା ବନ୍ଦ ରହିବ । ତେବେ ପୁଣି କେବେ ଭୁବନେଶ୍ୱରରୁ ବିମାନ ଉଡାଣ ଆରମ୍ଭ ହେବ ତାର ସୂଚନା ଦିଆଯାଇନାହିଁ । ଫଳରେ ଅନିଶ୍ଚିତତା ଘେରକୁ ଚାଲିଆସିଛି ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆନ୍ତର୍ଜାତୀକ ବିମାନ ସେବା ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସେବା ଆରମ୍ଭ କଲା ଏୟାର ଇଣ୍ଡିଆ । ସପ୍ତାହକୁ ୩ ଦିନ , ପ୍ରାୟ ୭ ମାସ ଧରି ଜାରି ରହିଲା ବିମାନ ସେବା । ଏହି ରୁଟ୍ରେ ଚାଲିଥିବା ବିମାନରେ ମୋଟ୍ ୧୮୦ଟି ସିଟ୍ ରହିଥିଲା । ହେଲେ ସେଥିମଧ୍ୟରୁ ହାରାହାରି ୭୩ ଟି ସିଟ୍ ପୂରଣ ହେଉଥିଲା । ଖାଲି ପଡୁଥିଲା ବିମାନର ଅଧାରୁ ଅଧିକ ସିଟ୍ । ଏଥିରୁ ଆକଳନ କରାଯାଉଛି ଯେ , କ୍ଷତିରେ ଚାଲୁଥିଲା ଏହି ବିମାନସେବା । ଫଳରେ ଏବେ ଭୁବନେଶ୍ୱରରୁ ବ୍ୟାଙ୍କକ୍ ବିମାନ ସେବା ବନ୍ଦ କରାଯାଇଥିବା ଅନୁମାନ କରାଯାଉଛି ।

ବ୍ୟାଙ୍କକକୁ ସେବା ବନ୍ଦ ହେବା ପୂର୍ବରୁ ପୋର୍ଟବ୍ଲେୟାରକୁ ଉଡାଣ ବନ୍ଦ ହୋଇଯାଇଛି । ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ମାଲେସିଆର କ୍ୱାଲାଲୁମ୍ପୁରକୁ ବିମାନ ସେବା ଜାରିରହିଛି । ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ହଜ୍ ଯାତ୍ରା ଚାଲିଥିବାରୁ ବିଭିନ୍ନ ରୁଟରେ ବିମାନ ଉଡାଣ ବାତିଲ କରାଯାଇଛି । ତେଣୁ ଆବଶ୍ୟକତା ଦୃଷ୍ଟିରୁ ସାମୟିକ ଭାବେ ଭୁବନେଶ୍ୱରରୁ ମଧ୍ୟ ଉଡାଣ ବନ୍ଦ ରଖାଯାଇଛି । ତେବେ ପୁଣି କେବେ ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନ ଉଡିବ ସେନେଇ କିଛି ବି ସ୍ପଷ୍ଟ କରାଯାଇନାହି ାଁ